ଛତିଶା ନିଯୋଗ ବୈଠକ ଶେଷ, ଚନ୍ଦ୍ରଗ୍ରହଣ ନୀତି ନିର୍ଘଣ୍ଟକୁ ଅନୁମୋଦନ

ପୁରୀ : ଛତିଶା ନିଯୋଗ ବୈଠକ ଶେଷ ହୋଇଛି । ସେପ୍ଟେମ୍ବର ୭ ତାରିଖ ଚନ୍ଦ୍ରଗ୍ରହଣ ନୀତି ନିର୍ଘଣ୍ଟକୁ ଛତିଶା ନିଯୋଗ ବୈଠକରେ ଅନୁମୋଦନ ମିଳିଛି। ରାତ୍ର ୨ ଟାରୁ ଫିଟିବ ଦ୍ବାର । ୨ଟା ୪୦ରେ ମଙ୍ଗଳ ଆଳତି ବଢି ଅନ୍ୟାନ ନୀତିକାନ୍ତି ହେବ । ଦିନ ୧୨ ଟା ୩୦ ସୁଦ୍ଧା ସମସ୍ତ ନୀତିକାନ୍ତି ଅନୁଷ୍ଠିତ ହେବ । ଗ୍ରହଣ ସ୍ପର୍ଶ ପରେ ଗ୍ରହଣ ମହାସ୍ନାନ କରାଯାଇ ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହେବ । ବୈଠକ ପରେ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଏ ନେଇ ସୂଚନା ଦେଇଛନ୍ତି।ସେହିପରି ଧାଡ଼ି ଦର୍ଶନ ପାଇଁ କିଭଳି ପ୍ରସ୍ତୁତି ହେବ ସେନେଇ ଆଲୋଚନା ହୋଇଛି । ପରୀକ୍ଷାମୂଳକ ଭାବେ ପ୍ରଥମେ ଧାଡ଼ି ଦର୍ଶନ ହେବ । ସମସ୍ତ ନିଯୋଗ ସହିତ ଏନେଇ ଆଲୋଚନା ହୋଇଛି । ଆସନ୍ତାକାଲି ପରିଚାଳନା କମିଟି ବୈଠକରେ ଏନେଇ ବିସ୍ତୃତ ଆଲୋଚନା କରାଯିବ । ମହାପ୍ରଭୁଙ୍କ ପୂଜା ଓ ଦର୍ଶନ ନାଁରେ ଅନଲାଇନରେ ଫେକ୍ ଓ୍ବେବସାଇଟ ଖୋଲିଥିବା ସଂସ୍ଥା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ପୋଲିସ ସହ ଆଲୋଚନା କରାଯାଇଛି । ଏ ନେଇ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ସୂଚନା ଦେଇଛନ୍ତି ।