୧୧ ବର୍ଷ ମଧ୍ୟରେ ଜନଧନ ଖାତାରେ ମୋଟ ଜମା ରାଶି ୨.୬୮ ଲକ୍ଷ କୋଟି: କେନ୍ଦ୍ର ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ୨୮ ଅଗଷ୍ଟ ୨୦୧୪ରେ ଆରମ୍ଭ ହୋଇଥିବା, ପ୍ରଧାନମନ୍ତ୍ରୀ ଜନଧନ ଯୋଜନା (ପିଏମ ଜେଡିୱାଇ) ବର୍ତ୍ତମାନ ଭାରତର ଆର୍ଥିକ ଦୃଶ୍ୟପଟରେ ଯୁଗାନ୍ତକାରୀ ପ୍ରଭାବର ୧୧ ବର୍ଷ ପୂରଣ କରୁଛି। ବିଶ୍ୱର ସର୍ବବୃହତ ଆର୍ଥିକ ଅନ୍ତର୍ଭୁକ୍ତିକରଣ ପଦକ୍ଷେପ ଭାବରେ, ପିଏମ ଜେଡିୱାଇ ଲକ୍ଷ ଲକ୍ଷ ବଞ୍ଚିତ ନାଗରିକଙ୍କ ପାଇଁ ବ୍ୟାଙ୍କିଂ ସୁବିଧାକୁ ପୁନଃପରିଭାଷିତ କରିଚାଲିଛି।କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଏହି ଅବସରରେ କହିଛନ୍ତି, ‘‘ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଆର୍ଥିକ ଅଭିବୃଦ୍ଧି ଏବଂ ବିକାଶର ଏକ ପ୍ରମୁଖ ବାହକ। ବ୍ୟାଙ୍କ ଖାତାଗୁଡ଼ିକର ସାର୍ବଜନୀନ ଉପଲବ୍ଧତା ଗରିବ ଏବଂ ବଞ୍ଚିତ ଲୋକମାନଙ୍କୁ ଆନୁଷ୍ଠାନିକ ଅର୍ଥବ୍ୟବସ୍ଥାରେ ସମ୍ପୂର୍ଣ୍ଣ ଭାବରେ ସାମିଲ ହେବାକୁ ଏବଂ ଏହାର ସୁଯୋଗରୁ ଲାଭ ପାଇବାକୁ ସକ୍ଷମ କରିଥାଏ।’’ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ବ୍ୟବହାର କରି ବିଭିନ୍ନ ଯୋଜନା ଅଧୀନରେ ସହାୟତା ପ୍ରଦାନ କରିବା, ଋଣ ସୁବିଧା ପ୍ରଦାନ କରିବା, ସାମାଜିକ ସୁରକ୍ଷା ପ୍ରଦାନ କରିବା ଏବଂ ସଞ୍ଚୟ ଓ ନିବେଶ ବୃଦ୍ଧି କରିବା ପାଇଁ ପିଏମ ଜେଡିୱାଇ ଏକ ପ୍ରମୁଖ ମାର୍ଗ ହୋଇଆସିଛି ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି।ବିଗତ ୧୧ ବର୍ଷ ମଧ୍ୟରେ, ୫୬ କୋଟିରୁ ଅଧିକ ଜନଧନ ଖାତା ଖୋଲାଯାଇଛି, ଯେଉଁଥିରେ ମୋଟ ୨.୬୮ ଲକ୍ଷ କୋଟି ଟଙ୍କା ଜମା ହୋଇଛି। ଡିଜିଟାଲ କାରବାରକୁ ସହଜ କରିବା ଲାଗି ୩୮ କୋଟିରୁ ଅଧିକ ମାଗଣା ରୂପେ କାର୍ଡ ଜାରି କରାଯାଇଛି ବୋଲି ଶ୍ରୀମତୀ ସୀତାରମଣ କହିଛନ୍ତି।