ମନ୍ତ୍ରୀ ଖେଳିଲେ କବାଡି, ପିଲାଙ୍କ ସହ ଉତ୍ସାହିତ ହୋଇ କବାଡି ଖେଳିଛନ୍ତି ମନ୍ତ୍ରୀ ଗୋକୁଳାନନ୍ଦ

ଗଞ୍ଜାମ: ମନ୍ତ୍ରୀ ଖେଳିଲେ କବାଡି । କବାଡି ଖେଳରେ ମଜି ଯାଇଛନ୍ତି ମନ୍ତ୍ରୀ । ପିଲାଙ୍କ ସହ ଉତ୍ସାହିତ ହୋଇ କବାଡି ଖେଳିଛନ୍ତି ମନ୍ତ୍ରୀ ଗୋକୁଳାନନ୍ଦ । ରାଜ୍ୟ ସରକାରଙ୍କ ମତ୍ସ୍ୟ ପଶୁସମ୍ପଦ ବିକାଶ ଓ ଏମଏସଏମଇ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପିଲାଙ୍କ ସହ କବାଡି ଖେଳିଛନ୍ତି । ଶନିବାର ନିଜ ନିର୍ବାଚନ ମଣ୍ଡଳୀ ତଥା ଗଞ୍ଜାମ ଜିଲ୍ଲା ବୁଗୁଡ଼ା ପିପୁଲସ ହାଇସ୍କୁଲ ପଡ଼ିଆରେ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତାକୁ ଉଦ୍ଘାଟନ କରିଥିଲେ ମନ୍ତ୍ରୀ । ଏହି ଅବସରରେ ପିଲାଙ୍କ ସହ ସେ କବାଡି ଖେଳି ପିଲାଙ୍କୁ ଉତ୍ସାହିତ କରିଛନ୍ତି । ବୁଗୁଡ଼ା ବ୍ଲକର ସମସ୍ତ ସ୍କୁଲକୁ ନେଇ ଚାରୋଟି ଜୋନରେ ବିଭକ୍ତ କରାଯାଇଛି । ୨୦୦ରୁ ଅଧିକ ପ୍ରତିଯୋଗୀ ବିଭିନ୍ନ ବର୍ଗର କ୍ରୀଡ଼ାରେ ଭାଗ ନେଇଛନ୍ତି । ଏଠାରୁ କୃତି ହୋଇଥିବା ଛାତ୍ରଛାତ୍ରୀ ଆଗାମୀ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଖେଳିରେ ଭାଗ ନେବେ । ସେହିପରି ପୋଲସରା ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତାକୁ ମଧ୍ୟ ମନ୍ତ୍ରୀ ଉଦ୍ଘାଟନ କରିଥିଲେ ।ବୁଗୁଡ଼ା ଗୋଷ୍ଠୀ ଶିକ୍ଷାଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଖେଳ ଅନୁଷ୍ଠିତ ହୋଇଥିଲା । ତେବେ ମନ୍ତ୍ରୀଙ୍କ ସହ କବାଡି ଖେଳି ପିଲାମାନେ ମଧ୍ୟ ଖୁବ ଖୁସି ହୋଇଥିବା ନଜର ଆସିଛି । ଅନ୍ୟପଟେ ପିଲାମାନଙ୍କ ସହ କବାଡି ଖେଳି ନିଜ ପିଲାଦିନ କଥାକୁ ମନେ ପକାଇଛନ୍ତି ମନ୍ତ୍ରୀ । ସେ କହିଛନ୍ତି ନିଜ ଶରୀରକୁ ସୁସ୍ଥ ରଖିବାକୁ ହେଲେ ଖେଳ କସରତ ନିତ୍ୟ କରିବା ଆବଶ୍ୟକ । ଏଥିସହ ମନ୍ତ୍ରୀ ଭାଗ ନେଇଥିବା ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହିତ କୃତି ହେବା ପାଇଁ ଉଦ୍ବୋଧନ ଦେଇଛନ୍ତି ।