ବୀର ସାବରକର କ୍ରୀଡ଼ା କମ୍ପ୍ଲେକ୍ସକୁ ଉଦଘାଟନ କଲେ କେନ୍ଦ୍ର ଗୃହ ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ ଅହମ୍ମଦାବାଦର ନାରନପୁରା ଠାରେ ପ୍ରାୟ ୮୨୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ବୀର ସାବରକର କ୍ରୀଡ଼ା କମ୍ପ୍ଲେକ୍ସକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ, ଗୁଜରାଟ ଗୃହ ରାଷ୍ଟ୍ରମନ୍ତ୍ରୀ ହର୍ଷ ସଂଘବୀଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।ଉଦଘାଟନୀ ସମାରୋହକୁ ସମ୍ବୋଧିତ କରି କେନ୍ଦ୍ର ଗୃହ ମନ୍ତ୍ରୀ କହିଥିଲେ ଯେ ଯେତେବେଳେ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ନାରଣପୁରାରେ ଏକ କ୍ରୀଡ଼ା କମ୍ପ୍ଲେକ୍ସ ନିର୍ମାଣ ପ୍ରସ୍ତାବ ନେଇ ଯାଇଥିଲି, ସେତେବେଳେ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ଯେ ଏହାକୁ ଏକ ବିଶ୍ୱସ୍ତରୀୟ କ୍ରୀଡା କମ୍ପ୍ଲେକ୍ସ ଭାବେ ବିକଶିତ କରାଯିବା ଉଚିତ। ଆଜି ବୀର ସାବରକର କ୍ରୀଡ଼ା କମ୍ପ୍ଲେକ୍ସ ଅନ୍ତର୍ଜାତୀୟ ମାନର ସୁବିଧା ସହିତ ପ୍ରସ୍ତୁତ ହୋଇଛି।ଅମିତ ଶାହ କହିଥିଲେ ଯେ ବୀର ସାବରକର କ୍ରୀଡ଼ା କମ୍ପ୍ଲେକ୍ସ ଭାରତର ସର୍ବବୃହତ୍ ଏବଂ ବିଶ୍ୱର ସବୁଠାରୁ ଆଧୁନିକ କ୍ରୀଡ଼ା କମ୍ପ୍ଲେକ୍ସ ମଧ୍ୟରେ ଅନ୍ୟତମ। ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ଆଉ କୌଣସି କ୍ଷେତ୍ରରେ ଦ୍ୱିତୀୟ ସ୍ଥାନରେ ରହିବା କଥା କଳ୍ପନା କରିବା ଉଚିତ ନୁହେଁ। ସେ ଗୁରୁତ୍ୱାରୋପ କରି କହିଥିଲେ ଯେ ୨୦୪୭ ମସିହା ସୁଦ୍ଧା ଭାରତକୁ ପ୍ରତ୍ୟେକ କ୍ଷେତ୍ରରେ ଏକ ନମ୍ବର ରାଷ୍ଟ୍ରରେ ପରିଣତ କରିବା ଲାଗି ପ୍ରଧାନମନ୍ତ୍ରୀ ଏକ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ଏବଂ ଏହି ଲକ୍ଷ୍ୟ ନିଶ୍ଚିତ ଭାବେ ହାସଲ କରାଯିବ। ଗୃହ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ କ୍ରୀଡ଼ା ହେଉଛି ରାଷ୍ଟ୍ରର ଆତ୍ମା। ବିଶ୍ୱର