ଅର୍ଥମନ୍ତ୍ରୀ ଆହୁରି କହିଛନ୍ତି, ପିଏମ ଜେଡିୱାଇ ଅଧୀନରେ, ୬୭% ଖାତା ଗ୍ରାମୀଣ କିମ୍ବା ଅର୍ଦ୍ଧ-ସହରାଞ୍ଚଳରେ ଖୋଲାଯାଇଛି ଏବଂ ୫୬% ଖାତା ମହିଳାମାନଙ୍କ ନାମରେ ରହିଛି । ଦେଶର ଉପାନ୍ତ ଅଞ୍ଚଳରେ ରହୁଥିବା ଅବହେଳିତ ବ୍ୟକ୍ତିମାନଙ୍କୁ କିପରି ଆନୁଷ୍ଠାନିକ ଆର୍ଥିକ କ୍ଷେତ୍ର ମଧ୍ୟକୁ ଅଣାଯାଇଛି ତାହା ଏଥିରୁ ପ୍ରମାଣିତ ହୋଇଛି ।

କେନ୍ଦ୍ର ଅର୍ଥ ରାଷ୍ଟ୍ର ମନ୍ତ୍ରୀ ପଙ୍କଜ ଚୌଧୁରୀ କହିଛନ୍ତି, ପିଏମ ଜେଡିୱାଇ କେବଳ ଦେଶରେ ନୁହେଁ ବରଂ ସାରା ବିଶ୍ୱରେ ସବୁଠାରୁ ସଫଳ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ପଦକ୍ଷେପ ମଧ୍ୟରୁ ଅନ୍ୟତମ ଅଟେ। ଜନଧନ ଯୋଜନା ସମ୍ମାନ, ସଶକ୍ତିକରଣ ଏବଂ ସୁଯୋଗ ଉପରେ ଆଧାରିତ।ସେ ଆହୁରି କହିଛନ୍ତି, ପ୍ରତ୍ୟେକ ପରିବାରର ଗୋଟିଏ ବ୍ୟାଙ୍କ ଖାତା ରହିବା ଉଚିତ ଏବଂ ପ୍ରତ୍ୟେକ ବୟସ୍କ ବ୍ୟକ୍ତିଙ୍କର ବୀମା ଓ ପେନସନ କଭରେଜ ରହିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ୨୦୨୧ ସ୍ୱାଧୀନତା ଦିବସ ଭାଷଣରେ ଘୋଷଣା କରିଥିଲେ। ଦେଶବ୍ୟାପୀ ବିଭିନ୍ନ ସମ୍ପୂର୍ଣ୍ଣତା ଅଭିଯାନ ମାଧ୍ୟମରେ ଏ ଦିଗରେ ନିରନ୍ତର ପ୍ରୟାସ ସହିତ ଆମେ ବ୍ୟାଙ୍କ ଖାତା ଖୋଲିବାରେ ପ୍ରାୟତଃ ପୂର୍ଣ୍ଣତା ହାସଲ କରିପାରିଛୁ ଏବଂ ସାରା ଦେଶରେ ବୀମା ଓ ପେନସନ ସୁବିଧାରେ ନିରନ୍ତର ବୃଦ୍ଧି ଘଟିଛି।ଅର୍ଥରାଷ୍ଟ୍ର ମନ୍ତ୍ରୀ କହିଛନ୍ତି, ଆମେ ଏକ ସମ୍ପୂର୍ଣ୍ଣତା ଅଭିଯାନ ଆରମ୍ଭ କରିଛୁ ଯେଉଁଠାରେ ଦେଶର ପ୍ରତ୍ୟେକ ୨.