
ଟୋକିଓ : ଜାପାନର ଟୋକିଓରେ ଚାଲିଥିବା ବିଶ୍ବ ଆଥଲେଟିକ୍ସ ଚାମ୍ପିଅନସିପ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ନୀରଜ ଚୋପ୍ରା । ନୀରଜ ଚୋପ୍ରା ପ୍ରଥମ ପ୍ରଚେଷ୍ଟାରେ ୮୪.୮୫ ମିଟର ଥ୍ରୋ ସହିତ ଫାଇନାଲକୁ ଯାଇଛନ୍ତି । ଫାଇନାଲରେ ପ୍ରବେଶ କରିବା ପାଇଁ ତାଙ୍କୁ ୮୪.୫୦ ମିଟର ଦୂର ଜାଭେଲିନ ଥ୍ରୋ କରିବାର ଥିଲା । କିନ୍ତୁ ନୀରଜ ପ୍ରଥମ ଚେଷ୍ଟାରେ ୮୪.୮୫ ମିଟର ଥ୍ରୋ କରିଥିଲେ । ଆସନ୍ତାକାଲି ଫାଇନାଲ୍ ଖେଳାଯିବ ଓ ପାକିସ୍ତାନର ଅର୍ଶଦ ନଦୀମଙ୍କ ସହ ମୁହାଁମୁହିଁ ହେବେ ନୀରଜ ଚୋପ୍ରା ।ନୀରଜ ଚୋପ୍ରାଙ୍କ ବ୍ୟତୀତ କୌଣସି ବି ଆଥଲେଟ୍ ପ୍ରଥମ ରାଉଣ୍ଡରେ ସିଧାସଳଖ ଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନ କରି ନାହାନ୍ତି । ନୀରଜ ଚୋପ୍ରାଙ୍କ ଗ୍ରୁପରେ ମୋଟ୍ ୬ ଆଥଲେଟ୍ ରହିଛନ୍ତି । ଜର୍ମାନୀର ଜୁଲିୟର ବେବର ୮୭.୨୧ ମିଟର ଥ୍ରୋ ସହିତ କ୍ବାଲିଫାଏ କରିଛନ୍ତି । ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡରେ ନୀରଜଙ୍କୁ ୧୯ ଜଣିଆ ଗ୍ରୁପ ଏରେ ରଖାଯାଇଥିଲା। ଏଥିରେ ଓ୍ଵେବର, ଓ୍ଵାଲକୋଟ, ଓ୍ଵାଇଲେଜ ଓ ସଚିନ ଯାଦବ ସାମିଲ ଥିଲେ ।ଅନ୍ୟପଟେ ଗ୍ରୁପ ବିରେ ପାକିସ୍ତାନର ଅର୍ଶଦ ନଦୀମ, ପିଟର୍ସ, ୟେଗୋ, ଦା ସିଲଭା, ରୋହିତ ଯାଦବ, ଯଶବୀର ସିଂ ଓ ଶ୍ରୀଲଙ୍କାର ରମେଶ ଥରଙ୍ଗା ସାମିଲ। ଗୁରୁବାର ହେବାକୁ ଥିବା ଫାଇନାଲରେ ନୀରଜ ଚୋପ୍ରାଙ୍କୁ କଡ଼ା ଚ୍ୟାଲେଞ୍ଜ ଦେବେ ପାକିସ୍ତାନର ଅର୍ଶଦ ନଦୀମ ।ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ପରେ ପ୍ରଥମ ଥର ଏହି ଦୁଇ ଖେଳାଳିଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିବ । ପ୍ୟାରିସ ଅଲିମ୍ପିକ୍ସରେ ଅର୍ଶଦ ୯୨.୯୭ ମିଟର ଭାଲା ଫିଙ୍ଗି ସ୍ଵର୍ଣ୍ଣ ପଦକ ଜିତିଥିଲେ । ଆଉ ନୀରଜ ନିଜର ସର୍ବଶ୍ରେଷ୍ଠ ଥ୍ରୋ ୮୯.୪୫ ମିଟର ଫିଙ୍ଗି ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା ।ତେବେ ବୁଦାପେଷ୍ଟରେ ଗତ ବିଶ୍ବ ଚାମ୍ପିଅନସିପରେ ନୀରଜ ୮୮.୧୭ ମିଟର ଥ୍ରୋ କରି ସ୍ବର୍ଣ୍ଣ ପଦକ ଜିତିଥିଲେ । ସେହିପରି ନଦୀମ ଦ୍ବିତୀୟ ଏବଂ ବାଲେଶ ୩ୟ ସ୍ଥାନରେ ରହିଥିଲେ ।