
ଭାରତ-ପାକିସ୍ତାନ ମଧ୍ୟରେ ହାତ ମିଳାଇବାକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ଭାରତୀୟ ଖେଳାଳି ପାକ ଖେଳାଳିଙ୍କ ସହ ହାଣ୍ଡସେକ୍ ନ କରିବା ପରେ ପାକିସ୍ତାନ କ୍ରିକେଟ ବୋର୍ଡ ମ୍ୟାଚ୍ ରେଫରୀ ଆଣ୍ଡି ପାଇକ୍ରଫ୍ଟଙ୍କୁ ଦାୟୀ କରି ତାଙ୍କୁ ଟୁର୍ନାମେଣ୍ଟରୁ ହଟାଇବାକୁ ଦାବି କରିଛି । ନ ହେଲେ ପାକିସ୍ତାନ ଏସିଆ କପ୍ ବଏକଟ୍ କରିବାର ଧମକ୍ ଦେଇଛି । ଏବେ ୟୁଏଇ ବିପକ୍ଷ ମ୍ୟାଚରେ ପାକିସ୍ତାନ ଖେଳିବ କି ନାହଁ ତା ଉପରେ ସମସ୍ତଙ୍କ ନଜର ରହିଛି ।ରବିବାର ଥିବା ଭାରତ-ପାକିସ୍ତାନ ମ୍ୟାଚରେ ଭାରତ ୭ ଉଇକେଟରେ ଜିତିବା ପରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ପାକିସ୍ତାନ ଅଧିନାୟକ ସଲମାନ ଆଲୀ ଆଘାଙ୍କ ସହ ହାଣ୍ଡସେକ୍ କରି ନଥିଲେ । ଭାରତୀୟ ଖେଳାଳିମାନେ କୌଣସି ପାକିସ୍ତାନୀ ଖେଳାଳିଙ୍କ ସହ ହାଣ୍ଡସେକ୍ ନ କରି ଡ୍ରେସିଙ୍ଗ୍ ରୁମରେ ପ୍ରବେଶ କରିଥିଲେ ।ପିସିବି ପ୍ରଥମେ ରେଫରୀଙ୍କୁ ଅଭିଯୋଗ କରିଥିଲା ଏବଂ ବର୍ତ୍ତମାନ ତାଙ୍କୁ ହଟାଇବାକୁ ଦାବି କରିଛି । ପିସିବି ଏସିୟାନ୍ କ୍ରିକେଟ୍ କାଉନସିଲ୍ ଓ ଆନ୍ତର୍ଜାତୀୟ କ୍ରିକେଟ୍ କାଉନସିଲ ହସ୍ତକ୍ଷେପ ଦାବି କରିଛି । ପିସିବି ମୁଖ୍ୟ ମୋହସିନ ନକଭି ଏସିସିର ଅଧ୍ୟକ୍ଷ ଅଛନ୍ତି । ରେଫରୀ ଆଇସିସି କୋଡ୍ ଉଲ୍ଲଙ୍ଘନ କରିଥିବା ପିସିବି ଆଇସିସିରେ ଅଭିଯୋଗ କରିଛି । ଏସିଆ କପ୍ ରୁ ମ୍ୟାଚ୍ ରେଫରୀଙ୍କୁ ତୁରନ୍ତ ହଟାଇବାକୁ ଦାବି କରାଯାଇଛି ।ହ୍ୟାଣ୍ଡସେକକୁ ନେଇ ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘା ଏବଂ ପାକିସ୍ତାନ କ୍ରିକେଟ ବୋର୍ଡ ଅଭିଯୋଗ ପରେ ବିସିସିଆଇ ପକ୍ଷରୁ ଏହାର ଉତ୍ତର ରଖାଯାଇଛି । ଯେଉଁଥିରେ ବିସିସିଆଇ ପକ୍ଷରୁ କୁହାଯାଇଛି ଯେ, ଭାରତୀୟ ଟିମ୍ ଯାହା କରିଛି ତାହା ଭୁଲ ନୁହେଁ ଏବଂ ଦସ୍ତମର୍ଦନକୁ ନେଇ ରୁଲ ବୁକରେ ସେମିତି କିଛି ନିୟମ ନାହିଁ ।ସେପଟେ ମୋହସିନ ନକଭି ଏକ୍ସରେ ଲେଖିଛନ୍ତି, ‘ପାକିସ୍ତାନ କ୍ରିକେଟ୍ ବୋର୍ଡ ଆଇସିସି ନିକଟରେ ଅଭିଯୋଗ କରିଛି ଯେ ମ୍ୟାଚ୍ ରେଫରି ଆଇସିସି ଆଚରଣ ସଂହିତା ଏବଂ କ୍ରୀଡ଼ା ମନୋଭାବ ସହିତ ଜଡ଼ିତ ଆଇନ ଉଲ୍ଲଂଘନ କରିଛନ୍ତି । ପିସିବି ଏସିଆ କପରୁ ମ୍ୟାଚ୍ ରେଫରିଙ୍କୁ ତୁରନ୍ତ ବହିଷ୍କାର କରିବାକୁ ଦାବି କରିଛି ।’