
ବାଲେଶ୍ବର: ଲଗାଣ ବର୍ଷାରେ ପ୍ରଭାବିତ ହୋଇଛି ବାଲେଶ୍ୱର ଜିଲ୍ଲା । ପାଣିରେ ରାସ୍ତା ଘାଟ ବୁଡିଯାଇଛି। ରାସ୍ତା ବର୍ତ୍ତମାନ ନଦୀର ଭ୍ରମ ସୃଷ୍ଟି କରିଛି। ଏପରିକି ପ୍ରବଳ ବର୍ଷାଯୋଗୁ ବାଲେଶ୍ବର ସହରରେ ପୋଷ୍ଟ ଅଫିସ୍ ଭିତରେ ପାଣି ପଶି ଯାଇଛି । ଫଳରେ ପାଣିରେ ଭାସୁଛି ୫ ଶହ ଟଙ୍କିଆ ନୋଟ୍ ଓ ଲୋକଙ୍କ ପାସବୁକ୍ । ଏହାସହିତ କମ୍ପ୍ୟୁଟର ପ୍ରିଣ୍ଟର ମେସିନ ଓ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ମଧ୍ୟ ପାଣିରେ ଭାସୁଛି ।ସହରର ତଳିଆ ଅଞ୍ଚଳରେ ବିଭିନ୍ନ ଗଳି, ଛକ, ରାସ୍ତାରେ ୨/୩ ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେଉଛି । ଚିଡିଆପୋଲ, ନୁଆସାହି, ତେଲେଙ୍ଗା ସାହି ଛକ ଆଦିରେ ବର୍ଷା ଜଳ ଜମି ରହି ଯାତାୟାତ ବାଧାପ୍ରାପ୍ତ ହୋଇଛି । ଏପରିକି ଅରଡ଼ ବଜାର ଓ କଂଗ୍ରେସ ଗଳିରେ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି । ବହୁ ଦୋକାନ ଓ ଘର ଭିତରେ ବର୍ଷା ପାଣି ପ୍ରବେଶ କରି ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।