
ନବରଙ୍ଗପୁର : ମୂର୍ତ୍ତି କାରିଗରଙ୍କ ଠାରୁ ଦୁର୍ବୁତ୍ତ ଲୁଟିନେଲେ ୧୦ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା । ଗଣେଶ ପୂଜା ନିମନ୍ତେ ମୂର୍ତ୍ତି ବିକ୍ରି କରି ଏକ ବାକ୍ସରେ ରଖିଥିବା ଲକ୍ଷାଧିକ ଟଙ୍କାକୁ ଗତ କାଲି ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଲୁଟିନେଇ ଥିବା ନେଇ ଉମରକୋଟ ଥାନରେ ଅଭିଯୋଗ ହୋଇଛି ।ସୂଚନା ଅନୁସାରେ ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌରାଞ୍ଚଳ ଅଧୀନ ଡଙ୍ଗରୀଗୁଡା ଠାରେ ଘଟିଛି ଏଭଳି ଏକ ଘଟଣା । କିଛି ମୂର୍ତ୍ତି କାରିଗର ରାଜସ୍ଥାନରୁ ଆସି ପ୍ଳାଷ୍ଟର ପ୍ୟାରିସ ଗଣେଶ ମୂର୍ତ୍ତି ତିଆରି କରି ବିକ୍ରି କରୁଥିଲେ। ଗତକାଲି ରାତି୨ ଟା ପର୍ଯ୍ୟନ୍ତ ଲୋକେ ମୂର୍ତ୍ତି ନେବାକୁ ଆସୁଥିଲେ ବିଳମ୍ବିତ ରାତି ପର୍ଯ୍ୟନ୍ତ ମୂର୍ତ୍ତି ବିକ୍ରି କରି ପରେ ସମସ୍ତ ପରିବାର ଲୋକେ ଶୋଇ ପଡ଼ିଥିଲେ । ଏହାର ସୁଯୋଗ ନେଇ ଦୁର୍ବୃତ୍ତ ମାନେ ଟଙ୍କା ରଖାଯାଇଥିବା ଡବାକୁ ଉଠାଇ ନେଇ ଯାଇଥିବା କହିଛନ୍ତି ।ତେବେ ଡ଼ବାରେ ଆନୁମାନିକ ପ୍ରାୟ ୧୦ ରୁ ୧୨ ଲକ୍ଷ୍ ଟଙ୍କା ରହିଥିବା କହିଛନ୍ତି ମୂର୍ତ୍ତି କାରିଗର ପରିବାର ଲୋକେ । ଅନ୍ୟପଟେ ଧାର ଉଧାର କରି ମୂର୍ତ୍ତି ତିଆରି ପାଇଁ ସଂଗ୍ରହ କରିଥିବା ଟଙ୍କା କେମେତି ସୁଝିବେ ସେ ନେଇ ଏବେ ଚିନ୍ତାରେ କାରିଗର ।