ସର୍ବକନିଷ୍ଠ ରାଷ୍ଟ୍ର ଭାବେ ଏହା କ୍ରୀଡ଼ା କ୍ଷେତ୍ରରେ ପଛରେ ପଡ଼ିବା ଉଚିତ ନୁହେଁ। ସେ ଗୁରୁତ୍ୱାରୋପ କରିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀ କେବଳ କ୍ରୀଡ଼ା ସମ୍ବନ୍ଧୀୟ ନୀତିମାନ ସୃଷ୍ଟି କରିନଥିଲେ, ବରଂ ବିଶ୍ୱସ୍ତରୀୟ ଭିତ୍ତିଭୂମି, କ୍ରୀଡ଼ାବିତ ପ୍ରଶିକ୍ଷଣ, ସ୍ୱଚ୍ଛ ଚୟନ ପ୍ରକ୍ରିୟା ଏବଂ ଉଚ୍ଚମାନର ଖେଳାଳିଙ୍କୁ ଭାରତର ପ୍ରତିନିଧିତ୍ୱ କରିବା ଲାଗି ଉଚିତ ସୁଯୋଗ ସୁନିଶ୍ଚିତ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଅଣାଯାଇଥିବା ସଂସ୍କାରର ଫଳସ୍ୱରୂପ, ଗତ ୧୦ ବର୍ଷ ମଧ୍ୟରେ ଭାରତର କ୍ରୀଡ଼ା କ୍ଷେତ୍ରରେ ଅଭୂତପୂର୍ବ ପରିବର୍ତ୍ତନ ଦେଖିବାକୁ ମିଳିଛି।

ଭାରତର କ୍ରୀଡ଼ା ବଜେଟ୍ ଥିଲା ୧୬୪୩ କୋଟି ଟଙ୍କା, କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧୀନରେ ଏହାକୁ ୫୩୦୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଏହି ବଜେଟ୍ ନୂତନ କ୍ରୀଡ଼ା ଭିତ୍ତିଭୂମି, ଖେଲୋ ଇଣ୍ଡିଆ କେନ୍ଦ୍ର, ରାଜ୍ୟ ଉତ୍କର୍ଷ କେନ୍ଦ୍ର, ସ୍ୱୀକୃତିପ୍ରାପ୍ତ ଏକାଡେମୀ, ଖେଲୋ ଇଣ୍ଡିଆ ଆଥଲେଟ୍ ଏକାଡେମୀ, ଚିକିତ୍ସା ଏବଂ ପୁଷ୍ଟିକର ସୁବିଧା ସହିତ ଖେଳାଳିଙ୍କ ପାଇଁ ଆଘାତ ପୁନରୁଦ୍ଧାର ପ୍ରଣାଳୀ ପାଇଁ ବ୍ୟବହୃତ ହେଉଛି।ଅମିତ ଶାହ କହିଥିଲେ ଯେ ମୋଦୀ ସରକାର ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା, ଖେଲୋ ଇଣ୍ଡିଆ ପାରା ଗେମ୍ସ ଏବଂ ଖେଲୋ ଇଣ୍ଡିଆ ଶୀତକାଳୀନ କ୍ରୀଡ଼ାର ଶୁଭାରମ୍ଭ କରିଛନ୍ତି। କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ମନସୁଖ୍ ମାଣ୍ଡଭିୟ କ୍ରୀଡ଼ା କ୍ଷେତ୍ରରେ ଭାରତକୁ ସର୍ବୋଚ୍ଚ କରିବା ପାଇଁ ୨୦୨୫ ମସିହାରେ ଏକ ସୁସଂଗଠିତ ନୂତନ କ୍ରୀଡ଼ା ନୀତି ଆଣିଥିଲେ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ୧୯୪୮ ରୁ ୨୦୧୨ ପର୍ଯ୍ୟନ୍ତ ଭାରତ କେବଳ ୨୦ ଟି ଅଲିମ୍ପିକ୍ ପଦକ ଜିତିଥିବା ବେଳେ କେବଳ ଗତ ୮ ବର୍ଷ ମଧ୍ୟରେ ଭାରତ ୧୫ ଟି ଅଲିମ୍ପିକ୍ ପଦକ ଜିତିଛି। ପାରାଲିମ୍ପିକ୍ସରେ ଭାରତ ପୂର୍ବରୁ ମାତ୍ର ୮ଟି ପଦକ ଜିତିଥିଲା, କିନ୍ତୁ ଏବେ ମୋଟ ପଦକ ସଂଖ୍ୟା ୫୨ରେ ପହଞ୍ଚିଛି।କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ କହିଥିଲେ ଯେ ଖେଲୋ ଇଣ୍ଡିଆ ଏବଂ ଫିଟ୍ ଇଣ୍ଡିଆ ଭଳି ପଦକ୍ଷେପ କାରଣରୁ ଭାରତ ଏବେ ପଦକ ଜିତୁଛି। ଟିଓପିଏସ୍ (ଟାର୍ଗେଟ୍ ଅଲିମ୍ପିକ୍ ପୋଡିୟମ୍ ସ୍କିମ୍) ଅଧୀନରେ, ଅଲିମ୍ପିକ୍ସରେ ଅଂଶଗ୍ରହଣ କରୁଥିବା ଆଥଲେଟମାନଙ୍କୁ ମାସିକ ୨୫,୦୦୦ ଟଙ୍କା, କୋର୍ ଗ୍ରୁପ୍ ଆଥଲେଟମାନଙ୍କୁ ୨୫,୦୦୦ ଟଙ୍କା ଏବଂ ଶୀର୍ଷ ସ୍ତରୀୟ ଅଲିମ୍ପିକ୍ ଆଥଲେଟମାନଙ୍କୁ ମାସିକ ୫୦,୦୦୦ ଟଙ୍କା ସହାୟତା ପ୍ରଦାନ କରାଯାଇଥାଏ। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏଭଳି ସୁବିଧା ଉପଲବ୍ଧ କରାଇଛନ୍ତି, ଯାହାର ଫଳସ୍ୱରୂପ ସାରା ଦେଶରେ ଏକ ସୁଦୃଢ଼ କ୍ରୀଡ଼ା ସଂସ୍କୃତି ସୃଷ୍ଟି ହୋଇଛି।ସେ ଆହୁରି ମଧ୍ୟ କହିଛନ୍ତି ଯେ ଅହମ୍ମଦାବାଦର ଏହି କ୍ରୀଡା କମ୍ପ୍ଲେକ୍ସ ଏବଂ ଅନ୍ୟାନ୍ୟ କ୍ରୀଡା ସୁବିଧାରେ ୨୦୨୯ ମସିହାରେ ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡ଼ାର ଆୟୋଜନ କରାଯିବ। ଏହାବ୍ୟତୀତ, ଭାରତ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ବିଡ୍ ଲଗାଇଛି, ଏବଂ ଅହମ୍ମଦାବାଦ ଖୁବ୍ ଶୀଘ୍ର ସେଗୁଡ଼ିକର ଆୟୋଜନ ପାଇଁ ଅନୁମୋଦନ ପାଇବାର ପ୍ରବଳ ସମ୍ଭାବନା ରହିଛି। ସେ ଏହା ମଧ୍ୟ କହିଥିଲେ ଯେ ୨୦୩୬ ମସିହାରେ ଅହମ୍ମଦାବାଦରେ ଅଲିମ୍ପିକ୍ସର ଆୟୋଜନ ପାଇଁ ଭାରତ ସରକାର ସମସ୍ତ ସମ୍ଭାବ୍ୟ ପ୍ରସ୍ତୁତି କରୁଛନ୍ତି। ଶ୍ରୀ ଶାହ ଆହୁରି କହିଥିଲେ ଯେ ୨୦୩୬ ମସିହା ସୁଦ୍ଧା ଏଠାରେ ୧୩ଟି ଅନ୍ତର୍ଜାତୀୟ ପ୍ରତିଯୋଗିତାର ଆୟୋଜନ କରାଯିବ, ଯାହାଦ୍ୱାରା ଅହମ୍ମଦାବାଦ କେବଳ ଗୁଜରାଟ ପାଇଁ ନୁହେଁ, ବରଂ ସମଗ୍ର ଏସୀୟ ମହାଦେଶ ପାଇଁ କ୍ରୀଡ଼ାର କେନ୍ଦ୍ରସ୍ଥଳୀ ହୋଇପାରିବ।