ଭଞ୍ଜନଗର: ଉଠା ବେପାରୀଙ୍କୁ ହଟାଇଲା ପ୍ରଶାସନ,ଲାଇସେନ୍ସ୍ ନଥିବାରୁ ୭ ଦୋକନ ସିଲ

ଭଞ୍ଜନଗର ୦୬/୦୯ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ସହରର ବିଭିନ୍ନ ଜନଗହଳ ପୂର୍ଣ୍ଣ ସ୍ଥାନ ମାନଙ୍କ ଠାରେ ରାସ୍ତା କଡରେ ରହିଥିବା ଜବର ଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିସହ ବ୍ୟବସାୟିକ ପ୍ରତିଷ୍ଠାନରେ ପଲିଥିନ ଧରପଗଡ,ଟ୍ରେଡ୍ ଲାଇସେନ୍ସ୍ ଯାଞ୍ଚ,ଓଡିଆରେ ନାମ ଫଳକ ଲେଖିବା ଆଦି କରିବା ପାଇଁ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଚଢଉ କରାଯାଇଥିଲା। ପ୍ରଥମେ ବସ୍ ଷ୍ଟାଣ୍ଡ ଠାରୁ ଏଭଳି ଚଢଉ ଆରମ୍ଭ କରାଯାଇଥିଲା। ପ୍ରଶାସନ ପକ୍ଷରୁ ମୁଖ୍ୟ ରାସ୍ତାକଡରେ ବସି ବ୍ୟବସାୟ କରୁଥିବା ବ୍ୟବସାୟୀ ମାନଙ୍କ ଅସ୍ଥାୟୀ ଦୋକାନ ଓ ଠେଲା ଗୁଡିକୁ ହଟାଇ ଦିଆଯାଇଛି। ଆଜି ସକାଳୁ ଏନ୍ଏସି ଓ ତହସିଲ ଅଧିକାରୀଙ୍କ ଠାରୁ ଆରମ୍ଭ କରି ପୁଲିସ୍ ଫୋର୍ସ ପହଞ୍ଚି ପୁରୁଣା ଜେଲ୍ ରୋଡ଼, ଫରେଷ୍ଟ କ୍ବାଟର ସାମ୍ନା ଆଦି ଇଲାକାରେ ରାସ୍ତାକଡରେ ବସି ବ୍ୟବସାୟ କରୁଥିବା ଲୋକଙ୍କୁ ହଟାଇ ଦିଆ ଯାଇଥିଲା।
ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ କୃଷକ ବଜାର କରାଯାଇଥିବା ବେଳେ ରାସ୍ତାକଡରେ ବସି ବ୍ୟବସାୟ କରୁଥିବା ଫଳ,ପନିପରିବା ଆଦି ବ୍ୟବସାୟୀଙ୍କୁ ସେହି ପରିବା ବଜାର ଭିତରକୁ ଯାଇ ବ୍ୟବସାୟ କରିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଥିଲା। ଏହି ସମୟରେ ଅନେକ ବ୍ୟବସାୟୀ ପ୍ରଶାସନକୁ ସେମାନଙ୍କୁ ନହଟାଇବାକୁ କହୁଥିବା ଦେଖିବାକୁ ମିଳିଥିଲା। ଦୀର୍ଘ ବର୍ଷ ଧରି ରାସ୍ତାକଡରେ ଛୋଟିଆ ଠେଲା ଓ କ୍ୟାବିନରେ ନିଜ ପରିବାର ଗୁଜୁରାଣ ମେଣ୍ଟାଉଥିବା ବ୍ୟବସାୟୀ ପୁଣି ନୁଆ କରି କିଭଳି ନିଜର ବ୍ୟବସାୟ ଆରମ୍ଭ କରିବେ ସେ ନେଇ ଚିନ୍ତାରେ ପଡିଥିବା ପ୍ରକାଶ କରିଛନ୍ତି। ଏଥିସହ ସହରର ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନରେ ମଧ୍ୟ ଚଢଉ କରି ପଲିଥିନ ଜବତ କରି ଜୋକରିମାନା ଆଦାୟ କରାଯାଇଥିଲା। ଏଥିସହ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକରେ ଟ୍ରେଡ ଲାଇସେନ୍ସ୍ ମଧ୍ୟ ଯାଞ୍ଚ କରାଯାଇ ନଥିଲା। ଟ୍ରେଡ୍ ଲାଇସେନ୍ସ୍ ବା୍ବଦରେ ବ୍ୟବସାୟିଙ୍କୁ କହିବା ସହ ୭ ଟି ଦୋକାନକୁ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ଜଉମୁଦ ଦେଇ ସିଲ୍ କରାଯାଇଛି। ଭଞ୍ଜନଗର ଉପଜିଲ୍ଲାପାଳ ଉମା ଶଙ୍କର ବେହେରାଙ୍କ ନିର୍ଦ୍ଦେଶକ୍ରମେ ଏଭଳି ଚଢଉ କରାଯାଇଥିବା ବେଳେ ଏଥିରେ ଅତିରିକ୍ତ ତହସିଲଦାର ଅବିନାଶ ମାହାର,ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ମୂରଲୀକୃଷ୍ଣ ପଣ୍ଡା,କନିଷ୍ଠ ଯନ୍ତ୍ରୀ ଦିଲୀପ କୁମାର ମିଶ୍ର, ଥାନା ଅଧିକାରୀ ଜୀବନାନନ୍ଦ ଜେନା ଏସଆଇ ଜ୍ୟୋସ୍ନାମୟୀ ସାହୁ, ଲକ୍ଷ୍ମୀଧର ମାହାନ୍ତି, ଏନଏସି ବରିଷ୍ଠ କିରାଣୀ ମିଲନ ମୋହନ ମୁର୍ମୁ, ପରିମଳ ନିରୀକ୍ଷକ ଅମ୍ରିତା ନାୟକ, ଭଗବାନ ପାତ୍ର, ସୁଶାନ୍ତ ମିଶ୍ର, ଶୁଭମ ପାଢ଼ୀ, ଅଶୋକ ପ୍ରଧାନ ଜଗନ୍ନାଥ ପାତ୍ର ଙ୍କ ସମେତ ବହୁ ପୋଲିସ କର୍ମୀ ଉପସ୍ଥିତ ଥିଲେ।