
ଅଗଷ୍ଟ ୨୯ ତାରିଖରୁ ବିହାରରେ ଆରମ୍ଭ ହେବାକୁ ଯାଉଛି ହକି ଏସିଆ କପ୍ ୨୦୨୫ । ଯାହାର ଫାଇନାଲ ମ୍ୟାଚ୍ ସେପ୍ଟେମ୍ବର ୭ ତାରିଖରେ ଖେଳାଯିବ । ସମସ୍ତ ମ୍ୟାଚ୍ ବିହାରର ରାଜଗିର ହକି ଷ୍ଟାଡିଅମରେ ଖେଳାଯିବାର ଆୟୋଜନ ରହିଛି । ଯେଉଁଥିରେ ୮ଟି ଦଳକୁ ଚାରିଟି ଗ୍ରୁପରେ ଭାଗ କରାଯିବ । ଯାହାକୁ ନେଇ ଏବେ ସାରା ଭାରତବାସୀ ଉତ୍ସାହିତ ରହିଛନ୍ତି । ଏହି ବଡ଼ ଟୁର୍ଣ୍ଣାମେଣ୍ଟ ଆୟୋଜନ ସମୟରେ ଇଣ୍ଡିଆ ଫ୍ୟାନ୍ସଙ୍କ ପାଇଁ ବଡ଼ ଖୁସି ଖବର ଆସିଛି । ଯେଉଁଥିରେ ଫ୍ୟାନ୍ସ ଫ୍ରିରେ ଟୁର୍ଣ୍ଣାମେଣ୍ଟ ଦେଖିବାର ସୁଯୋଗ ପାଇବେ ।ଏହାରି ମଧ୍ୟରେ ହକି ଇଣ୍ଡିଆ ଏକ ପ୍ରେସ୍ ରିଲିଜରେ କହିଛି ଯେ, ଫ୍ୟାନ୍ସ ୱେବସାଇଟ୍ ମାଧ୍ୟମରେ ଏହାକୁ ମାଗଣାରେ ପାଇପାରିବେ । ପ୍ରକ୍ରିୟା ସମାପ୍ତ କରିବା ପରେ ଫ୍ୟାନ୍ସ ଏକ ଭର୍ଚୁଆଲ୍ ଟିକେଟ୍ ପାଇବେ । ଯାହାର ପ୍ରକ୍ରିୟାକୁ ଏକ ସହଜ ଏବଂ ଅସୁବିଧାମୁକ୍ତ ଅଭିଜ୍ଞତା ପ୍ରଦାନ କରିବା ପାଇଁ ଡିଜାଇନ୍ କରାଯାଇଛି ।ଏହା ସହିତ ହକି ଇଣ୍ଡିଆର ସଭାପତି ଦିଲୀପ ଟର୍କି କହିଛନ୍ତି ଯେ, “ରାଜଗିରରେ ହିରୋ ପୁରୁଷ ଏସିଆ କପ୍ ଆୟୋଜନ କରିବା ଭାରତୀୟ ହକି ପାଇଁ ଏକ ଐତିହାସିକ ମୁହୂର୍ତ୍ତ । ଆମେ ଚାହୁଁଛୁ ଯେ ପ୍ରତ୍ୟେକ ପ୍ରଶଂସକ ଏହି ଯାତ୍ରାର ଅଂଶ ହୁଅନ୍ତୁ । ଏହା କେବଳ ଏକ ଟୁର୍ଣ୍ଣାମେଣ୍ଟ ନୁହେଁ, ଏହା ଖେଳର ଏକ ଉତ୍ସବ ।”ଅନ୍ୟପଟେ ଆଗାମୀ ହକି ଟୁର୍ଣ୍ଣାମେଣ୍ଟ ମଧ୍ୟ ୨୦୨୬ ବିଶ୍ୱକପ୍ ପାଇଁ ଏକ ଯୋଗ୍ୟତା ଅର୍ଜନ ଟୁର୍ଣ୍ଣାମେଣ୍ଟ । ଏହି ଟୁର୍ଣ୍ଣାମେଣ୍ଟ ଜିତିଥିବା ଦଳ ସିଧାସଳଖ ୨୦୨୬ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କରିବ । ଏହି ଚଳିତ ବର୍ଷ ଅର୍ଥାତ୍ ୨୦୨୫ ହକି ଏସିଆ କପ୍ ରେ ଭାରତ, ଜାପାନ, ଚୀନ୍, କାଜାଖସ୍ତାନ, ମାଲେସିଆ, କୋରିଆ, ବାଂଲାଦେଶ ଏବଂ ଚାଇନିଜ୍ ତାଇପେ ଭଳି ମୋଟ ଆଠଟି ଦଳ ଏଥିରେ ସାମିଲ ହେବେ । ପୂର୍ବରୁ ପାକିସ୍ତାନ ଏବଂ ଓମାନର ଦଳ ଏଥିରେ ଅଂଶଗ୍ରହଣ କରିବାର ଥିଲା, କିନ୍ତୁ ଏହି ଉଭୟ ଦଳ ସେମାନଙ୍କ ନାମ ପ୍ରତ୍ୟାହାର କରିନେଇଛନ୍ତି ।