ଦୀର୍ଘ ଦିନ ପରେ କାର୍ଯ୍ୟକ୍ଷମ ହେଲା ଭଞ୍ଜନଗର ସାବିତ୍ରୀ ମହିଳା କଲେଜର ଛାତ୍ରୀ ନିବାସ

ଭଞ୍ଜନଗର ୧୨/୦୯ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ଥିବା ଛାତ୍ରୀ ନିବାସ ଚଳିତ ଶିକ୍ଷାବର୍ଷ ଠାରୁ କାର୍ଯ୍ୟକ୍ଷମ ହୋଇଛି। ବାହାର ଅଞ୍ଚଳରୁ ଭଞ୍ଜନଗର ଆସି ଶିକ୍ଷା ଗ୍ରହଣ କରୁଥିବା ଛାତ୍ରୀ ମାନେ ଅନ୍ୟତ୍ର ରହିବା ପାଇଁ ସମସ୍ୟା ସମ୍ମୁଖିନ ହେଉଥିବା ବେଳେ ସେମାନଙ୍କ ସୁବିଧା ଦୃଷ୍ଟିରୁ କଲେଜ ପରିସରରେ ରହିଥିବା ହେଷ୍ଟଲକୁ ଚଳିତ ଶିକ୍ଷା ବର୍ଷରୁ କଲେଜ କର୍ତ୍ତୁପକ୍ଷ ଆରମ୍ଭ କରିଥିବା ଜଣାପଡିଛି। ପ୍ରାଥମିକ ସ୍ତରରେ କିଛି ଛାତ୍ରୀ ଏଠାରେ ରହିଥିବା ବେଳେ ଅନ୍ୟ ଛାତ୍ର ମାନେ ମଧ୍ୟ ହଷ୍ଟେଲ୍‌ରେ ରହିବା ପାଇଁ ଅlବେଦନ କରିପାରିବେ ବୋଲି ଅଧ୍ୟକ୍ଷ ଡ.ସୁଶାନ୍ତ କୁମାର ମଲ୍ଲିକ ସୂଚନା ଦେଇଛନ୍ତି। ଏଠାରେ ୭୦ ଜଣ ରହିବା ପାଇଁ ବ୍ୟବସ୍ଥା ରହିଥିବା ବେଳେ ବର୍ତ୍ତମାନ ୧୫ ଜଣ ରହୁଛନ୍ତି। ‌ହଷ୍ଟେଲରେ ରହୁଥିବା ଛାତ୍ରୀଙ୍କ ସୁରକ୍ଷା ପାଇଁ ସିସି ଟିଭି କ୍ୟମେରା ବ୍ୟବସ୍ଥା ଠାରୁ ହଷ୍ଟେଲ ଭିତରକୁ କାହାରିକୁ ପ୍ରବେଶ ନିଷେଧ,ସନ୍ଧ୍ୟାରୁ ସକାଳ ଯାଏଁ ୧୨ ଘଣ୍ଟା ଫାଟକ ବନ୍ଦ ରଖିବା,ବିଶୃଙ୍ଖଳା ଓ ମୋବାଇଲ ବ୍ୟବହାର ନକରିବା ଭଳି ବିଭିନ୍ନ ନିୟମାବଳୀ ଜାରି କରାଯାଇଛି। ପ୍ରକାଶ ଥାଉକି ଏହି ହଷ୍ଟେଲ୍‌ଟି ଗତ ୨୦୧୪ ମସିହାରୁ ନିର୍ମାଣ ହୋଇଥିଲେ ମଧ୍ୟ ଦୀର୍ଘ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇ ପାରିନଥିଲା। ଚଳିତ ଶିକ୍ଷାବର୍ଷ ପୂର୍ବରୁ ସ୍ଥାନୀୟ ବିଧାୟକ ଓ ପରିଚାଳନା କମିଟି ସଭାପତି ତଥା ଉପଜିଲ୍ଲାପାଳ ଉମା ଶଙ୍କର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ବବଧାନରେ ଏହି ‌ହଷ୍ଟେଲକୁ କାର୍ଯ୍ୟକ୍ଷମ କରିବା ପାଇଁ ନିଷ୍ପତି ନିଆଯାଇଥିଲା। ବର୍ତ୍ତମାନ ଏହି ଛାତ୍ରୀ ନିବାସର ଅଧୀକ୍ଷକ ଭାବେ ଅଧ୍ୟାପିକା ଉର୍ମିଳା ପାଟ୍ଟଯୋଶୀ,ଡ.ସଂଯୁକ୍ତା ପଟ୍ଟନାୟକ,ଉପଅଧିକ୍ଷକ ଭାବେ ସନ୍ଧ୍ୟାରାଣୀ ପ୍ରଧାନ,ରଶ୍ମିତା ବେହେରାଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଥିବା ଅଧ୍ୟକ୍ଷ ଡ଼ ମଲ୍ଲିକ ସୂଚନା ଦେଇଛନ୍ତି।