ଡିଜେ କରିଦେଲା ଭୁଲ୍, ପାକିସ୍ତାନ ଜାତୀୟ ସଂଗୀତ ବଦଳରେ ବାଜିଲା ‘ଜଲବି ବେବି’ ଗୀତ

ଭାରତ ଏସିଆ କପ୍ ୨୦୨୫ ରେ ପାକିସ୍ତାନକୁ ୭ ୱିକେଟରେ ହରାଇଛି । ଦୁବାଇରେ ଦମ୍ ଦେଖାଇଛି ଟିମ୍ ସୂର୍ଯ୍ୟବାହିନୀ । ଟିମ୍ ଇଣ୍ଡିଆ ଆଗରେ ୧୨୮ ରନର ଟାର୍ଗେଟ ରଖିଥିଲା ପାକିସ୍ତାନ । ଯାହାକୁ ବହୁତ ସହଜରେ ଜିତିଥିଲା ଭାରତ । ତେବେ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ଜାତୀୟ ସଙ୍ଗୀତ ସମୟରେ ହୋଇଥିଲା ବଡ଼ ଭୁଲ୍ । ଆଉ ଏଥିପାଇଁ ପାକିସ୍ତାନ ଟିମ୍ ହାସ୍ୟାସ୍ପଦର କାରଣ ପାଲଟିଥିଲା । ଯାହା ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି ।ମ୍ୟାଚ୍ ପୂର୍ବରୁ ଭାରତ ଓ ପାକିସ୍ତାନୀ ଦଳ ଜାତୀୟ ସଙ୍ଗୀତ ପାଇଁ ପଡ଼ିଆକୁ ଆସିଥିଲେ । ଏହି ମ୍ୟାଚରେ ପ୍ରଥମେ ପାକିସ୍ତାନର ଜାତୀୟ ସଙ୍ଗୀତ ବାଜିବାର ଥିଲା । ଏହା ପରେ ଭାରତର ଜାତୀୟ ସଙ୍ଗୀତ ବାଜିଥାନ୍ତା । କିନ୍ତୁ ଯେତେବେଳେ ପାକିସ୍ତାନର ଜାତୀୟ ସଙ୍ଗୀତ ଆରମ୍ଭ ହେବା ପରିବର୍ତ୍ତେ ଅନ୍ୟ ଏକ ଗୀତ ବାଜିଥିଲା । ଯଦିଓ ଏହା ମାତ୍ର ୪ ସେକେଣ୍ଡ ପାଇଁ ବାଜିଥିଲା, ହେଲେ ଏହି କାରଣରୁ ଦ୍ୱନ୍ଦ୍ୱରେ ପଡିଯାଇଥିଲେ ପାକିସ୍ତାନ ଖେଳାଳି । ଖେଳାଳିମାନେ ରାଗିଯାଇଥିଲେ । ପରେ ଗୀତକୁ ପରିବର୍ତ୍ତନ କରି ଭୁଲକୁ ସଂଶୋଧନ କରାଯାଇ ପାକିସ୍ତାନର ଜାତୀୟ ସଙ୍ଗୀତ ବାଜିଥିଲା । ଯାହାର ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରଲ ହେଉଛି ।ଭାରତୀୟ ବୋଲରଙ୍କ ଆଗରେ ପାକିସ୍ତାନର ଆଗଧାଡ଼ିର ବ୍ୟାଟ୍ସମ୍ୟାନ ଫେଲ୍ ମାରିଥିଲେ । ଦଳ ୬୪ ରନରେ ୬ଟି ୱିକେଟ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ହେଲେ ସାହିନ ଆଫ୍ରିଦି ୧୬ ବଲରୁ ୩୩ ରନ ଏବଂ ସାହିବଜାଦା ଫରହାନ ୪୦ ରନ କରି ପାକିସ୍ତାନର ସ୍କୋରକୁ ୧୨୭ ରନ ନେବାର ସହାୟକ ହୋଇଥିଲେ । କୁଲଦୀପ ୩ଟି ୱିକେଟ ନେଇଥିବା ବେଳେ ଅକ୍ଷର ପଟେଲ ୨ଟି ୱିକେଟ ହାସଲ କରିଥିଲେ ।ତେବେ ଏହି ମ୍ୟାଚରେ ହାତ ମିଳାଇବାକୁ ନେଇ ବିବାଦ ଆରମ୍ଭ ହୋଇଛି । ଭାରତ ମ୍ୟାଚ ଜିତିବା ପରେ ସୂର୍ଯ୍ୟକୁମାର ଯାଦବ ହାତ ନ ମିଶାଇ ଡ୍ରେସିଂରୁମକୁ ଫେରିଯାଇଥିଲେ । ଯାହାକୁ ନେଇ ଏବେ ପାକିସ୍ତାନ କ୍ରିକେଟ ବୋର୍ଡ ଏସିସିର ଦ୍ବାରସ୍ତ ହୋଇଛି । ମ୍ୟାଚ ପରେ ପ୍ରେସ କନଫରେନ୍ସରେ ସୂର୍ଯ୍ୟକୁମାର କହିଛନ୍ତି, ଆମ ସରକାର ଏବଂ ବିସିସିଆଇ ଏକମତ ରହିଛନ୍ତି । ଆମେ ଖେଳ ଖେଳିବାକୁ ଆସିଥିଲୁ ଏବଂ ପାକିସ୍ତାନକୁ ମୁହଁତୋଡ ଜବାବ ଦେଇଛୁ । ସେହିପରି ପାକିସ୍ତାନ ଟିମ ଅଧିନାୟକ ମଧ୍ୟ ମ୍ୟାଚ୍ ସରିବା ପରେ ଉତ୍ସବରେ ଉପସ୍ଥିତ ନଥିଲେ ।