ବୋର୍ଡ ପରୀକ୍ଷା ୨୦୨୬କୁ ନେଇ ଗାଇଡଲାଇନ ଜାରି କଲା ସିବିଏସଇ, ଭରିବାକୁ ହେବ ଏହି ବିବରଣୀ

ନୂଆଦିଲ୍ଲୀ : ସିବିଏସଇ ବୋର୍ଡ ପରୀକ୍ଷା ୨୦୨୬କୁ ନେଇ ଏକ ସ୍ବତନ୍ତ୍ର ଗାଇଡଲାଇନ ଜାରି କରିଛି । ସମସ୍ତ ସ୍କୁଲ ପାଇଁ ଏହା ଲାଗୁ ହେବ । ଚଳିତବର୍ଷ ୧୦ମ ବୋର୍ଡ ପରୀକ୍ଷା ୨ ଥର ହେବ । ତେଣୁ ବୋର୍ଡ ପରୀକ୍ଷା ପାଇଁ ସିବିଏସଇ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏଥିପାଇଁ ସିବିଏସଇ ସମସ୍ତ ସ୍କୁଲ ପାଇଁ ଗାଇଡଲାଇନ ଜାରି କରିଛି । ଯେଉଁଥିରେ ବୋର୍ଡ ସ୍କୁଲକୁ ୧୦ମ ଏବଂ ୧୨ଶ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ଏଲଓସି ଅର୍ଥାତ୍ ଲିଷ୍ଟ ଅଫ୍ କ୍ୟାଣ୍ଡିଡେଟ୍ ସବମିଟ କରିବା ପାଇଁ ସିଡ୍ୟୁଲ ଜାରି କରିଛି ।ସିବିଏସଇ ସ୍କୁଲର ପ୍ରିନ୍ସିପାଲଙ୍କୁ ନିର୍ଦ୍ଦେଶ ଦେଇ ବୋର୍ଡ ପରୀକ୍ଷାରେ ସାମିଲ ହେବାକୁ ଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ଲିଷ୍ଟ ମାଗିଛନ୍ତି । ସିବିଏସଇ ପକ୍ଷରୁ କୁହାଯାଇଛି କି, ଚଳିତବର୍ଷ ୨୦୨୬ରେ ମୋଟ ୩ଟି ପରୀକ୍ଷା ଆୟୋଜିତ ହେବ । ୧୦ମର ଦୁଇଟି ଏବଂ ୧୨ଶର ଗୋଟିଏ ପରୀକ୍ଷା ହେବ । ତେଣୁ ୧୦ମ ବୋର୍ଡ ପରୀକ୍ଷା ମୁଖ୍ୟ ହୋଇଥିବାରୁ ଛାତ୍ରଛାତ୍ରୀଙ୍କ ଲିଷ୍ଟ ଅପଲୋଡ କରିବା ନିହାତି ଜରୁରୀ ।ଯେଉଁ ପିଲାଙ୍କ ନାମ ଏଲଓସିରେ ଅପଲୋଡ ହୋଇନଥିବ, ସେମାନଙ୍କୁ ବୋର୍ଡ ପରୀକ୍ଷାରେ ସାମିଲ ହେବାକୁ ସୁଯୋଗ ମିଳିବ ନାହିଁ । ତେଣୁ ଗୁରୁତ୍ବପୂର୍ଣ୍ଣ ଭାବେ ଏହାକୁ ଅପଲୋଡ କରିବାକୁ ହେବ । ବୋର୍ଡ ଅନୁସାରେ, ବୋର୍ଡ ପରୀକ୍ଷା ପାଇଁ ଏଲଓସି ଜମା କରିବା ବହୁତ ଗୁରୁତ୍ବପୂର୍ଣ୍ଣ । ଏହି ଡାଟା ଜରିଆରେ ଆଡମିଟ୍ କାର୍ଡ, ପରୀକ୍ଷା ରେକର୍ଡ, ରେଜଲ୍ଟ ତିଆରି କରାଯିବ ।ଏହାଛଡା ସିବିଏସଇ ୧୦ମ ଏବଂ ୧୨ଶ ବୋର୍ଡ ପରୀକ୍ଷା ପାଇଁ ଅଟୋମେଟେଡ ପରମାନେଣ୍ଟ ଏକାଡେମିକ ଆକାଉଣ୍ଟ ରେଜିଷ୍ଟ୍ରି (APAAR)ଆଇଡି କରିବାକୁ ହେବ । ସିବିଏସଇ ଗାଇଡ ଲାଇନ୍ସରେ ସ୍କୁଲ ପ୍ରିନ୍ସିପାଲଙ୍କୁ ନିର୍ଦ୍ଦେଶ ଦିଆଯାଇଛି କି, ସେମାନେ APAAR ଆଇଡି ବିନା ଏଲଓସି ଅପଲୋଡ ନ କରନ୍ତୁ ।ତେବେ ସ୍କୁଲରେ ସେପ୍ଟେମ୍ବରରେ ଏଲଓସି ଅନଲାଇନ ଜମା କରିପାରିବେ । କୌଣସି ପଇସା ନ ଦେଇ ଏଲଓସି ଜମା କରିବାର ତାରିଖ ଅକ୍ଟୋବର ଯାଏଁ ରହିଛି । ଯଦି ଏହାପରେ ଏଲଓସି ଜମା କରିବେ, ଏଥିପାଇଁ ଶୁଳ୍କ ଦେବାକୁ ହେବ ।