
ରାୟଗଡା: ମାଆଙ୍କ ମନ୍ଦିର ନେବ ନୂଆ ରୂପ । ରାୟଗଡା ସହରବାସୀଙ୍କ ପାଇଁ ଖୁସି ଖବର । ପୂରଣ ହେବାକୁ ଯାଉଛି ସହରବାସୀଙ୍କ ଦୀର୍ଘ ବର୍ଷର ଆଶା । ରାୟଗଡା ସହର ଅଧିଷ୍ଠାତ୍ରୀ ଦେବୀ ମାଁ ମଝିଘରିଆଣୀଙ୍କ ମନ୍ଦିରର ପୁନଃବିନ୍ୟାସ ହେବ । ଏଥିପାଇଁ ରାଜ୍ୟ ସରକାର ୪୦ କୋଟି ଟଙ୍କା ପୁଞ୍ଜି ନିବେଶ କରିବେ । ମନ୍ଦିରର କଳେବରରେ ପରିବର୍ତ୍ତନ ହେବ । ରାୟଗଡା ସହରର ଅଧିଷ୍ଠାତ୍ରୀ ଦେବୀ ମାଁ ମଝିଘରିଆଣୀଙ୍କ ମନ୍ଦିରର ସର୍ବାଙ୍ଗୀନ ଉନ୍ନତି ପାଇଁ ଆଜି ଶୁଭ ପଡ଼ିଛି । ଆଜିଠାରୁ ନିର୍ମାଣ କାମ ଆରମ୍ଭ ହେବ ।ଯାତ୍ରୀଙ୍କ ଠାରୁ ଆରମ୍ଭ କରି ଦୂରଦୂରାନ୍ତରୁ ଆସୁଥିବା ଭକ୍ତଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହାଦ୍ୱାରା ଭକ୍ତମାନେ ଅତି ସୁବିଧାରେ ମା’ଙ୍କ ଦର୍ଶନ କରିବା ସହିତ ଆବଶ୍ୟକୀୟ ସମସ୍ତ ପ୍ରକାର ସୁବିଧା ପାଇପାରିବେ । ମନ୍ଦିରର ସର୍ବାଙ୍ଗୀନ ଉନ୍ନତି ନେଇ ଏକ ଖସଡ଼ା ପ୍ରସ୍ତୁତ କରାଯାଇଛି । ଭବ୍ୟ ମନ୍ଦିରର ପ୍ରବେଶ ଦ୍ଵାର, ମୁଖଶାଳା ଯାତ୍ରୀ ନିବାସ, ପ୍ରସାଦ ସେବନ ଘର, ମାର୍କେଟ କମ୍ପ୍ଲେକ୍ସ, ପ୍ରଶାସନିକ କାର୍ଯ୍ୟଳୟ ସବୁ ସୁନ୍ଦର ଭାବେ ନିର୍ମାଣ ହେବ ।ଏକ ବର୍ଷ ସମୟ ସୀମା ଭିତରେ ସମସ୍ତ ନିର୍ମାଣ କାମ ଶେଷ କରିବାକୁ ଲକ୍ଷ ରଖାଯାଇଛି । ମା’ଙ୍କ ମନ୍ଦିରରେ ଦିନକୁ ଦିନ ବଢିଚାଲିଛି ଭକ୍ତଙ୍କ ସମାଗମ ଯାହାକୁ ଦୃଷ୍ଟିରେ ରଖି ମନ୍ଦିର ନିର୍ମାଣ ଯୋଜନା ପ୍ରସ୍ତୁତ ହୋଇଛି । ଦୂରଦୂରାନ୍ତରୁ ଆସୁଥିବା ସମସ୍ତ ଯାତ୍ରୀଙ୍କ ରହିବା ବ୍ୟବସ୍ଥା ମଧ୍ୟ କରାଯିବ । ତେବେ ମା’ ମଝିଘରିଆଣିଙ୍କ ମନ୍ଦିର ଦାନହୁଣ୍ଡିରୁ ପ୍ରତିବର୍ଷ କୋଟି କୋଟି ଟଙ୍କା ବାହାରୁଛି । ଦେବୋତ୍ତର ବିଭାଗ ଯାତ୍ରୀଙ୍କ ଶ୍ରଦ୍ଧା ଓ ଆଗ୍ରହକୁ ଦୃଷ୍ଟିରେ ରଖି ମନ୍ଦିରର ବିକାଶ ପାଇଁ ହାତ ବଢାଇଛନ୍ତି । ଏହାକୁ ନେଇ ସହରବାସୀ ବେଶ ଖୁସି ଅଛନ୍ତି ।