
ପଞ୍ଜାବ : କିଛିଦିନ ହେଲାଣି ଲଗାତାର ବର୍ଷାରେ ସମଗ୍ର ଉତ୍ତର ଭାରତ ଛାରଖାର ହୋଇପଡି । ଜମ୍ମୁ କଶ୍ମୀର, ହିମାଚଳ ପ୍ରଦେଶ ଦେଇ ଆସୁଥିବା ନଦୀଗୁଡିକରେ ବନ୍ୟା ପାଣି ଯୋଗୁଁ ପଞ୍ଜାବର ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ଦେଖାଦେଇଛି । ଗୁରଦାସପୁର ଜିଲ୍ଲାରେ ଏକ ସ୍କୁଲରେ ବନ୍ୟାପାଣି ପଶିଯିବାରୁ ପିଲାମାନେ ଏବଂ ସ୍କୁଲ କର୍ତ୍ତପକ୍ଷ ଫସିଛନ୍ତି । ସ୍କୁଲ ପରିସରରେ ପାଣି ଭରିଥିବା ବେଳେ ଗ୍ରାଉଣ୍ଡ ଫ୍ଲୋରରେ ଥିବା କ୍ଲାସରୁମ ପାଣିରେ ଭରି ରହିଛି ।ଖବର ମୁତାବକ, ପଞ୍ଜାବର ଗୁରୁଦାସପୁର ଠାରୁ ୧୨ କିମି ଦୂର ଡାବୁରୀ ଗାଁରେ ଥିବା ନବୋଦୟ ବିଦ୍ୟାଳୟରେ ହଠାତ୍ ବନ୍ୟା ପାଣି ପଶିଯାଇଥିଲା । ଫଳରେ କେହି କିଛି ବୁଝିବା ଆଗରୁ ସ୍କୁଲରେ ପାଣି ପଶିଯାଇଥିଲା । ତେଣୁ ପିଲାମାନେ ସ୍କୁଲରେ ଫସିଯାଇଥିଲେ । ସ୍କୁଲରେ କେବଳ ଛାତ୍ରଛାତ୍ରୀଙ୍କ ସହିତ ସ୍କୁଲ କର୍ମଚାରୀ ମଧ୍ୟ ରହିଛନ୍ତି । ସ୍କୁଲରେ ୪୦୦ରୁ ଅଧିକ ପିଲାଙ୍କ ସହିତ ପାଖାପାଖି ୪୦ ସ୍କୁଲ କର୍ମଚାରୀ ଫସିଥିବା ଖବର ମିଳିଥିଲା ।ଏହାସହିତ ସ୍ଥାନୀୟ ଅଞ୍ଚଳରେ ବନ୍ୟ ପରିସ୍ଥିତି ଦେଖାଦେଇଛି । ରାସ୍ତା କ୍ଷତିଗ୍ରସ୍ତ ହୋଇଛି । ଗୁରୁଦାସପୁର ରାସ୍ତା ଖରାପ ଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଛି ।ତେବେ ସ୍କୁଲରେ ପିଲାମାନେ ରହି ପାଠ ପଢୁଥିଲେ । ଆଉ ସ୍କୁଲ ନିକଟରେ ଏକ ନାଳ ରହିଛି । ଯାହାକୁ ଦୀର୍ଘବର୍ଷରୁ ସଫା କରାଯାଇନାହିଁ । ତେଣୁ ପାଣି ମାଡ଼ିଆସିବାରୁ ନାଳ ଦେଇ ନ ଯାଇ ସ୍କୁଲ ଭିତରେ ପଶିଯାଇଥିବା କୁହାଯାଉଛି ।