ଭଞ୍ଜନଗର: ବଢିଲା ଜଳସ୍ତର, ଖୋଲିଲା ଗେଟ୍

ଭଞ୍ଜନଗର ୦୨/୦୯ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗତ କିଛି ଦିନର ଲଘୁଚାପଜନିତ ଲଗାଣ ବର୍ଷାରେ ଭଞ୍ଜନଗର ଜଳସେଚନ ବିଭାଗ ଅଧୀନରେ ଥିବା ବିଭିନ୍ନ ଜଳଭଣ୍ଡାରର ଜଳସ୍ତର ବଢିବାରେ ଲାଗିଛି। ଉପର ମୁଣ୍ଡରେ ବର୍ଷା ହେଉଥିବାରୁ ଡହ, ଭଞ୍ଜନଗର ଓ ସୋରଡ଼ା ଜଳଭଣ୍ଡାରର ଜଳସ୍ତର ଦୃତଗତିରେ ବୃଦ୍ଧି ଘଟୁଛି। ବର୍ଷା ଲାଗି ରହିଥ‌ିିବାରୁ ଜଳଭଣ୍ଡାରରେ ଶତପ୍ରତିଶତ ପାଣି ପୂର୍ଣ୍ଣ ହେବାର ସମ୍ଭାବନା ରହିଛି। ଜଳଧାରଣ କ୍ଷମତାକୁ ଦୃଷ୍ଟିରେ ରଖି ମଙ୍ଗଳବାର ଡହ ଜଳଭଣ୍ଡାରର ଗୋଟିଏ ଗେଟ୍ ଖୋଲାଯାଇଛି। ଗଞ୍ଜାମ ଓ କନ୍ଧମାଳ ଜିଲ୍ଲା ସୀମାନ୍ତ ଡହ ଜଳଭଣ୍ଡାରର ଜଳଧାରଣ କ୍ଷମତା ୨୧୯୫.୦୦ ହେକ୍ଟୋମିଟର ରହିଥ‌ିବା ବେଳେ ମଙ୍ଗଳବାର ସକାଳ ସୁଦ୍ଧା ୯୮ ପ୍ରତିଶତ ପାଣି ଜଳଭଣ୍ଡାରରେ ଗଚ୍ଛିତ ରହିଥିଲା । ଉପର ମୁଣ୍ଡରେ ବର୍ଷା ହେଉଥିବାରୁ ଜଳଭଣ୍ଡାରରେ ଶତପ୍ରତିଶତ ପାଣି ପୂର୍ଣ ହେବାର ସମ୍ଭାବନା ରହିଥ‌ିବାରୁ ଡହ ଜଳଭଣ୍ଡାରର ଗୋଟିଏ ଗେଟ୍ ଖୋଲାଯାଇ ନଦୀକୁ ପାଣି ଛଡା ଯାଇଛି। ଏନେଇ ଜଳଭଣ୍ଡାରର ନିମ୍ନ ଅବବାହିକାରେ ଥିବା ଡହ ଓ ଲୋହରାଖଣ୍ଡି ନଈକୂଳିଆ ଗ୍ରାମବାସୀ ତଥା ସର୍ବ ସାଧାରଣଙ୍କୁ ସତର୍କ କରାଯାଇଥିଲା। ବିଶେଷକରି ଲୋହରାଖଣ୍ଡି ନଦୀରେ ଉଦ୍‌ବୃତ୍ତ ଜଳ ପ୍ରବାହିତ ହେଲେ ଏହାର ପ୍ରଭାବ ଭଞ୍ଜନଗର ବ୍ଲକ୍‌ର ଡୁମାକୁମ୍ପା, ସାନକୋଦଣ୍ଡା, ବଡ଼କୋଦଣ୍ଡା, ବାଉଁଶଲୁଣ୍ଡି ପଞ୍ଚାୟତ ଉପରେ ପ୍ରଭାବ ପଡ଼ିବା ଆଶଙ୍କା ଦୃଷ୍ଟିରୁ ଜଳସମ୍ପଦ ବିଭାଗ ପକ୍ଷରୁ ଏସବୁ ପଞ୍ଚାୟତର ନିର୍ବାଚିତ ଜନପ୍ରତିନିଧି ଙ୍କୁ ସୂଚନା ଦିଆଯାଇଥିଲା ବୋଲି ଇଂ ଶ୍ରୀ ବେହେରା ସୁଚନା ଦେଇଛନ୍ତି।