
ଭୁବନେଶ୍ୱର : ଦେଶରେ ଟପ୍ ଟେନ୍ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ତାଲିକାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଇଣ୍ଡିଆ ଟୁଡେ ମୁଡ ଅଫ ଦି ନେସନ ପୋଲରେ ଅଷ୍ଟମ ରାଙ୍କ ଅଧିକାର କରିଛନ୍ତି ମୋହନ। ନିଜ ରାଜ୍ୟରେ ୩୪.୨ ପ୍ରତିଶତ ଲୋକ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କାର୍ଯ୍ୟକୁ ମୋହର ମାରିଛନ୍ତି ।ଏହି ତାଲିକାରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ୩୮.୧ ପ୍ରତିଶତ ରଖି ସପ୍ତମ ସ୍ଥାନରେ ଥିବା ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୩୦ ପ୍ରତିଶତ ସହ ନବମ ସ୍ଥାନରେ ଅଛନ୍ତି । ଦୁଇଜଣ ଅଭିଜ୍ଞ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ମୋହନ ମାଝୀ ଅଛନ୍ତି । ଯାହା ତାଙ୍କ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଉପଲବ୍ଧି ।ନିଜ ରାଜ୍ୟରେ କିଏ କେତେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ । ସପ୍ତମରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ । ନବମରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏହି ଦୁଇ ଅଭିଜ୍ଞ ମୁଖ୍ୟମନ୍ତ୍ରୀଙ୍କ ମଝିରେ ଅଷ୍ଟମ ସ୍ଥାନରେ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅଛନ୍ତି ।ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେର ସର୍ଭେ ମୁଡ ଅଫ ଦି ନେସନରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶ୍ରେଷ୍ଠ ୧୦ ଭିତରେ ରହିଛନ୍ତି । ୩୪.୨ ପ୍ରତିଶତ ସହ ଶ୍ରେଷ୍ଠ ୧୦ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଅଷ୍ଟମ ସ୍ଥାନରେ ରହିଛନ୍ତି ମୋହନ ମାଝୀ। ଏହି ତାଲିକାରେ ସବୁଠୁ ଆଗରେ ରହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା। ତାଙ୍କୁ ମିଳିଛି ୪୪.୬ ପ୍ରତିଶତ ରେଟିଂ।ଦ୍ବିତୀୟରେ ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ୪୧.୯ ପ୍ରତିଶତ ରେଟିଂ ପାଇ ଦ୍ବିତୀୟରେ ଅଛନ୍ତି। ତୃତୀୟରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ୪୧.୯ ପ୍ରତିଶତ, ଚତୁର୍ଥରେ ଭୂପେନ୍ଦ୍ର ପଟେଲ ୪୦.୭ ପ୍ରତିଶତ, ପଞ୍ଚମରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୪୦.୪ ପ୍ରତିଶତ, ଷଷ୍ଠ ସ୍ଥାନରେ ରହିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ୩୯.୨ ପ୍ରତିଶତ ।୩୮.୧ପ୍ରତିଶତ ସହ ସପ୍ତମରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ। ଅଷ୍ଟମରେ ଓଡିଶା ମୁଖ୍ୟମନ୍ତ୍ରୀ ମାଝୀଙ୍କୁ ୩୪.୨ ପ୍ରତିଶତ ମିଳିଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୩୦.୧ ପ୍ରତିଶତ ପାଇ ନବମ ସ୍ଥାନରେ ରହିଛନ୍ତି ।ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ସିଂ ମାନ ୨୯.୯ ପ୍ରତିଶତ ପାଇଁ ଦଶମ ସ୍ଥାନରେ ଅଛନ୍ତି। ରାଜ୍ୟରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ ଆଲୋଚନା ଚାଲିଥିବା ବେଳେ ଏହି ସର୍ଭେର ଫଳାଫଳ ଆସିଛି। ଏହା ରାଜ୍ୟରେ ତାଙ୍କ ନେତୃତ୍ବ କୁ ଆହୁରି ସଶକ୍ତ କରିବାରେ ସହାୟକ ହେବ।ଗତ ଜୁନ୍ ମାସରେ ବିଜେପି ସରକାରଙ୍କ ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଭୁବନେଶ୍ବର ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବିଜେପି ସରକାରର ପ୍ରଥମ ବର୍ଷ ପୂର୍ତ୍ତି ସମାରୋହରେ ମୋହନ ମାଝୀଙ୍କୁ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ ମୋଦି। କେନ୍ଦ୍ରୀୟ ନେତୃତ୍ବ ମୋହନଙ୍କ ଉପରେ ଆସ୍ଥା ରଖିଥିବା ଏହା ଦର୍ଶାଇଥିଲା ଏବେ ଏହି ସର୍ଭେ ରିପୋର୍ଟ ଆସିବା ପରେ ଜାତୀୟ ସ୍ତରରେ ମୋହନ ମାଝୀଙ୍କୁ ସ୍ବୀକୃତି ମିଳିଛି ।ଫଳରେ ଓଡିଶା ଓ ଜାତୀୟ ସ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସ୍ଥିତିକୁ ଆହୁରି ସୁଦୃଢ କରିବ ଏଥିରେ ଆଦୌ ସନ୍ଦେହ ନାହିଁ। ଗୁରୁତ୍ବପୂର୍ଣ୍ଣ କଥା ୧୦ରୁ ଅଧିକ ଲୋକସଭା ଆସନ ଥିବା ବଡ ବଡ ରାଜ୍ୟଗୁଡିକରେ ଏହି ସର୍ଭେ କରାଯାଇଥିଲା ।