୭ ଲକ୍ଷ ପଞ୍ଚାୟତରେ ଅତି କମରେ ଗୋଟିଏ ଶିବିର ଅନୁଷ୍ଠିତ ହେବ । ସେଠାରେ ଯୋଗ୍ୟ ବ୍ୟକ୍ତିମାନେ ପିଏମ ଜେଡିୱାଇ ଖାତା ଖୋଲିପାରିବେ, ଜନସୁରକ୍ଷା ଯୋଜନାରେ ନାମାଙ୍କନ କରିପାରିବେ ଏବଂ ସେମାନଙ୍କର ପୁନଃ-କେୱାଇସି କରିପାରିବେ। ଏଥିସହିତ ସେମାନଙ୍କର ବ୍ୟାଙ୍କ ଖାତାରେ ନାମାଙ୍କନ ଅପଡେଟ୍ କରିପାରିବେ। ଆମର ପ୍ରୟାସ ହେଉଛି ସାଧାରଣ ଲୋକଙ୍କ ଦ୍ୱାରଦେଶରେ ଆର୍ଥିକ ସେବା ପହଞ୍ଚାଇବା। ଯଦିଓ ସମ୍ପୂର୍ଣ୍ଣତା ଅଭିଯାନ ୩୦ ସେପ୍ଟେମ୍ବରରେ ଶେଷ ହେବ, ପ୍ରାରମ୍ଭିକ ରିପୋର୍ଟଗୁଡ଼ିକ ଉତ୍ସାହଜନକ ଏବଂ ସେ ସମସ୍ତଙ୍କୁ ଏହି ଅଭିଯାନରୁ ସମ୍ପୂର୍ଣ୍ଣ ଲାଭ ଉଠାଇବାକୁ ଅନୁରୋଧ କରୁଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଚୌଧୁରୀ କହିଛନ୍ତି।ସେ ଆହୁରି କହିଛନ୍ତି, ସବୁ ଅଂଶୀଦାର, ବ୍ୟାଙ୍କ, ବୀମା କମ୍ପାନୀ ଏବଂ ରାଜ୍ୟ ସରକାରଙ୍କ ସମର୍ଥନରେ ଆମେ ଅଧିକ ଆର୍ଥିକ ଅନ୍ତର୍ଭୁକ୍ତିକରଣ ସମ୍ପନ୍ନ ସମାଜ ଆଡକୁ ଅଗ୍ରସର ହେଉଛୁ । ପିଏମ ଜେଡିୱାଇକୁ ଦେଶରେ ଆର୍ଥିକ ଅନ୍ତର୍ଭୁକ୍ତିକରଣ ବିପ୍ଳବ ଆଣିବାରେ ପ୍ରମୁଖ ଯୋଜନା ଭାବେ ମନେ ରଖାଯିବ ।

ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ମିଶନ ମୋଡରେ ଚାଲୁଥିବା ଶାସନର ଏକ ଗୁରୁତ୍ୱପୂର୍ଣ୍ଣ ଉଦାହରଣ । ଲୋକଙ୍କ କଲ୍ୟାଣ ପାଇଁ ପ୍ରତିବଦ୍ଧ ହେଲେ ସରକାର କ’ଣ ହାସଲ କରିପାରିବ ତାହା ମଧ୍ୟ ଏହି ଯୋଜନା ପ୍ରଦର୍ଶନ କରେ ବୋଲି ଶ୍ରୀ ପଙ୍କଜ ଚୌଧୁରୀ କହିଛନ୍ତି।ଆର୍ଥିକ ଅନ୍ତର୍ଭୂକ୍ତୀକରଣର ବିସ୍ତାରଦୃଢ଼ ଆର୍ଥିକ ଅନ୍ତର୍ଭୁକ୍ତିକରଣ ରଣନୀତି ମାଧ୍ୟମରେ ଉପାନ୍ତ ଏବଂ ଆର୍ଥିକ ଭାବରେ ପଛୁଆ ବର୍ଗକୁ ସମର୍ଥନ କରିବା ପାଇଁ ଅର୍ଥ ମନ୍ତ୍ରଣାଳୟ ପ୍ରତିବଦ୍ଧ। ପିଏମ ଜନ ଧନ ଯୋଜନା ବ୍ୟାଙ୍କ ସେବାରୁ ବଞ୍ଚିତ ପ୍ରତ୍ୟେକ ଲୋକମାନଙ୍କୁ, ଶୂନ୍ୟ ଜମାରାଶି ଏବଂ ରକ୍ଷଣାବେକ୍ଷଣ ଶୁଳ୍କରୁ ମୁକ୍ତ ଏକ ସାଧାରଣ ବ୍ୟାଙ୍କ ଖାତା ପ୍ରଦାନ କରିବା ସୁନିଶ୍ଚିତ କରିଥାଏ।

