
ଭୁବନେଶ୍ୱର : ଚୀନର ହୋହୋଟ ଠାରେ ସେପ୍ଟେମ୍ବର ୧୩-୧୪ ଦୁଇ ଦିନ ଧରି ଅନୁଷ୍ଠିତ ହେବ ଏସିଆ ରଗବି ଏମିରେଟସ U 18 ଚାମ୍ପିଅନସିପ ୨୦୨୫ । ଏଥିରେ ଭାରତକୁ ପ୍ରତିନିଧିତ୍ୱ କରିବା ପାଇଁ କିସର ୭ ଜଣ ରଗବି ଖେଳାଳି ମନୋନୀତ ହୋଇଛନ୍ତି। ଯେଉଁଥିରେ ୪ ଜଣ ପୁଅ ଓ ୩ ଜଣ ଝିଅ ଅଛନ୍ତି । ଭାରତୀୟ ରଗବୀ ଫୁଟବଲ୍ ୟୁନିଅନ୍ (IRFU) ଏଥିପାଇଁ ୧୮ ବର୍ଷରୁ କମ୍ ବାଳକ ଏବଂ ବାଳିକା ଦଳ ଘୋଷଣା କରିଛି । ଗୌରବର ବିଷୟ ହେଉଛି କିସ ଛାତ୍ର ବିଦ୍ୟାଧର ମାଝୀ ୧୮ ବର୍ଷରୁ କମ ଭାରତୀୟ ବାଳକ ରଗବୀ ଅଧିନାୟକ ଭାବେ ମନୋନୀତ ହୋଇଛନ୍ତି ।ସେପ୍ଟେମ୍ବର ୯ରେ ଭାରତୀୟ ଦଳ ଚୀନ ଗସ୍ତ କରିବ ଓ ସେପ୍ଟେମ୍ବର ୧୫ ତାରିଖରେ ଫେରିବ। ବାଳକ ଦଳରେ କିସର ମନୋନୀତ ଖେଳାଳିମାନେ ହେଉଛନ୍ତି ବିଦ୍ୟାଧର ମାଝୀ (କ୍ୟାପଟେନ), ଚରଣ ହେମ୍ବ୍ରମ, ଭାରତ କିସାନ ଓ ଆତ୍ମା ମୁର୍ମୁ। ସେହିପରି ବାଳିକା ଦଳରେ ମନୋନୀତ ଖେଳାଳିମାନେ ହେଲେ ମାମାଲି ସିଂ, ଅନୀତା ମୁର୍ମୁ ଓ ରାଇମଣି ମୁର୍ମୁ । ଚାମ୍ପିଅନସିପ ପୂର୍ବରୁ IRFU କଲିକତାର SAI ନେତାଜୀ ସୁଭାଷ ପୂର୍ବ କେନ୍ଦ୍ରରେ ଅଗଷ୍ଟ ୧ରୁ ସେପ୍ଟେମ୍ବର ୯ ତାରିଖ ପର୍ଯ୍ୟନ୍ତ ଏକ ଜାତୀୟ ପ୍ରଶିକ୍ଷଣ ଶିବିର ଆୟୋଜନ କରିଥିଲା ।ଏହି ପ୍ରଶିକ୍ଷଣ ଶିବିରରେ କିସର ୭ ଜଣ ଖେଳାଳି ଏସିଆ ରଗବି ଏମିରେଟସ ଚାମ୍ପିଅନସିପ ପାଇଁ ମନୋନୀତ ହୋଇଥିଲେ। ଏହି ସଫଳତାରେ କିଟ ଓ କିସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସମସ୍ତ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇବା ସହ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି। ଏହା ସହ ଓଡ଼ିଶା ରଗବି ଫୁଟବଲ୍ ଆସୋସିଏସନ୍ ଓ ଭାରତୀୟ ରଗବୀ ଫୁଟବଲ୍ ୟୁନିଅନକୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।