
ଭଞ୍ଜନଗର ୧୯/୦୯ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଢ଼ୋଲପିଟା ପ୍ରାଥମିକ ସେବା ସମବାୟ ସମିତିରେ ବସ୍ତାଏ ୟୁରିଆ ସାର ପାଇବା ପାଇଁ ଚାଷୀଙ୍କୁ ନାକେଦମ୍ ହେବାକୁ ପଡ଼ିଛି। ସୋସାଇଟିରେ ଦୀର୍ଘ ଦିନ ପରେ ୟୁରିଆ ସାର ପାଇବା ପାଈଁ ଲୋକ ମାନେ ଗୁରୁବାର ଭୋର ସମୟରୁ ଆସି ଗାଁ ଦାଣ୍ଡରେ ଆଧାର କାର୍ଡ,ଜମି ପଟା ଓ ଜରି ବ୍ୟାଗ ଧାଡିରେ ରଖି ଅପେକ୍ଷା କରିଥିଲେ। ଆଗ କିଏ ସାର ପାଇବ ତାକୁ ନେଇ ଚାଷୀଙ୍କ ମଧ୍ୟରେ ପ୍ରତିଦ୍ବନ୍ଦୀତା ଲାଗିଥିଲା। ସମିତିରେ ୨୨୫ ପ୍ୟାକେଟ୍ ସାର ମହଜୁଦ୍ ଥିବା ବେଳେ ୫୦୦ରୁ ଅଧିକ ଚାଷୀ ଭିଡ଼ ଜମା ଜମାଇବାରୁ କିଛି ସମୟ ଧରି ଉତ୍ତେଜନା ଦେଖାଦେଇଥିଲା। ଗୋଟିଏ ବସ୍ତା ସାର ପାଇଁ ଯେମିତି ଚାଷୀଙ୍କ ମଧ୍ୟରେ ଅଘୋଷିତ ପ୍ରତିଯୋଗିତା ଆରମ୍ଭ ହୋଇଯାଇଥିଲା । ପରେ ତାରସିଂ ପୁଲିସ ଉପସ୍ଥିତିରେ ସାର ବଣ୍ଟାଯାଇଥିଲା। ହେଲେ କମ୍ ଚାଷୀ ସାର ପାଇଥିବା ବେଳେ ଅଧିକ ଚାଷୀ ସାର ନପାଇ ଫେରି ଯାଇଛନ୍ତି।
ଚାଷୀଙ୍କ ଆବଶ୍ୟକତା କୁ ଦୃଷ୍ଟିରେ ରଖି ଢ଼ୋଲପିଟା ସମବାୟ ସମିତି କୁ ତିନି ଦିନ ପୁର୍ବେ ଏକ ଟ୍ରକ ସାର ଆଣି ବଣ୍ଟନ କରାଯାଉଥିଲା। ଖବର ପାଇ ୫୦୦ରୁ ଅଧିକ ଚାଷୀ ଆସି ଲମ୍ବାଧାଡ଼ିରେ ଛିଡ଼ା ହୋଇଥିଲେ। କିନ୍ତୁ ୨୨୫ ପ୍ୟାକେଟ୍ ସାର ଆସିଥିଲା। ଯାହାକୁ ନେଇ ଗତ କାଲି ହୋହଲ୍ଲା ହୋଇଥିଲା। ଗୁରୁବାର ପୁଣି ସାର ବଣ୍ଟନ ହେଉଥିବା ଶୁଣି ଆଖପାଖର ଚାଷୀ ଗାଁ ଦାଣ୍ଡରେ ନିଜ ନିର ଆଧାର କାର୍ଡ, ଜରି ବ୍ୟାଗ୍ ଓ ଚପଲ ପକାଇ ସାର ପାଇବା ପାଇଁ ଅପେକ୍ଷା କରି ରହିଥିଲେ।ପରିସ୍ଥିତି ଅଶାନ୍ତ ହେବାରୁ ତାରସିଂ ପୁଲିସ ପହଞ୍ଚିବା ପରେ ସାର ବଣ୍ଟନ କରାଯାଇଥିଲା। ହେଲେ ଅନେକ ଦୂରରୁ ଆସି ଦୀର୍ଘସମୟ ଧରି ଅପେକ୍ଷା କରି କିଛି ଚାଷୀ ସାର ନପାଇ ନିରାଶରେ ଫେରିଥିଲେ। ପ୍ୟାକ୍ସ ପାଇଁ ଆହୁରି ୭୦୦ରୁ ଅଧିକ ସାର ବସ୍ତାର ଆବଶ୍ୟକତା ରହିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ କିଛି ଚାଷୀଙ୍କ ସହ ଆଲୋଚନ/ବେଳେ ସେମାନେ କହିଛନ୍ତି, ବର୍ତ୍ତମାନ ଚାଷ ପାଇଁ ୟୁରିଆ ସାରର ଅଧିକ ଆବଶ୍ୟକତା ରହୁଛି। କିନ୍ତୁ ସମବାୟ ସମିତିରେ ସାର ମିଳୁନି। ଅନେକ ଦିନ ହେଲା ସେମାନେ ସାର ପାଇଁ ଅପେକ୍ଷା କରିଛନ୍ତି। ଯାହାର ସୁଯୋଗ ନେଇ କଳାବଜାର ବି ବଢ଼ିବାରେ ଲାଗିଛି।