
ଭଞ୍ଜନଗର ୨୮/୦୮ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗତ କିଛିଦିନର ଲଗାଣ ବର୍ଷା ପରେ ଫୁଲୁଛି ଡହ ଜଳଭଣ୍ଡାର। ଏବେ ଡ୍ୟାମ୍ ରେ ପ୍ରାୟ ୯୦ ପ୍ରତିଶତ ପାଣି ଗଚ୍ଛିତ ଥିବା ବେଳେ ଆଗକୁ ଲଘୁଚାପ ଜନିତ ଲଗାଣ ବର୍ଷା ଆଶଙ୍କା ରହିଛି। ଏଣୁ ଜଳସମ୍ପଦ ବିଭାଗ ଏବେ ଡହ ଓ ଲୋହରାଖଣ୍ଡି ନଦୀକୂଳିଆ ଗାଁ ଲୋକଙ୍କୁ ସତର୍କ ସୂଚନା ଜାରି କରିଥିବା ଡହ ଡ୍ୟାମ୍ ତଥା ଜଳସମ୍ପଦ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ପଞ୍ଚୁ ବେହେରା ସୂଚନା ଦେଇଛନ୍ତି। ଯଦି ଲଗାଣ ବର୍ଷା ହୁଏ ତେବେ ଯେକୌଣସି ମୁହୂର୍ତ୍ତରେ ଡହ ଜଳଭଣ୍ଡାରରୁ ଉଦ୍ବୃତ୍ତ ଜଳ ମୁଖ୍ୟ କେନାଲ ଦେଇ ନଦୀରେ ଛଡ଼ାଯିବ। ତେଣୁ ଏହି ସମୟରେ ନଦୀ ଭିତରକୁ କେହି ବ୍ୟକ୍ତିବିଶେଷ ନଯିବାକୁ ତଥା ଗୃହପାଳିତ ପଶୁ ମାନଙ୍କୁ ମଧ୍ୟ ନଛାଡ଼ିବାକୁ ସତର୍କ ସୂଚନା ଜାରି କରିଛି ଜଳସମ୍ପଦ ବିଭାଗ।
ଜଳଭଣ୍ଡାରର ସୁରକ୍ଷା ନିମନ୍ତେ ଉଦ୍ବୃତ୍ତ ଜଳକୁ ଯେକୌଣସି ସମୟରେ ନିର୍ଗମନ ପଥ ମାଧ୍ୟମରେ ସତର୍କ ଘଣ୍ଟି ବଜାଇ ଡହ ନଦୀ ମଧ୍ୟକୁ ଛଡ଼ାଯାଇ ପାରେ। ଏଣୁ ଜଳଭଣ୍ଡାରର ନିମ୍ନ ଅବବାହିକାରେ ଥିବା ଡହ ଓ ଲୋହରାଖଣ୍ଡି ନଈକୂଳିଆ ଗ୍ରାମବାସୀ ତଥା ସର୍ବ ସାଧାରଣଙ୍କୁ ସତର୍କ କରାଯାଇଛି। ବିଶେଷକରି ଲୋହରାଖଣ୍ଡି ନଦୀରେ ଉଦ୍ବୃତ୍ତ ଜଳ ପ୍ରବାହିତ ହେଲେ ଏହାର ପ୍ରଭାବ ଭଞ୍ଜନଗର ବ୍ଲକ୍ର ଡୁମାକୁମ୍ପା, ସାନକୋଦଣ୍ଡା, ବଡ଼କୋଦଣ୍ଡା, ବାଉଁଶଲୁଣ୍ଡି ପଞ୍ଚାୟତ ଉପରେ ପଡ଼ିବା ଆଶଙ୍କା ଦୃଷ୍ଟିରୁ ବିଭାଗ ପକ୍ଷରୁ ଏସବୁ ପଞ୍ଚାୟତର ନିର୍ବାଚିତ ଜନପ୍ରତିନିଧି ଙ୍କୁ ସୂଚନା ଦିଆଯାଇଛି । ଡହ ଜଳସେଚନ ଉପବିଭାଜନ ଅନ୍ତର୍ଗତ ସମସ୍ତ ପାଣି ପଞ୍ଚାୟତର ସଭାପତି ଓ ସମ୍ପାଦକ ଙ୍କ ସମେତ ଭଞ୍ଜନଗର ଉପଜିଲ୍ଲାପାଳ, ଉଭୟ ଭଞ୍ଜନଗର ଓ ବେଲଗୁଣ୍ଠା ବିଡିଓ ଏବଂ ତହସିଲଦାରଙ୍କୁ ସୂଚନା
ଦିଆଯାଇଥିବା ଇଂ ଶ୍ରୀ ବେହେରା ସୁଚନା ଦେଇଛନ୍ତି।