ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ; ‘ଜଗନ୍ନାଥ ମାଟିରୁ ଅଭିନନ୍ଦନ’ ଗୀତ ସହ ଓଡ଼ିଆ ସେଲିବ୍ରିଟିଙ୍କ ଶୁଭେଚ୍ଛା

ଭୁବନେଶ୍ୱର: ସେପ୍ଟମ୍ବର 17 ତାରିଖ ଅର୍ଥାତ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର 75ତମ ଜନ୍ମଦିନ । ଏହି ଅବସରରେ ଚାରିଆଡୁ ଛୁଟୁୁଛି ଶୁଭେଚ୍ଛାର ସୁଅ । ନେତା, ମନ୍ତ୍ରୀ ସମେତ ସେଲିବ୍ରିଟି ମୋଦିଙ୍କୁ ଶୁଭକାମନା ଜଣାଇଛନ୍ତି । ଏହି ଖାସ୍ ଦିନରେ ‘ଜଗନ୍ନାଥ ମାଟିରୁ ଅଭିନନ୍ଦନ’ ଗୀତ ରିଲିଜ ହୋଇଛି । ଯାହା ପ୍ରଧାନମନ୍ତ୍ରୀଙ୍କୁ ଉତ୍ସର୍ଗୀକୃତ କରାଯାଇଛି । ଏଥିରେ ଓଲିଉଡର ତମାମ ସେଲିବ୍ରିଟି ନଜର ଆସିଛନ୍ତି । ଏହି ଗୀତ ମାଧ୍ୟମରେ ବିଶେଷ ଶୁଭେଚ୍ଛା ଜଣାଇଛନ୍ତି କଳକାର ।’ଜଗନ୍ନାଥ ମାଟିରୁ ଅଭିନନ୍ଦନ’ ଗୀତ ବିଷୟରେ କହିବାକୁ ଗଲେ, ଏହି ଗୀତର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଲୋକପ୍ରିୟ ଗୀତିକାର ପ୍ରେମ ଆନନ୍ଦ । ସେ ଗୀତକୁ ଗାଇବା ସହ ଗାୟକ ସୌରଭ ଭରଦ୍ୱାଜ ଓ ଗାୟିକା ଦିପ୍ତୀରେଖା ପାଢୀ ଗାଇଛନ୍ତି । ଆଲେଖ ବିଶ୍ୱାଲ ଗୀତ ରଚନା କରିଛନ୍ତି । ଏହି ଗୀତରେ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କ ଠାରୁ ଆରମ୍ଭ କରି ଅନୁଭବ ମହାନ୍ତି, ଅନୁ ଚୌଧୁରୀ, ପିଙ୍କି ପ୍ରଧାନ ଭଳି ତାରକା ଅଭିନୟ କରିଛନ୍ତି । ଏଥିସହ ଗୀତରେ ମୋଦିଙ୍କ ଓଡ଼ିଶା ଗସ୍ତର ଝଲକ ମଧ୍ୟ ଦେଖିବାକୁ ମିଳିଛି । ତେବେ ଏହି ଗୀତ ରିଲିଜ ହେବାର କିଛି ଘଣ୍ଟା ମଧ୍ୟରେ ଭାଇରାଲ ହେବାରେ ଲାଗିଛି ।