
ଭଞ୍ଜନଗର ୦୩/୦୯ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଅଗଷ୍ଟ ମଧ୍ୟ ଭାଗରେ ହଠାତ୍ ବର୍ଷା ଗାଏବ ହୋଇଗଲା। ଫଳରେ ଭଞ୍ଜନଗର ଉପଖଣ୍ଡ ସମେତ ଗଞ୍ଜାମ ଜିଲ୍ଲାବ୍ୟାପୀ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ବିଶେଷ କରି ଭଞ୍ଜନଗର ଉପଖଣ୍ଡର ବେଲଗୁଣ୍ଠା,ସୋରଡ଼ା,ଜଗନ୍ନାଥପ୍ରସାଦ ଓ ବୁଗୁଡ଼ା ସମେତ ଆଉ କେତେକ ବ୍ଲକ୍ ସାଂଘାତିକ ଭାବେ ପ୍ରଭାବିତ ହୋଇଥିଲା । ଏହି ଚାରି ବ୍ଲକ୍ ସମେତ ଜିଲ୍ଲାର ଅନ୍ୟ ସ୍ଥାନରେ ବିଲ ଫାଟି ଆଁ କରିଥିବା ଦେଖିବାକୁ ମିଳିଥିଲା। ଏଣୁ ଚାଷୀମାନେ ମରୁଡ଼ି ଆଶଙ୍କାରେ ଭୟଭୀତ ହୋଇ ପଡ଼ିଥିଲେ। ସପ୍ତାହକ ମଧ୍ୟରେ ବର୍ଷା ନ ହେଲେ ପରିସ୍ଥିତି ଆହୁରି ଜଟିଳ ହୋଇପଡ଼ିବ ବୋଲି ଖୋଦ୍ କୃଷି ବିଭାଗ ପକ୍ଷରୁ କୁହାଯାଇଥିଲା। ମାତ୍ର ଲଘୁଚାପ ଜନିତ ବର୍ଷା ଏବେ ଚାଷୀ ମାନଙ୍କୁ ଆଶ୍ଵସ୍ତି ଆଣି ଦେଇଛି। କିନ୍ତୁ ଏବେ ବଜାରରେ ୟୁରିଆ ସାର ସାଂଘାତିକ ଭାବେ କଳାବଜାରୀ ହେଉଛି। ଭଞ୍ଜନଗର ଓ ଆଖପାଖ ଅଞ୍ଚଳରେ ରାସାୟନିକ ସାରର ଅଭାବ ପରିଲକ୍ଷିତ ହୋଇଛି। ଧାନ ରୁଆ କାର୍ଯ୍ୟ ସରିବା ପରେ ଏବେ ସାରର ଆବଶ୍ୟକତା ଥିବା ବେଳେ ରିହାତି ଦରରେ ଚାଷୀଙ୍କୁ ସାର ନଦେଇ ବେପାରୀମାନେ ଚଢ଼ା ଦରରେ ବିକ୍ରୀ କରୁଥିବା ଚାଷୀ ଅଭିଯୋଗ କରିଛନ୍ତି।
ସୁଚନାନୁସାରେ, ଚଳିତ ବର୍ଷ ଭଞ୍ଜନଗର ଉପଖଣ୍ଡ ଅଧିନ ୮ଟି ବ୍ଲକରେ ପ୍ରାୟ ୬୦ ହଜାର ହେକ୍ଟର ଚାଷ ଜମିରେ ଖରିଫ ଧାନ ଚାଷ କରାଯାଇଛି। ନିଅଣ୍ଟିଆ ବର୍ଷା ଯୋଗୁ ଯେଉଁ ଯେଉଁ ବ୍ଲକ୍ରେ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା, ଲଗାଣ ବର୍ଷା ହୋଇଯିବା ଯୋଗୁ ପରିସ୍ଥିତିରେ ସୁଧାର ଆସିଯାଇଛି। ହେଲେ ସଠିକ୍ ସମୟରେ ଭଞ୍ଜନଗର ରେ ସାର ଅଭାବ ଦେଖାଦେଇଛି। ଭଞ୍ଜନଗର ସମେତ ଆଖପାଖ ଅଞ୍ଚଳରେ ସାର କଳାବଜାରୀ ହେଉଥିବା ନେଇ ଚାଷୀ ଅଭିଯୋଗ କରିଛନ୍ତି। ଫଳରେ ଚାଷୀମାନେ ଖୋଲା ବଜାରରୁ ଚଢ଼ା ଦରରେ ସାର କିଣି ସର୍ବସ୍ୱାନ୍ତ ହେଉଛନ୍ତି। ସରକାର ସାର ଯୋଗାଣରେ ପରିଚାଳନାଗତ ଅବ୍ୟବସ୍ଥା ଯୋଗୁ ଚାଷୀ ମହଲରେ ଅସନ୍ତୋଷ ଦେଖାଦେଇଛି। ବିଶେଷ ଭାବରେ ୟୁରିଆ ସାରର ଉତ୍କଟ ଅଭାବ ଦେଖାଦେଇଛି। ସରକାରୀ ଭାବେ ୟୁରିଆ ୨୬୬.୫୦, ଡିଏପି ୧୩୫୦ ଓ ପଟାସ ୧୫୦୦ ଟଙ୍କା ଦର ଧାର୍ଯ୍ୟ ଥିବାବେଳେ ଖୋଲା ବଜାରରୁ ଚାଷୀ ଏହି ସବୁ ସାର ଦୁଇ ଗୁଣା ଦରରେ କିଣୁଛନ୍ତି। ଏହାର ଫାଇଦା କିଛି ମୁନାଫାଖୋର ବ୍ୟବସାୟୀ ଉଠାଉଛନ୍ତି। ଯେହେତୁ ସମବାୟ ସମିତିଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣରେ ସାର ଠିକ୍ ଭାବେ ପହଞ୍ଚିପାରୁନାହିଁ, ସେଥିପାଇଁ ଏହି ସମସ୍ୟା ଉପୁଜିଥିବା ଜଣାପଡିଛି।