
ଭୁବନେଶ୍ବର: ରାଜ୍ୟରେ ସରକାର ପରିବର୍ତ୍ତନରେ ଖବରକାଗଜଗୁଡିକର ଭୂମିକା ଯଥେଷ୍ଠ ଥିଲା। ସେଥିରେ ଅନ୍ୟତମ ଖବରକାଗଜ ନିର୍ଭୟ ର ଭୂମିକା ସର୍ବାଗ୍ରେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଜି ଭୁବନେଶ୍ବରର ମେ ଫାୟାର ହୋଟେଲରେ ନିର୍ଭୟ ଖବରକାଗଜ ତରଫରୁ ଆୟୋଜିତ ବର୍ଷିକ ସମ୍ମିଳନୀରେ ସେ ଏହି ତଥ୍ୟ ଉପସ୍ଥାପନା କରିଛନ୍ତି। ତେବେ ସେ ଏହି ଉତ୍ସବରେ ଯୋଗଦେଇ ଯାହା କହିଲେ ତାହା ହେଲା…ଦୈନିକ ସମ୍ବାଦପତ୍ର ନିର୍ଭୟର ଦ୍ଵାଦଶ ବାର୍ଷିକ ପୂର୍ତ୍ତି ଉତ୍ସବ ଅବସରରେ ନିର୍ଭୟ ପରିବାରର ସମସ୍ତ ସଦସ୍ୟମାନଙ୍କୁ ଏବଂ ଏହି ମନୋରମ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ନିର୍ଭୟ ପରିବାରର ବନ୍ଧୁମାନଙ୍କୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ନିର୍ଭୟର ସଂପାଦକ ନବୀନ ଦାସଙ୍କୁ ମୋର ସ୍ୱତନ୍ତ୍ର ଅଭିନନ୍ଦନ ଜଣାଉଛି।ଗୋଟିଏ ଖବର କାଗଜ ଏକ ଜଡ ବସ୍ତୁ ନୁହେଁ। ଏହା ହେଉଛି ଏକ ଜୀବନ୍ତ ସତ୍ତା। ଏ ସତ୍ତା ସମାଜକୁ ପଥ ପ୍ରଦର୍ଶନ କରେ। ଜ୍ଞାନ ବିତରଣ କରେ। It’s a friend, philosopher and guide. ତେଣୁ ଗୋଟିଏ ବ୍ୟକ୍ତି ପାଇଁ ତାର ଜନ୍ମ ଦିବସ ଯେତିକି ମହତ୍ତ୍ୱପୂର୍ଣ୍ଣ, ଗୋଟିଏ ଖବରକାଗଜ ପାଇଁ ମଧ୍ୟ ତାର ବାର୍ଷିକ ଉତ୍ସବ ସେତିକି ଗୁରୁତ୍ୱପୂର୍ଣ୍ଣ। ଏଥିରେ ଏହାର ସ୍ରଷ୍ଟା, ସମ୍ପାଦକ, ରିପୋର୍ଟର, ପାଠକ ଏବଂ ଏଥିରେ ଜଡ଼ିତ ଥିବା ସବୁ ବ୍ୟକ୍ତି ସ୍ଵତନ୍ତ୍ର ଖୁସି ଅନୁଭବ କରିଥାନ୍ତି। ଆଜି ନିର୍ଭୟ ପରିବାର ପାଇଁ ସେଇପରି ଏକ ଖୁସି ଓ ଆନନ୍ଦର ମୁହୂର୍ତ୍ତ।୨୦୧୩ରେ ନବୀନ ବାବୁ କିଛି ଯୁବକଙ୍କୁ ଦିଗ୍ଦର୍ଶନ ଦେଇ ଏହି ଖବର କାଗଜ ଆରମ୍ଭ କରିଥିଲେ। ଆଜି ୧୨ ବର୍ଷ ମଧ୍ୟରେ ଏହି ଖବର କାଗଜ ଅନେକ ଘାତ ପ୍ରତିଘାତ ସହି ପ୍ରତିଷ୍ଠା ହାସଲ କରିପାରିଛି। ଏହା ବାସ୍ତବରେ ବହୁତ ବଡ ସଫଳତା। ତେଣୁ ଆଜି ସମ୍ପାଦକ ନବୀନ ବାବୁଙ୍କ ପାଇଁ ଏକ ବିଶେଷ ଖୁସିର ମୁହୂର୍ତ୍ତ। ତାଙ୍କର ଜ୍ଞାନ, ତାଙ୍କ ସଂଗ୍ରାମ, ତାଙ୍କ ଦୂରଦୃଷ୍ଟି ପାଇଁ ମୁଁ ତାଙ୍କୁ ଅଭିନନ୍ଦନ ଜଣାଉଛି।