
କୁଚିଣ୍ଡା : ସମ୍ବଲପୁର ଜେଲରେ ୨୦୧୯ ବ୍ୟାଚର ଓଏଏସ ଟପ୍ପର । ଜେଲରେ କଟିଛି ପ୍ରଥମ ରାତି । ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ବାମରା ତହସିଲଦାର ଅଶ୍ୱିନୀ ପଣ୍ଡାଙ୍କୁ ଗିରଫ କରିଥିଲା । ଏହାପରେ ତାଙ୍କର ବିଭିନ୍ନ ଠିକଣାରେ ଚଢ଼ାଉ କରିଛି ଭିଜିଲାନ୍ସ । ଭୁବନେଶ୍ବର ସ୍ଥିତ ଅଶ୍ବିନୀଙ୍କ ଘରେ ରେଡ ବେଳେ ନଗଦ ୪ ଲକ୍ଷ ୭୩ ହଜାର ଟଙ୍କା ଜବତ କରାଯାଇଛି । ଏଥିସହ ବିଭିନ୍ନ ଅଳଙ୍କାର ମଧ୍ୟ ମିଳିଛି । ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଗୋବିନ୍ଦପୁରର ଭିକି ନାଏକ ଜମି କିସମ ପରିବର୍ତ୍ତନ ପାଇଁ ବାମରା ତହସିଲ ଅଫିସରେ ଆବେଦନ କରିଥିଲେ । କୃଷି କିସମ ଜମିକୁ ଘରବାରିରେ ପରିବର୍ତ୍ତନ ପାଇଁ ବାମରା ତହସିଲଦାର ଅଶ୍ୱିନୀ ପଣ୍ଡା ତାଙ୍କୁ ଲାଞ୍ଚ ମାଗୁଥିବା ଭିକି ସମ୍ବଲପୁର ଭିଜିଲାନ୍ସ ପାଖରେ ଅଭିଯୋଗ କରିଥିଲେ ।ଗତକାଲି ତହସିଲଦାର ଅଶ୍ବିନୀ ପଣ୍ଡାଙ୍କ ନିର୍ଦ୍ଦେଶରେ ତାଙ୍କ ଡ୍ରାଇଭର ପି. ପ୍ରବୀଣ କୁମାର ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ମାଡ଼ି ବସିଥିଲା । ଭିଜିଲାନସ ଅଧିକାରୀ ଓଏଏସ ବାବୁଙ୍କୁ ଟ୍ରାପ କରିବା ସହ ଲାଞ୍ଚ ଟଙ୍କା ଜବତ କରିଛି । ୨୦୧୯ ବ୍ୟାଚର ଓଏଏସ ଟପ୍ପର ଅଶ୍ବିନୀ ପଣ୍ଡାଙ୍କ ଘର ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ କ୍ଷେତ୍ରପାଳ ଗାଁରେ । ଭିଜିଲାନ୍ସ ହାତରେ ଧରାପଡ଼ିଵା ପରେ ତାଙ୍କର ପୈତୃକ ବାସଭବନରେ ଭିଜିଲାନ୍ସ ବିଭାଗର ଟିମ ଚଢ଼ାଉ କରିଥିଲା । ୨୦୧୮ ASO ପରୀକ୍ଷାରେ କୃତକାର୍ଯ୍ୟ ହୋଇପାରିନଥିଲେ ଅଶ୍ବିନୀ କୁମାର ପଣ୍ଡା । ଏଏସଓ ପରୀକ୍ଷାରେ ବିଫଳତା ପରେ ସେ ପ୍ରଥମ ପ୍ରୟାସରେ ଓଏଏସ ପରୀକ୍ଷାରେ ଟପ୍ପର ହୋଇ ଗୌରବ ଅର୍ଜନ କରିଥିଲେ । ହେଲେ ଏବେ ଜମି କିସମ ପାଇଁ ଲାଞ୍ଚ ନେଇ ଅଶ୍ବିନୀ ପଣ୍ଡା ଧରାପଡ଼ିଛନ୍ତି ।