ପିଏମଜେଡିୱାଇ ଖାତାର ବୈଶିଷ୍ଟ୍ୟ:ସମ୍ପୂର୍ଣ୍ଣ କେୱାଇସି ଅନୁପାଳନକାରୀ ପିଏମଜେଡିୱାଇ ଖାତାରେ ଜମାରାଶି କିମ୍ବା କାରବାର ପରିମାଣର କୌଣସି ପ୍ରତିବନ୍ଧକ ନାହିଁ। ଏହା ଏକ ବିଏସବିଡି ଖାତା। ପିଏମଜେଡିୱାଇ ଖାତାଧାରୀଙ୍କୁ ନିମ୍ନଲିଖିତ ମାଗଣା ସୁବିଧା ପ୍ରଦାନ କରାଯାଇଛି:ବ୍ୟାଙ୍କ ଶାଖା ଏବଂ ଏଟିଏମ/ ସିଡିଏମରେ ନଗଦ ଜମା।ଯେକୌଣସି ଇଲେକ୍ଟ୍ରୋନିକ୍ ଚ୍ୟାନେଲ ମାଧ୍ୟମରେ କିମ୍ବା କେନ୍ଦ୍ର/ରାଜ୍ୟ ସରକାରୀ ଏଜେନ୍ସି ଏବଂ ବିଭାଗ ଦ୍ୱାରା ବାହାର କରାଯାଇଥିବା ଚେକ୍ ଜମା/ସଂଗ୍ରହ ମାଧ୍ୟମରେ ଟଙ୍କା ପ୍ରାପ୍ତି/କ୍ରେଡିଟ୍।ଗୋଟିଏ ମାସରେ କରାଯାଇ ପାରୁଥିବା ଜମା ସଂଖ୍ୟା ଏବଂ ମୂଲ୍ୟ ଉପରେ କୌଣସି ସୀମା ନାହିଁ।ଗୋଟିଏ ମାସରେ ସର୍ବନିମ୍ନ ଚାରି ଥର ମାଗଣା ଉଠାଣ, ମେଟ୍ରୋ ଏଟିଏମ ସମେତ ଯେକୌଣସି ଏଟିଏମରେ ଏଟିଏମ ଉଠାଣ ସୁବିଧା। ପରବର୍ତ୍ତୀ ଉଠାଣ ପାଇଁ ବ୍ୟାଙ୍କଗୁଡ଼ିକ ଦ୍ୱାରା ଶୁଳ୍କ ଆଦାୟ କରାଯାଇପାରିବ।୨ ଲକ୍ଷ ଟଙ୍କାର ଇନବିଲ୍ଟ ଦୁର୍ଘଟଣା ବୀମା କଭରେଜ୍ ସହିତ ମାଗଣା ରୂପେ ଡେବିଟ୍ କାର୍ଡ।ଦଶ ବର୍ଷରୁ ଅଧିକ ସମୟ ଧରି ପରିବର୍ତ୍ତନ:ଗତ ୧୧ ବର୍ଷ ଧରି, ପିଏମଜେଡିୱାଇ ଉଭୟ ଯୁଗାନ୍ତକାରୀ ଏବଂ ଦିଗଦର୍ଶନ ଆଧାରିତ ପରିବର୍ତ୍ତନ ଆଣିପାରିଛି। ଏହା ଗରିବ ଏବଂ ଉପାନ୍ତ ଅଞ୍ଚଳର ନାଗରିକମାନଙ୍କୁ ମଧ୍ୟ ସେବା ଯୋଗାଇବା ପାଇଁ ବ୍ୟାଙ୍କିଂ ଇକୋସିଷ୍ଟମକୁ ମଜବୁତ କରିଛି। ଏହି ଯୋଜନା ପ୍ରତ୍ୟକ୍ଷ ଲାଭ ସ୍ଥାନାନ୍ତର (ଡିବିଟି) ପାଇଁ ଏକ ମୂଳଦୁଆ ପାଲଟିଛି, ଯାହା ସରକାରୀ ସବସିଡି ଏବଂ ଦେୟର ସ୍ୱଚ୍ଛ, ଦକ୍ଷ ଏବଂ ଦୁର୍ନୀତିମୁକ୍ତ ବିତରଣକୁ ସକ୍ଷମ କରୁଛି।ଜନ ସୁରକ୍ଷା ଯୋଜନା – ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଭଳି ଯୋଜନା ମାଧ୍ୟମରେ ଅସଂଗଠିତ କ୍ଷେତ୍ରରେ ଲକ୍ଷ ଲକ୍ଷ ଶ୍ରମିକଙ୍କୁ ଜୀବନ ଏବଂ ଦୁର୍ଘଟଣା ବୀମା ବିସ୍ତାର କରିବାରେ ପିଏମଜେଡିୱାଇ ଖାତା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।