ଅନେକ ଘାତ ପ୍ରତିଘାତ ମଧ୍ୟରେ ସରକାର ଓ ସମାଜରେ ହେଉଥିବା ବିଭିନ୍ନ ଅସଙ୍ଗତି ଓ ଦୁର୍ନୀତିକୁ ଲୋକଙ୍କ ସାମ୍ନାକୁ ଆଣିବା ପାଇଁ ସେ ବହୁତ ସଂଘର୍ଷ କରିଛନ୍ତି ।ସବୁ ପରିସ୍ଥିତିରେ ନିର୍ଭୟ ତା’ର ନିର୍ଭୀକତାର ପରିଚୟ ଦେଇଛି। ସତ୍ୟର ସ୍ୱର ହୋଇ ସମାଜକୁ ଆଲୋକିତ କରିଛି।ବିଗତ ବର୍ଷ ଗୁଡ଼ିକରେ ନିର୍ଭୟ ଅନେକ ଦୁର୍ନୀତିକୁ ଲୋକଲୋଚନକୁ ଆଣିପାରିଛି। ଚିଟ୍ ଫଣ୍ଡ ସ୍କାମ, ମଠ ମନ୍ଦିର ଭଙ୍ଗା, କୋଭିଡ ପରିଚାଳନାରେ ତ୍ରୁଟି ବିଚ୍ୟୁତି, ବ୍ରହ୍ମ ବିଭ୍ରାଟ- ସବୁ କ୍ଷେତ୍ରରେ ନିର୍ଭୟ ନିରପେକ୍ଷ ଭାବେ ସମ୍ବାଦ ପରିବେଷଣ କରିଛି ଏବଂ ଲୋକଙ୍କ ନିକଟରେ ପ୍ରକୃତ ସତ୍ୟକୁ ଉପସ୍ଥାପନ କରିଛି। କଳାର ସାମ୍ରାଜ୍ୟ ଉପରେ ମିଛ ଭାବମୂର୍ତ୍ତିର ପରଦାକୁ ଛିଣ୍ଡାଇବାରେ ନିର୍ଭୟ ସଫଳ ହୋଇପାରିଛି।ସମ୍ବାଦପତ୍ରକୁ ଆମେ ପରିବର୍ତ୍ତନର ସ୍ୱର ବୋଲି କହୁ। ଗତ ବର୍ଷ ଓଡ଼ିଶାର ରାଜନୈତିକ ଇତିହାସରେ ଏକ ବିରାଟ ପରିବର୍ତନ ଆସିଥିଲା । ଏକ ଯୁଗର ଅବସାନ ହୋଇଥିଲା। ଏ କ୍ଷେତ୍ରରେ ଅନେକ ଗଣମାଧ୍ୟମର ଭୂମିକା ରହିଛି। ତେବେ ନିର୍ଭୟ ଏଥିରେ ସର୍ବାଗ୍ରେ ଥିଲା, ଏଥିରେ କୌଣସି ସଂଶୟ ନାହିଁ। ନବୀନ ବାବୁଙ୍କ ନିର୍ଭୟ ଚିତ୍ତ ଏହି ଖବର କାଗଜର ଜେନେଟିକ କୋଡ଼ (genetic code) । ମୁଁ ଆଶା କରୁଛି ଏଥିରେ କୌଣସି ପରିବର୍ତ୍ତନ ବା ଏଡିଟିଙ୍ଗ ହେବ ନାହିଁ। ଏହା ତାର ମୌଳିକତା ବଜାୟ ରଖିବ ବୋଲି ମୋର ଦୃଢ଼ ବିଶ୍ୱାସ।ଗଣମାଧ୍ୟମ ସମାଜର ଚଳନ୍ତି ଇତିହାସ। ଏ ଇତିହାସ ପ୍ରତି ମୁହୂର୍ତ୍ତରେ ଶିକ୍ଷା ଦେଇଥାଏ, ଆଗକୁ ବଢ଼ିବାକୁ ପ୍ରେରଣା ଦେଇଥାଏ। ସମାଜର ସ୍ଥିତି ଓ ଗତି ଆମେ ଗଣମାଧ୍ୟମରୁ ହିଁ ଜାଣୁ। ଏହା ଲୋକଙ୍କୁ ସଚେତନ କରିଥାଏ। ସରକାରଙ୍କ ପାଇଁ ମଧ୍ୟ ତାଙ୍କ ନୀତି ଓ କର୍ମଧାରାରେ ପରିବର୍ତ୍ତନ ଆଣିବାକୁ ପ୍ରେରିତ କରିଥାଏ।