ପରିବହନ ବିଭାଗ ପାଖରେ ରିଲ୍ସ, କାର୍ ମାଲିକଙ୍କୁ ଲାଗିଲା ମୋଟା ଅଙ୍କର ଜରିମାନା

ସ୍ବାମୀ କାର୍ ଚଲାଉଥିଲେ । ଆଉ ସ୍ତ୍ରୀ ଓ ୪ ଜଣ ଶିଶୁ ଗାଡ଼ିରେ ବସି ରିଲ୍ କରି ଫେସବୁକ ଓ ଇଷ୍ଟଗ୍ରାମ ଭଳି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଭାବିଥିଲେ ଭଲ ଭିଉଜ୍ ମିଳିବ ଆଉ ଭଲ ଲାଇକ୍ ଆସିବ । ହେଲେ ସେମାନେ କଣ ଆଉ ଜାଣିଛନ୍ତି ଏମାନଙ୍କର ଏହି ରିଲ୍ସ ତାଙ୍କୁ ମହଙ୍ଗା ପଡ଼ିଯିବ ବୋଲି। ସେମାନେ କଣ ଆଉ ଜାଣିଥିଲେ ସେମାନଙ୍କ ଏହି ପୋଷ୍ଟ ବୁଲି ବୁଲି ପରିବହନ ବିଭାଗ ପାଖରେ ପହଁଚିଯିବ ବୋଲି ।ହଁ ଆଜ୍ଞା ପରିବ‌ହନ ବିଭାଗ କାର୍ ମାଲିକଙ୍କୁ ମୋଟା ଅଙ୍କର ଜରିମାନା ଲଗାଇଛି। ଏଭଳି ଘଟଣା ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଅଞ୍ଚଳରେ ଘଟିଛି। ପରିବହନ ବିଭାଗ ନିୟମ ଉଲଂଘନ କରିଥିବା ଦର୍ଶାଇ ୧୧୦୦୦ ଟଙ୍କା ଜରିମାନା କରିଛି। ସୂଚନା ଅନୁସାରେ, ସମ୍ବଲପୁର ରେଢାଖୋଲ ୫୫ନଂ ଜାତୀୟ ରାଜପ‌ଥରେ ସ୍ବାମୀ,ସ୍ତ୍ରୀ ଓ ୪ ଜଣ ଜଣ ଶିଶୁ କାରରେ ଯାଉଥିଲେ। କାରଟି ଚାଲୁଥିବାବେଳେ ସ୍ତ୍ରୀ ଓ ୪ ଶିଶୁ ବିନା ସିଟ୍ ବେଲ୍‌ଟରେ ମୋବାଇଲରେ ରିଲ୍ସ କରୁଥିବା ଦେଖି ଜନୈକ ବ୍ଯକ୍ତି ତାଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ।ରାଜ୍ୟ ପରିବହନ ବିଭାଗକୁ ଟ୍ୟାଗ୍ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ଏହାକୁ ଭିତ୍ତି କରି ସମ୍ବଲପୁର ଆଞ୍ଚଳିକ ପରିବହନ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଗାଡ଼ି ମାଲିକଙ୍କ ନାଁରେ ୧୧ ହଜାର ଫାଇନ୍ କରିଥିବା ସୂଚନା ମିଳିଛି। ତେଣୁ ଆପଣ ବି ସାବଧାନ୍ ହୋଇଯାନ୍ତୁ ଆଜ୍ଞା, ଆଉ ଏପରି ଭୁଲ ଆପଣ କରିବା ପୂର୍ବରୁ ସଚେତନ ହୋଇଯାନ୍ତୁ ।