ଅନ୍ତିମ ଯାତ୍ରାରେ ବିଧାୟକ ଢୋଲକିଆଙ୍କ ପାର୍ଥିବ ଶରୀର, ଲୋକେ କଲେ ଶେଷ ଦର୍ଶନ

ନୂଆପଡା : ଅନ୍ତିମ ଯାତ୍ରାରେ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ପ୍ରସାଦ ଢୋଲକିଆଙ୍କ ପାର୍ଥିବ ଶରୀର । ଆଜି ଅପରାହ୍ନ ୧ ଘଣ୍ଟାରେ ତାଙ୍କ ପାର୍ଥିବ ଶରୀର ଚେନ୍ନାଇରୁ ନୂଆପଡା ଜିଲ୍ଲା ଖରୀଆର ରୋଡ଼ ସହରରେ ପହଞ୍ଚିଥିଲା । ଏହାପରେ ଖରିଆରରୋଡ ସହରରୁ ନୂଆପଡା ସହର ଯାଏ ଦୀର୍ଘ ୧୦ କିମି ଧରି ଶୋଭାଯାତ୍ରା ହୋଇଥିଲା । ପରେ ଖରିଆର ରୋଡ଼ ସ୍ଥିତ ଜ୍ଞାନ ଜ୍ୟୋତି ସ୍କୁଲ ପରିସରରେ ତାଙ୍କ ପାର୍ଥିବ ଶରୀରକୁ ସମସ୍ତେ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ଶେଷ ଦର୍ଶନ ପାଇଁ ବିଜେଡ଼ିର ସାଂଗଠାନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ସମେତ ବିଜେଡି ବରିଷ୍ଟ ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର, ଦିବ୍ୟ ଶଙ୍କର ମିଶ୍ର, ସ୍ନେହାଙ୍ଗିନୀ ଛୁରିଆ, ଟୁକୁନି ସାହୁ ,ବିଧାୟକ ଅଧିରାଜ ପାଣିଗ୍ରାହୀ,ବର୍ଷାସିଂ ବରିହା, ବରିଷ୍ଠ ବିଜେଡି ନେତା ଲମ୍ବୋଦର ନିଆଲ, ଆୟୁବ ଖାନ, ପିସିସି ସଭାପତି ଭକ୍ତ ଚରଣ ଦାସ,ବିଜେପି ନେତା ବସନ୍ତ କୁମାର ପଣ୍ଡା ପ୍ରମୁଖ ଶେଷ ଦର୍ଶନରେ ସାମିଲ ଅଛନ୍ତି ।ଏହାପରେ ଦିବଂଗତ ରାଜେନ୍ଦ୍ରଙ୍କ ମରଶରୀରକୁ ସ୍ଥାନୀୟ ଜୋଙ୍କ ନଦୀ କୂଳରେ ଥିବା ସ୍ମଶାନ ଘାଟରେ ତାଙ୍କର ଅନ୍ତେଷ୍ଟିକ୍ରୀୟା କରାଯିବ । ଆଜି ହଜାର ହଜାର ଲୋକମାନେ ତାଙ୍କର ଶେଷ ଦର୍ଶନ କରିବା ସମୟରେ ଏକ ଭାବବିହ୍ୱଳ ପରିବେଶ ସୃଷ୍ଟି ହୋଇଥିଲା ।