ଏକ ଟଙ୍କାରେ ପେଟପୂରା ଖାଦ୍ୟ, ସେହି ଅର୍ଥରେ ଅଣାଯିବ ବୁଲା ଗାଈଗୋରୁଙ୍କ ପାଇଁ ଖାଦ୍ୟ

ବାଲେଶ୍ଵର: ଏକ ଟଙ୍କାରେ ପେଟପୂରା ଖାଦ୍ୟ । ପ୍ରତିମାସର ଶେଷ ସୋମବାରରେ ସମସ୍ତଙ୍କୁ ଦିଆଯିବ ଏକ ଟଙ୍କାରେ ପେଟପୂରା ଖାଦ୍ୟ । ସ୍ଵାଭିମାନର ସହ ଏକ ଟଙ୍କା ଦିଅ ଆଉ ଖାଦ୍ୟ ମନଇଚ୍ଛା ଖାଅ । ଆଉ ଏଥିରେ ଯାହା ଆଦାୟ ହେବ ସେହି ଅର୍ଥରେ ସହରରେ ଥିବା ବୁଲା ଗାଈଗୋରୁଙ୍କ ପାଇଁ ଖାଦ୍ୟ ଅଣାଯିବ । ଏଭଳି ପ୍ରୟାସ ଆରମ୍ଭ କରିଛି ବାଲେଶ୍ଵର ଜିଲ୍ଲାର ଅଗ୍ରଣୀ ଯୁବ ଅନୁଷ୍ଠାନ ବାଲେଶ୍ଵର ଯୁବ ଶକ୍ତି । ମଣିଷ ପାଇଁ ତ ଯୋଜନା ପରେ ଯୋଜନା । ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସବୁ ଯୋଜନା । ସରକାର ୫ ଟଙ୍କାରେ ସୁଷମ ଖାଦ୍ୟ ଯୋଗାଇ ଦେଉଛନ୍ତି ଲୋକଙ୍କ ପାଇଁ ।ହେଲେ ବୁଲା ଗାଈ ଗୋରୁଙ୍କ କଥା କିଏ ପଚାରେ । ବିଭିନ୍ନ ସହରମାନଙ୍କରେ ବୁଲା ଗାଈ ଗୋରୁଙ୍କ ଖାଦ୍ୟ ପାଇଁ ବିଭିନ୍ନ ବ୍ୟବସ୍ଥା ରହିଛି ହେଲେ ସେଗୁଡିକ ସଠିକ୍ ଢଙ୍ଗରେ ପାଳିତ ହେଉଛି କି ନାହିଁ କେହି ଜାଣି ପାରୁନାହାଁନ୍ତି । ହେଲେ ମଣିଷ ସହ ବୁଲା ଗାଈଗୋରୁଙ୍କ କଥାକୁ ବିଚାର କରି ବାଲେଶ୍ଵର ସହରର ଅଗ୍ରଣୀ ଯୁବ ସଂଗଠନ ବାଲେଶ୍ଵର ଯୁବ ଶକ୍ତି ନେଇଛି ଏକ ଅଭିନବ ପଦକ୍ଷେପ । ସ୍ୱାଭିମାନର ସହ ଏକ ଟଙ୍କା ଦିଅ ଆଉ ପେଟ ପୁରା ଖାଇଯାଅ । ବାଲେଶ୍ଵରର ଟେକ୍ନିକାଲ ଫିଲ୍ଡରେ ବାଲେଶ୍ଵର ଯୁବ ଶକ୍ତିର ଏଭଳି କାର୍ଯ୍ୟକ୍ରମରେ ବହୁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।ସହରର ଆବର୍ଜନା ହଟାଇବା, ଶ୍ମଶାନ ସଫେଇ, ନଈ ତୁଠ ସଫେଇ, ବୃକ୍ଷରୋପଣ ଆଦି କାର୍ଯ୍ୟରେ ସବୁବେଳେ ନିଜକୁ ନିୟୋଜିତ କରି ବେଶ୍ ପ୍ରଶଂସା ସୃଷ୍ଟି କରିଥିବା ଯୁବ ଶକ୍ତିର ଲୋକଙ୍କୁ ଏକ ଟଙ୍କାରେ ଖାଦ୍ୟ ଯୋଗାଇବା ଏକ ଅନନ୍ୟ ପଦକ୍ଷେପ । ବାଲେଶ୍ଵରରେ ସଂଗଠନର ୮୪୦ ଜଣ ସଦସ୍ୟ ରହିଥିବା ବେଳେ ସମସ୍ତେ ବିଭିନ୍ନ ବୃତ୍ତିରେ ନିୟୋଜିତ ଅଛନ୍ତି । ମାସ ଶେଷରେ ସମସ୍ତେ ପୁଞ୍ଜିରୁ କିଛି କିଛି ଅର୍ଥ ପ୍ରଦାନ କରି ସାମାଜିକ ଓ ଗରିବ କଲ୍ୟାଣ କାର୍ଯ୍ୟରେ ନିୟୋଜିତ କରିଥାନ୍ତି । ଯାହା ଫଳରେ ଉତ୍ସାହୀ ଯୁବକମାନେ ନିଜେ ଆତ୍ମସନ୍ତୋଷ ଲାଭ କରିବା ସହ ସମାଜ ସେବାରେ ନିଜ ଅର୍ଥକୁ ଲଗାଇ ପାରୁଛନ୍ତି ।ଗୋଟିଏ ପଟେ ଗରିବ ଲୋକଟିଏ ସ୍ୱାଭିମାନର ସହ ୧ ଟଙ୍କାରେ ଖାଦ୍ୟ ଖାଇ ଖୁସି ଅନୁଭବ କରିଥିବା ବେଳେ ଅନ୍ୟପଟେ ସଂଗୃହିତ ଅର୍ଥରେ ବୁଲା ଗାଈ ଗୋରୁଙ୍କ ପାଇଁ ଖାଦ୍ୟ ଯୋଗାଡ଼ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆଗାମୀ ଦିନରେ ସହର ତଥା ଆଖପାଖ ଅଞ୍ଚଳମାନଙ୍କରେ ବୃକ୍ଷରୋପଣ ତଥା ଔଷଧୀୟ ବୃକ୍ଷରୋପଣ ପାଇଁ ସଂଗଠନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ବେଳେ ସହରକୁ ସ୍ୱଚ୍ଛ, ଆବର୍ଜନା ମୁକ୍ତ ଓ ସବୁଜମୟ କରିବା ପାଇଁ ଜନସେବାକୁ ବ୍ୟାପକ କରାଯିବ ବୋଲି ସଂଗଠନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।