ପଞ୍ଜାବରେ ବନ୍ୟା ଯୋଗୁଁ ଏପର୍ଯ୍ୟନ୍ତ ୫୦ ଜଣଙ୍କର ମୃତ୍ୟୁ, ୪୦ ଲକ୍ଷ ଲୋକ ପ୍ରଭାବିତ

ଲାହୋର : ପାକିସ୍ତାନ ପଞ୍ଜାବରେ ବନ୍ୟା ଯୋଗୁଁ ଗମ୍ଭୀର ପରିସ୍ଥିତି ସୃଷ୍ଟି ହୋଇଛି । ଅଗଷ୍ଟ ୨୩ ତାରିଖରୁ ପାକିସ୍ତାନ ପଞ୍ଜାବରେ ବନ୍ୟା ଯୋଗୁଁ ଏପର୍ଯ୍ୟନ୍ତ ୫୦ ଜଣଙ୍କର ମୃତ୍ୟୁ ଘଟିଛି । ଏଥି ସହିତ ୪୦ ଲକ୍ଷ ଲୋକ ମଧ୍ୟ ପ୍ରଭାବିତ ହୋଇଛନ୍ତି । ବନ୍ୟାରେ ଫସିରହିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ଯାଇଥିଲାବେଳେ ଓଲଟିଲା ଡଙ୍ଗା । ଫଳରେ ୫ ଜଣଙ୍କର ମୃତ୍ୟୁ ଘଟିଛି ।ସେହିପରି ବନ୍ୟାରେ ଫସି ରହିଥିବା ପ୍ରାୟ ୧୮.୪ ଲକ୍ଷ ଲୋକ ଏବଂ ୧୩.୪ ଲକ୍ଷ ଗାଈଗୋରୁଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରି ଦିଆଯାଇଛି । ଏନେଇ ଅଧିକାରୀମାନେ ଶନିବାର ଏହାର ସୂଚନା ଦେଇଛନ୍ତି । ଲଗାତାର ପ୍ରବଳ ବର୍ଷା ଯୋଗୁଁ ପ୍ରାୟ ସମସ୍ତ ନଦୀ ଏବଂ ଶାଖା ନଦୀ ବିପଦ ସ୍ତରରେ ରହିଛି ବୋଲି ମଧ୍ୟ କହିଛନ୍ତି ।ସୂଚନାନୁଯାୟୀ, ପାକିସ୍ତାନ ପଞ୍ଜାବର ବନ୍ୟା ପ୍ରଭାବିତ ଅଞ୍ଚଳରେ ୫୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଫଳରେ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୧୦ ଲକ୍ଷ ପାକିସ୍ତାନୀ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯିବ । ଯାହାର ସୂଚନା ପଞ୍ଜାବ ପ୍ରାଦେଶିକ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (PDMA)ର ମହାନିର୍ଦ୍ଦେଶକ ଇରଫାନ ଅଲି କାଠିଆ ଦେଇଛନ୍ତି । ସେ କହିଛନ୍ତି ଯେ, ରବି, ଚେନାବ ଏବଂ ସତଲେଜର ନଦୀର ବନ୍ୟା ଜଳ ୩୯,୦୦ ଗାଁକୁ ବୁଡାଇ ଦେଇଛି । ଯାହାଫଳରେ ହଜାର ହଜାର ଫସଲ କ୍ଷତିଗ୍ରସ୍ତ ହୋଇଛି ।ଏହା ବ୍ୟତୀତ ସେ ଆହୁରି କହିଛନ୍ତି ଯେ, ସିଆଲକୋଟ, ଗୁଜୁରାଟ ଏବଂ ପଞ୍ଜାବର ବିଭିନ୍ନ ସ୍ଥାନରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ଅନ୍ୟପଟେ NDMA ତଥ୍ୟ ଅନୁଯାୟୀ ୨୬ ଜୁନ୍ରୁ ୩୧ ଅଗଷ୍ଟ ପର୍ଯ୍ୟନ୍ତ ପଞ୍ଜାବରେ ବନ୍ୟା ଯୋଗୁଁ ୨୦୯ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଲକ୍ଷ ଲକ୍ଷ ଲୋକ ବାସହୀନ ହୋଇଛନ୍ତି ।