ସମ୍ବଲପୁରରେ ନୂଆଁଖାଇ ଭେଟଘାଟ, ଯୋଗ ଦେଲେ ମୁଖ୍ୟମନ୍ତ୍ରୀ, କହିଲେ…

ଭୁବନେଶ୍ବର: ରାଜ୍ୟ ସ୍ତରୀୟ ନୂଆଁଖାଇ ଭେଟଘାଟ ଅବସରରେ ଆଜି ସମ୍ବଲପୁରରେ ଏକ ଭବ୍ୟ ସମାରୋହ ଆୟୋଜିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଭେଟଘାଟକୁ ପାରମ୍ପରିକ କାର୍ଯ୍ୟକ୍ରମ ନୁହେଁ ବରଂ ଏହା ଆମ ସମାଜର, ପାରିବାରିକ ପ୍ରେମର ଓ ସମୃଦ୍ଧିର ପର୍ବ ବୋଲି କହିଥିଲେ ।ସମ୍ବଲପୁର ହେଉଛି ବୀରତ୍ୱର ମାଟି। ଏଣୁ ସମ୍ବଲପୁର ଐତିହାସିକ ସ୍ୱାଧୀନତା ସଂଗ୍ରାମ ପୀଠ ଖିଣ୍ଡା ସମେତ ଅନ୍ୟାନ୍ୟ ସଂଗ୍ରାମ ପୀଠ ଗୁଡିକର ଉନ୍ନତିକଣାର ନିମନ୍ତେ ରାଜ୍ୟ ସରକାର ସମସ୍ତ କାର୍ଯ୍ୟପନ୍ଥା ଗ୍ରହଣ କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଥିଲେଯେ, ଧାନ କେବଳ ଖାଦ୍ୟଶସ୍ୟ ନୁହେଁ, ଏହା ଚାଷୀ ଭାଇ ଓ ଭଉଣୀଙ୍କ ଝାଳବୁହା ପରିଶ୍ରମର ଫଳ। ପ୍ରତ୍ୟେକ ଧାନର ଦାନାରେ ଜଣେ କୃଷକଙ୍କ ଶ୍ରମ, ସହନଶୀଳତା ଓ ସ୍ୱପ୍ନ ଲୁଚିଥାଏ। ନୂଆଁଖାଇ ଆମକୁ ସେହି କୃଷକଙ୍କ ପ୍ରତି କୃତଜ୍ଞ କରିଥାଏ। ଏହି ପର୍ବରେ ସେମାନଙ୍କର ସମ୍ମାନ ସବୁଠାରୁ ଅଧିକ। ସମ୍ବଲପୁର ପଶ୍ଚିମ ଓଡିଶାର ଏକ ବିଶେଷ ସ୍ଥାନ, ଯାହା କଳା, ସଂସ୍କୃତିର ବିଶେଷ ବାର୍ତ୍ତା ବହନ କରେ। କେବଳ ସମ୍ବଲପୁର ନୁହେଁ ପଶ୍ଚିମ ଓଡିଶାର ପ୍ରତ୍ୟେକ ଜିଲ୍ଲା ଓଡିଶା ପାଇଁ ସ୍ୱତନ୍ତ୍ରତା ବହନ କରନ୍ତି ।ନୂଆଁଖାଇ ହେଉଛି ଚାଷ ଭିତ୍ତିକ ପର୍ବ, କୃଷକଙ୍କ ପରିଶ୍ରମ ପାଇଁ ଆମେ ପାଳୁଥିବା ପର୍ବ । ରାଜ୍ୟର କୃଷକ ପରିବାରଙ୍କ ଆୟ କେବଳ ଦୁଇ ଗୁଣ ନୁହେଁ, ବହୁ ଗୁଣିତ କରିବା ପାଇଁ ସରକାର ପ୍ରତିବଦ୍ଧ। ଆମ ସରକାର ହେଉଛି ଲୋକଙ୍କ ସରକାର, ଆପଣଙ୍କ ସରକାର। କେବଳ କାଗଜପତ୍ର କି ପ୍ରଚାର ପାଇଁ ନୁହେଁ। ଗତ ଏପ୍ରିଲ ୨୧ ତାରିଖ ଦିନ ମୁଁ ପୁରା କ୍ଯାବିନେଟ ଓ ପ୍ରଶାସନକୁ ନେଇ ଆସିଥିଲି ଆପଣଙ୍କ କଥା ଶୁଣିବାକୁ। ସମ୍ବଲପୁର ଅଭିଯୋଗ ଶୁଣାଣିରେ ମୋତେ ପ୍ରାୟ ୯ ହଜାର ୩୭୭ ଗୋଟି ଅଭିଯୋଗ ମିଳିଥିଲା ଯାହା ମଧ୍ୟରୁ ତୁରନ୍ତ on-the-spot ୮୮ ପ୍ରତିଶତ ସମାଧାନ କରା ଯାଇଥିଲା। ତେଣୁ ଆଗାମୀ ଦିନରେ ଓଡିଶାର ବିଭିନ୍ନ ଆଭ୍ଯନ୍ତରୀଣ ଜିଲ୍ଲାକୁ ଯାଇ କେବଳ ଅଭିଯୋଗ ଶୁଣିବ ତାହା ନୁହେଁ, ଯଦି ଆବଶ୍ଯକ ହୁଏ, ମୁଁ କ୍ଯାବିନେଟ ମିଟିଂ ବି କରିବି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।ସେ ପୁଣି କହିଥିଲେଯେ ଆମ ସରକାର ରାଜ୍ୟର ପ୍ରତିଟି ଜିଲ୍ଲାକୁ ଶିଳ୍ପାୟନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦ୍ରୁତ ବିକାଶ ପାଇଁ ଅନ୍ୟ ଏକ ମୁଖ୍ୟ ପ୍ରସଙ୍ଗ ହେଉଛି ଗମନାଗମନ। ଏଣୁ ରାଜ୍ୟ ସରକାର ପୂର୍ବ ଓଡିଶାରୁ ପଶ୍ଚିମ ଓଡିଶା ପର୍ଯ୍ୟନ୍ତ- ପାରାଦୀପ-ଚୌଦ୍ବାର-ଢେଙ୍କାନାଳ-ଅନୁଗୁଳ-ସମ୍ବଲପୁର-ଝାରସୁଗୁଡ଼ା-ସୁନ୍ଦରଗଡ଼-ରାଉରକେଲା କୁ ସଂଯୋଗ କରୁଥିବା ଏକ ଶିଳ୍ପ କରିଡର ବିକଶିତ କରିବେ । ଏହା ନିରବଚ୍ଛିନ୍ନ ସେବାକୁ ସୁଗମ କରି ଦ୍ରୁତ ଏବଂ ସମନ୍ବିତ ଅଭିବୃଦ୍ଧିକୁ ସୁନିଶ୍ଚିତ କରିବ ।