ଜେଏଏମ ତ୍ରୟର ବିଶେଷ ଲାଭ:ପିଏମଜେଡିୱାଇକୁ ଆଧାର କରି ଜନ-ଧନ-ଆଧାର-ମୋବାଇଲ୍ (ଜାମ) ତ୍ରୟ, ସବସିଡି ବିତରଣ ପାଇଁ ଏକ ପରିବର୍ତ୍ତନକାରୀ ବ୍ୟବସ୍ଥା ଭାବରେ ପ୍ରମାଣିତ ହୋଇଛି। ଜାମ ମାଧ୍ୟମରେ, ସରକାର ଦଲାଲ ଏବଂ ବିଳମ୍ବକୁ ଦୂର କରି କଲ୍ୟାଣକାରୀ ଯୋଜନା ସହାୟତାକୁ ସଫଳତାର ସହିତ ଅନୁନ୍ନତ ଲୋକଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ସ୍ଥାନାନ୍ତର କରିଛନ୍ତି। ୨୦୨୪-୨୫ ଆର୍ଥିକ ବର୍ଷରେ ବିଭିନ୍ନ ଯୋଜନା ଅଧୀନରେ ଡିବିଟି ଜରିଆରେ ବ୍ୟାଙ୍କ ଖାତାରେ ୬.୯ ଲକ୍ଷ କୋଟି ଟଙ୍କା ଜମା କରାଯାଇଥିଲା।ଆର୍ଥିକ ଅନ୍ତର୍ଭୁକ୍ତିକରଣ ଯୋଜନାର ସମ୍ପୂର୍ଣ୍ଣତା ଅଭିଯାନ (୦୧.୦୭.୨୦୨୫ – ୩୦.୦୯.୨୦୨୫): ବ୍ୟାଙ୍କଗୁଡ଼ିକ ୧ ଜୁଲାଇ, ୨୦୨୫ ରୁ ୩୦ ସେପ୍ଟେମ୍ବର, ୨୦୨୫ ପର୍ଯ୍ୟନ୍ତ କେୱାଇସି ବିବରଣୀ ସଂଶୋଧନ କରିବା, ନୂତନ ଖାତା ଖୋଲିବା ଏବଂ କ୍ଷୁଦ୍ର-ବୀମା ଓ ପେନସନ ଯୋଜନାକୁ ପ୍ରୋତ୍ସାହିତ କରିବା ପାଇଁ ଶିବିର ଆୟୋଜନ କରୁଛନ୍ତି। ବ୍ୟାଙ୍କିଂ ସେବାର ସର୍ବାଧିକ ବ୍ୟବହାର ଏବଂ ନିଷ୍କ୍ରିୟତାକୁ ରୋକିବା ପାଇଁ ଖାତାଧାରୀଙ୍କୁ ଶିକ୍ଷା ଦେବା ଉପରେ ନିରନ୍ତର ଗୁରୁତ୍ୱ ଦିଆଯାଉଛି। ଖାତାଧାରୀଙ୍କ ସହିତ ଯୋଗାଯୋଗ କରି ପିଏମଜେଡିୱାଇ ଅଧୀନରେ ନିଷ୍କ୍ରିୟ ଖାତାଗୁଡ଼ିକୁ ହ୍ରାସ କରିବା ପାଇଁ ବ୍ୟାଙ୍କଗୁଡ଼ିକ ମଧ୍ୟ ପ୍ରୟାସ କରୁଛନ୍ତି। ୧ ଜୁଲାଇ ୨୦୨୫ରେ ଅଭିଯାନ ଆରମ୍ଭ ହେବା ପରଠାରୁ ପ୍ରମୁଖ ଯୋଜନା ଅଧୀନରେ ହିତାଧିକାରୀଙ୍କ ପଞ୍ଜୀକରଣକୁ ସହଜ କରିବା ଏବଂ ଆର୍ଥିକ ସାକ୍ଷରତାକୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ ଜିଲ୍ଲାରେ ମୋଟ ୧,୭୭,୧୦୨ ଶିବିର ଆୟୋଜନ କରାଯାଇଛି।