
ଭୁବନେଶ୍ୱର : ଆହୁରି ୩ ଦିନ ପ୍ରବଳ ବର୍ଷା । ଆସନ୍ତା ୧୭ ତାରିଖ ଯାଏଁ ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ବର୍ଷା ହେବ । ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ପଶ୍ଚିମ କେନ୍ଦ୍ରୀୟ ଓ ନିକଟବର୍ତ୍ତୀ ଉତ୍ତର ପୂର୍ବ ବଙ୍ଗୋପସାଗର- ଉତ୍ତର ଆନ୍ଦ୍ୟପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ନିକଟବର୍ତ୍ତୀରେ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି । ପ୍ରଭାବରେ ରାଜ୍ୟରେ ୩ ଦିନ ବର୍ଷିବ । ଆଜି ପ୍ରବଳ ବର୍ଷା ପାଇଁ ଦୁଇ ଜିଲ୍ଲା କଳାହାଣ୍ଡି ଏବଂ ନବରଙ୍ଗପୁରକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।ବାକି ୨୮ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଆସନ୍ତାକାଲି ପାଇଁ ଅଧା ଓଡ଼ିଶାକୁ ୱାର୍ଣ୍ଣିଂ ଜାରି କରାଯାଇଛି । ୧୮ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ଆଶଙ୍କା କରାଯାଇଛି । କିଛି ଜିଲ୍ଲାରେ ୩୦ରୁ ୪୦ କିମି ବେଗରେ ପବନ ବହିବା ନେଇ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।ଆସନ୍ତା ଗୁରୁବାର ଠାରୁ ପାଗରେ ପରିବର୍ତ୍ତନ ହେବ। ସେପଟେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଜି ପଶ୍ଚିମ ରାଜସ୍ଥାନର କିଛି ଅଞ୍ଚଳରୁ ପ୍ରତ୍ୟାବର୍ତ୍ତନ କରିଛି । ନିର୍ଦ୍ଧାରିତ ସମୟର ୩ ଦିନ ଆଗରୁ ଅପସରି ଯାଇଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ସାଧାରଣତଃ ସେପ୍ଟେମ୍ବର ୧୭ ତାରିଖରେ ପ୍ରତ୍ୟାବର୍ତ୍ତନ କରେ ମୌସୁମୀ ବାୟୁ ।