
ଭଞ୍ଜନଗର ୦୩/୦୯ ( ଅମରେନ୍ଦ୍ର କୁମାର ପଟ୍ଟନାୟକ)
ଆପଣ ଯେଉଁଦିନ ମରିଯିବେ, କିଛି ସମୟ କନ୍ଦାକଟା ଜୋରରେ ଶୁଭିବ, ତାପରେ ଆପଣଙ୍କ ଅତି ନିଜର ଲୋକମାନେ ଆପଣଙ୍କୁ ଶବ ବା ମଢା ବୋଲି ସମ୍ବୋଧନ କରି ଶୀଘ୍ର ପୋଡ଼ି ଦେବାକୁ ପ୍ରସ୍ତୁତ ହେବେ। ଆପଣଙ୍କ ଆଉ କିଛି ସମ୍ପର୍କୀୟମାନେ ଶବଦାହକୁ ଆସିବେ, କିନ୍ତୁ ଛୁଆଁ ହୋଇଯିବେ ବୋଲି ଦୂରରେ ରହି କିଛି ସମୟ ପରେ ଚାଲିଯିବେ। ଦଶା ତୁଠରେ ବନ୍ଧୁ ବାନ୍ଧବ ମାନେ ଏମିତି ହସ ଖୁସିରେ ସମୟ କାଟୁଥିବେ ଯେ ସତେ ଯେମିତି କିଛି ହୋଇନି। ଆଉ କିଛି ସମ୍ପର୍କୀୟ ଆପଣଙ୍କ ବିୟୋଗରେ ଦୁଃଖ ପ୍ରକାଶ ବଦଳରେ ଦଶା ତୁଠ ଲୁଗାର ଖୁଣ କାଢ଼ୁଥିବେ। ଏକାଦଶାହ ଦିନ ଆମିଷ ବା ନିରାମିଷ ଭୋଜି ଖାଇ ଯିଏ ଯୁଆଡେ ଚାଲିଯିବେ। ଗୋଟିଏ ବା ଦୁଇଟି ସପ୍ତାହ ଆପଣଙ୍କୁ ନେଇ ସୋସିଆଲ ମିଡିଆରେ ବନ୍ଧୁ ପରିଜନ ଓଁ ଶାନ୍ତି କିମ୍ବା ଦୁଃଖପୂର୍ଣ୍ଣ ଇମୋଜି ସହ ଆପଣଙ୍କ ଆତ୍ମାର ସଦଗତି ନେଇ ମେସେଜ ପୋଷ୍ଟ କରିବେ ଓ ତାଙ୍କ କର୍ତ୍ତବ୍ୟ ସରିଗଲା ବୋଲି ଭାବି ନେବେ। ଆପଣଙ୍କ ଫୋନ ନମ୍ବରରେ ରିଙ୍ଗ୍ ଆସିବା ଧିରେ ଧିରେ ବନ୍ଦ ହେଇଯିବ । ତା’ପରେ ସମସ୍ତଙ୍କ ଜୀବନ ସ୍ୱାଭାବିକ ହୋଇଯିବ। ଆପଣଙ୍କ ସାଙ୍ଗ ସାଥୀ, ପରିବାର ଲୋକ ମଧ୍ୟ ଧୀରେ ଧୀରେ ଆପଣଙ୍କ ବିନା ଆଗକୁ ବଢ଼ିବେ ।
ଆପଣଙ୍କର ସଞ୍ଚୟ କାଗଜ ପତ୍ର ଖୋଜାଯିବ ଓ ସବୁକିଛି ପାଇଁ ନୋମିନି ଫର୍ମ ଭରା ଯିବ। ପୁଅ ମୃତ୍ୟୁ ପ୍ରମାଣପତ୍ର ପାଇବା ପାଇଁ ଧାଡ଼ିରେ ଠିଆ ହେବ। ମାସ ଦୁଇଟା ପରେ ଲାଗିବ ସତେ ଯେମିତି କିଛି ହୋଇନାହିଁ । ଆଉ କିଛି ମାସ ପରେ ଅପଣଙ୍କୁ ସମସ୍ତେ ଭୁଲିଯିବେ। ବର୍ଷକ ପରେ ଧୁମ୍ ଧାମ୍ ରେ ପ୍ରଥମ ଶ୍ରାଦ୍ଧ ରେ ଆପଣଙ୍କୁ କମ୍ ମନେ ପକାଇବେ, ଭୋଜି ଭାତ କୁ ଅଧିକ ଗୁରୁତ୍ଵ ଦେବେ। ବାସ୍, ଏହାହିଁ ଆପଣଙ୍କ ଜୀବନ। ଆପଣ ଯେଉଁମାନଙ୍କୁ ସବୁଠାରୁ ନିଜର ବୋଲି ଭାବୁଥିବେ, ସେମାନଙ୍କ ମଧ୍ୟରୁ କିଛି ଲୋକ ଆପଣଙ୍କ ଅନ୍ତିମ ସମୟରେ ମଧ୍ୟ ଆସିବେ ନାହିଁ । ଯେଉଁ ମାନଙ୍କୁ ଆପଣ ଅଧିକ ସମୟ ଦେଇଥିବେ, ସେହିମାନେ ସମୟ ନାହିଁ କହି ଦୁରେଇଯିବେ ।
ସତ୍ୟ ହେଉଛି: ଆମେ ସମସ୍ତେ ଦିନେ ମରିବା । ଆମ ମରଣରେ ଦୁନିଆ ଅଟକି ଯିବନି । କିଛି ମୁହୂର୍ତ୍ତ ମନେ ପକାଇବେ, ତା ପରେ ସବୁ କିଛି ସ୍ୱାଭାବିକ। ଆପଣ କେବଳ ଫଟୋରେ ରହିଯିବେ ତା ପୁଣି ଅଳନ୍ଧୁ ସହ ।
ତେଣୁ ଆପଣ ଅନ୍ୟମାନଙ୍କ ପାଇଁ କାହିଁକି ବଞ୍ଚୁଛନ୍ତି ? ଆପଣ କାହିଁକି ନିଜର ଖୁସି ଓ ସ୍ୱପ୍ନକୁ ବଳି ଦେଉଛନ୍ତି ? ଆଜିଠାରୁ ନିଜ ପାଇଁ ବଞ୍ଚନ୍ତୁ। ନିଜର ଖୁସିକୁ ପ୍ରାଥମିକତା ଦିଅନ୍ତୁ। ଯାହା ଆପଣଙ୍କ ହୃଦୟକୁ ଖୁସି କରେ ତାହା କରନ୍ତୁ। ଯାହା ଇଚ୍ଛା ହେଉଛି ପିନ୍ଧ, ଖାଅ। ଇଛା ହେଉଛି ତ ବଡ ପାଟିରେ ଗୀତ ଗାଅ। ଥକିଯିବା ପର୍ଯ୍ୟନ୍ତ ନାଚ, ଯେଉଁ ଆଡେ ଇଚ୍ଛା ହେଉଛି ବୁଲି ଯାଅ। ଏ ଜୀବନକୁ କି ଅବା ଭରସା, ଆଜି ଅଛି କାଲିକୁ ନାହିଁ । ପୁର୍ନଜନ୍ମ ଅଛି କି ନାହିଁ ତାର ପ୍ରମାଣ ଖୋଜନାହିଁ । ଥିଲେ ବି ଏ ଜନ୍ମର କଥା ଆର ଜନ୍ମକୁ ମନେ ରହିବ ନାହିଁ । ତେଣୁ ବର୍ତ୍ତମାନ ମୁହୂର୍ତ୍ତକୁ ହସ, ଖୁସି ଓ ଆନନ୍ଦରେ ଵିତାଅ । କାହା ସହ ଥିବା ପୂର୍ବ ବିବାଦକୁ ତୁରନ୍ତ ସମାଧାନ କର ଓ ନୂତନ ବିବାଦ ଆଉ ସୃଷ୍ଟି କରନାହିଁ । କାରଣ ନୂତନ ବିବାଦ ସୃଷ୍ଟି କରି ତାହାର ସମାଧାନ କରିବାକୁ ହୁଏତ ଆମକୁ ସମୟ ମିଳି ନପାରେ। ନିଜର ଭୁଲ ନ ଥିଲେ ବି ଭୁଲ ସ୍ବୀକାର କରି ବନ୍ଧୁତା ସୃଷ୍ଟି କର ।
ପ୍ରଦ୍ୟୁମ୍ନ କୁମାର ପାତ୍ର
ଗଞ୍ଜାମ ଜିଲ୍ଲା ସମ୍ପାଦକ,
ଉତ୍କଳ ସାମ୍ବାଦିକ ସଙ୍ଘ