ରାଷ୍ଟ୍ରପତି ମାକ୍ରନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନଙ୍କ ସହ ଟେଲିଫୋନ୍ ଯୋଗେ ଆଲୋଚନା କରିଛନ୍ତି।ଉଭୟ ଆର୍ଥିକ, ପ୍ରତିରକ୍ଷା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ମହାକାଶ ସମେତ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବିକାଶର ସମୀକ୍ଷା ଏବଂ ସକାରାତ୍ମକ ମୂଲ୍ୟାଙ୍କନ କରିଥିଲେ। ହରାଇଜନ୍ ୨୦୪୭ ରୋଡମ୍ୟାପ, ଇଣ୍ଡୋ-ପାସିଫିକ୍ ରୋଡମ୍ୟାପ୍ ଏବଂ ଡିଫେନ୍ସ ଇଣ୍ଡଷ୍ଟ୍ରିଆଲ୍ ରୋଡମ୍ୟାପ୍ ଅନୁରୂପ ଭାରତ-ଫ୍ରାନ୍ସ ରଣନୈତିକ ଭାଗିଦାରୀକୁ ଆହୁରି ସୁଦୃଢ଼ କରିବା ଲାଗି ଉଭୟ ନେତା ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ।ୟୁକ୍ରେନରେ ସଂଘର୍ଷର ଅନ୍ତ ଆଣିବା ଦିଗରେ ନିକଟରେ କରାଯାଇଥିବା ପ୍ରୟାସ ଉପରେ ସେମାନେ ମତ ବିନିମୟ କରିଥିଲେ। ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଏବଂ ଶୀଘ୍ର ଶାନ୍ତି ଓ ସ୍ଥିରତା ଫେରାଇ ଆଣିବା ଲାଗି ଭାରତର ନିରନ୍ତର ସମର୍ଥନକୁ ପ୍ରଧାନମନ୍ତ୍ରୀ ଦୋହରାଇଥିଲେ।ଫେବୃଆରୀ ୨୦୨୬ ରେ ଭାରତ ଦ୍ୱାରା ଆୟୋଜିତ କୁତ୍ରିମ ବୁଦ୍ଧିମତା ପ୍ରଭାବ ସଂକ୍ରାନ୍ତ ଶିଖର ସମ୍ମିଳନୀକୁ ନିମନ୍ତ୍ରଣ ଗ୍ରହଣ କରିଥିବାରୁ, ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ମାକ୍ରନଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ରାଷ୍ଟ୍ରପତି ମାକ୍ରନଙ୍କୁ ଭାରତରେ ସ୍ୱାଗତ କରିବାକୁ ଅପେକ୍ଷା କରିଥିବା କହିଥିଲେ।ବିଶ୍ୱ ଶାନ୍ତି ଏବଂ ସ୍ଥିରତାକୁ ପ୍ରୋତ୍ସାହିତ କରିବା ପାଇଁ ଉଭୟ ନେତା ଯୋଗାଯୋଗରେ ରହିବା ଏବଂ ମିଳିତ ଭାବେ କାର୍ଯ୍ୟ କରିବା ଲାଗି ସହମତ ହୋଇଥିଲେ।