୧୦ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗିଦେଲେ, ନ୍ୟାୟ ମାଗୁଛନ୍ତି ବାପା ମା’

ଅନୁଗୁଳ : ଗାଁ ଦାଣ୍ଡରେ ହସଖୁସିରେ ଖେଳୁଥିଲା ଆଜି ସମସ୍ତଙ୍କୁ କନ୍ଦେଇ ଗାଁ ନାଳରେ ଭାସୁଛି । କେତେ ଗେହ୍ଲାରେ ବଢ଼ିଥିଲା ହେଲେ ବାପା ମା’ଙ୍କୁ ଛାଡ଼ି ଚାଲିଗଲା । କେହି ସହଜରେ ଏହାକୁ ଗ୍ରହଣ କରିପାରୁ ନାହାନ୍ତି । ଶାବଳଭଙ୍ଗା ନିକଟସ୍ଥ ଶ୍ୟାମସୁନ୍ଦରପୁର ଗାଁ ଦେଇ ଯାଇଥିବା ଭାଲୁଖାଇ ନାଳରୁ ୧୦ ବର୍ଷର ଝିଅର ମୃତଦେହ ଉଦ୍ଧାର ହେବା ପରେ ସାରା ଗାଁ ଯେମିତି ସ୍ତବ୍ଧ ହୋଇଯାଇଛି । କେବଳ ନିଜ ଗାଁ ନୁହେଁ ଆଖପାଖ ଗାଁ ଲୋକଙ୍କ ହୃଦୟ ବି ଜିତିଥିଲା ।ଅତି ନିର୍ମମ ଭାବେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରି ନାଳକୁ ଫିଙ୍ଗି ଦିଆଯାଇଥିବା ଅଭିଯୋଗ ଆଣିଛନ୍ତି ସଂପର୍କୀୟ ତଥା ଗ୍ରାମବାସୀ । ଏହି ଘଟଣାକୁ ନେଇ ନାବାଳିକାଙ୍କ ଗାଁ ଓ ଆଖପାଖ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ଲୋକେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଘଟଣା ସ୍ଥଳକୁ ଦ୍ଵିତୀୟ ଦିନରେ ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଚଳାଇଛି । ପରିବାର ଲୋକଙ୍କ କହିବା ଅନୁଯାୟୀ, ଶନିବାର ଦିନ ମଧ୍ୟାହ୍ନ ପର୍ଯ୍ୟନ୍ତ ଝିଅ ଘରେ ଥିଲା। ଅପରାହ୍ନରେ ଖେଳିବା ପାଇଁ ବାହାରକୁ ଯାଇଥିଲା କିନ୍ତୁ ସନ୍ଧ୍ୟାରେ ଆଉ ଘରକୁ ଫେରି ନଥିଲା ଝିଅ । ଏଥିପାଇଁ ପରିବାର ଲୋକେ ଚିନ୍ତାରେ ପଡ଼ିଥିଲେ। ଖୋଜାଖୋଜି କରିବା ସହ ପୁଲିସକୁ ଖବର ଦେଇଥିଲେ । କିନ୍ତୁ ଝିଅର କିଛି ସନ୍ଧାନ ପାଇନଥିଲେ । ଆଉ ଗତକାଲି ସକାଳୁ ତାଙ୍କ ମୃତଦେହ ଗାଁ ପାଖ ନାଳରୁ ମିଳିଥିଲା । ବଡ଼ ପରିବାରର ସାନ ଝିଅ ଥିଲା । ପିଲାଦିନରୁ ଅତି ଗେହ୍ଲାରେ ବଢ଼ିଥିଲା । ବାପା, ମାଙ୍କର ୪ଟି ଝିଅ ଓ ୨ ପୁଅ ଥିବା ବେଳେ ପରିବାରର ସମସ୍ତେ ଏହି ଝିଅକୁ ଭଲ ପାଆନ୍ତି । ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ଏହି ଚୁଲୁବୁଲି ଝିଅଟିକୁ କେବଳ ପରିବାର ନୁହେଁ ସମସ୍ତଙ୍କର ପ୍ରିୟ ଥିଲା । ସାହସୀ ଓ ବୁଦ୍ଧିମତାରେ ବି ସହଜରେ ହାର୍ ମାନିବା ଝିଅ ନୁହେଁ । କିନ୍ତୁ ଜୀବନ କ’ଣ ଜାଣିବା ଆଗରୁ ଜୀବନ ଯୁଦ୍ଧରେ ହାରିଗଲା ଏ ଝିଅ।ଶତ୍ରୁତା ନାହିଁ କି ବିବାଦ ନାହିଁ । ମୃତ ନାବାଳିକାଙ୍କ ବାପା ଅଟୋ ଚଳାଇ ନିଜ ପରିବାର ଚଳାଉଛନ୍ତି ତାଙ୍କର ସେମିତି କାହା ସହ ଶତ୍ରୁତା ନାହିଁ । ପରିବାର ସହ ବି କାହାରି ବିବାଦ ଲାଗିନି । ଏପଟେ ଏହି ନିକଟ ଅତୀତରେ ନାବାଳିକାଙ୍କୁ କେହି ହଇରାଣ, ହରକତ କରୁଥିବା ବି ଜଣାପଡ଼ିନି ଏଣୁ ପରିବାର ଲୋକେ କାହାକୁ ସନ୍ଦେହ କରି ପାରୁନାହାନ୍ତି । ଏଭଳି ସ୍ଥିତିରେ କିଏ ନାବାଳିକାଙ୍କୁ ହତ୍ୟା କରିଛି ତାହା ଜାଣିବା ପୁଲିସ ପକ୍ଷେ କଷ୍ଟକର ହୋଇ ପଡ଼ିଛି । ଘଟଣାର ଗଭୀରତାକୁ ଅନୁଭବ କରି ତଦନ୍ତକୁ ନିଜେ ତଦାରଖ କରିବେ ବୋଲି କହିଛନ୍ତି ଅନୁଗୁଳ ଏସ୍‌ପି ରାହୁଲ ଜୈନ । ଏହି ଘଟଣାର ତଦନ୍ତ ପାଇଁ ଏବେ ଦୁଇଟି ଟିମ୍ ଗଠନ କରାଯାଇଛି । ଦରକାର ହେଲେ ଅଧିକ ଟିମ୍ ଗଠନ କରାଯିବ । ସମୁଦାୟ ତଦନ୍ତ ପ୍ରକ୍ରିୟା ତାଙ୍କ ନେତୃତ୍ବରେ ଚାଲିବା ଖୁବ୍‌ଶୀଘ୍ର ଦୋଷୀଙ୍କୁ ଧରିବାକୁ ଏସ୍‌ପି ପ୍ରତିଶ୍ରୁତି ଦେଇଛନ୍ତି । ଘଟଣା ସ୍ଥଳରେ ଅତିରିକ୍ତ ଏସ ପି ପହଂଚି ତଦନ୍ତ ଚଳାଇଛନ୍ତି । ଅନ୍ୟପଟେ ନାବାଳିକାର ଗତକାଲି ମରଶୀରର ବ୍ୟବଚ୍ଛେଦ ହୋଇଛି । ବ୍ୟବଚ୍ଛେଦର ରିପୋର୍ଟ ପରେ ସ୍ପଷ୍ଟ ହେବ କେମିତି ହେଲା ନାବାଳିକାଙ୍କ ମୃତ୍ୟୁ।