AMUL ନିଜ ଗ୍ରାହକଙ୍କୁ ଦେବ ଉପହାର, GST ଉପରେ କମିବ ଦାମ୍

GST ସ୍ଳାବରେ ପରିବର୍ତ୍ତନ । ଫଳରେ ଏହାର ଫାଇଦା ସିଧାସଳଖ ଭାବେ କମ୍ପାନୀଗୁଡିକ ଲୋକଙ୍କ ପାଖରେ ପହଞ୍ଚାଉଛି । ଗୁଜରାଟ କୋଅପ୍ରେଟିଭ୍ ମିଲ୍କ ମାର୍କେଟିଂ କର୍ପୋରେସନ (GCMMF) ଶନିବାର ଦିନ ହ୍ରାସ ପାଇଥିବା GST ହାରର ଲାଭ ଗ୍ରାହକମାନଙ୍କୁ ଦେବାକୁ ନିଷ୍ପତ୍ତି ନେଇଛି । କମ୍ପାନୀ ଘିଅ, ବଟର ଆଇସକ୍ରିମ, ବେକେରୀ ଉତ୍ପାଦ ଏବଂ ଫ୍ରୋଜେନ୍ ସ୍ନାକ୍ସ ସମେତ ୭୦୦ ରୁ ଅଧିକ ଉତ୍ପାଦ ପ୍ୟାକେଜର ଖୁଚୁରା ମୂଲ୍ୟ ହ୍ରାସ ଘୋଷଣା କରିଛି । ଯାହାର ନୂଆ ମୂଲ୍ୟ ସେପ୍ଟେମ୍ବର ୨୨ରୁ ଲାଗୁ କରାଯିବ ।ସୂଚନାନୁଯାୟୀ, ଏହି ମୂଲ୍ୟ ହ୍ରାସ ବଟର, ଘିଅ, UHT କ୍ଷୀର, ଆଇସକ୍ରିମ, ପନିର, ଚକୋଲେଟ, ବେକେରୀ ରେଞ୍ଜ, ଫ୍ରୋଜେନ୍ ଡେରୀ ଏବଂ ଆଳୁ ସ୍ନାକ୍ସ, କଣ୍ଡେନ୍ସଡ୍ ମିଲ୍କ, ପିନାଟ ସ୍ପ୍ରେଡ୍, ମାଲ୍ଟ-ଆଧାରିତ ପାନୀୟ ଇତ୍ୟାଦି ଉତ୍ପାଦ ଉପରେ ଲାଗୁ କରାଯାଇଛି ବୋଲି GCMMF କହିଛି । ଅମୁଲ ବଟର(୧୦୦ ଗ୍ରାମ)ର ମୂଲ୍ୟ ୬୨ ଟଙ୍କାରୁ ୫୮ ଟଙ୍କାକୁ ହ୍ରାସ କରାଯାଇଥିଲାବେଳେ ଘିଅର ମୂଲ୍ୟ ୪୦ ଟଙ୍କା ହ୍ରାସ ପାଇଛି । ଯାହାର ଲିଟର ପିଛା ୬୧୦ ଟଙ୍କା ହୋଇଛି ।ସେହିପରି ଭାବେ ପନିର ବ୍ଲକ୍ (୧ କିଲୋଗ୍ରାମ)ର ମୂଲ୍ୟ ପ୍ରତି କିଲୋଗ୍ରାମ ୩୦ ଟଙ୍କା ହ୍ରାସ ପାଇ ୫୪୫ ଟଙ୍କା ହୋଇଛି। ଫ୍ରୋଜେନ୍ ପନିର (୨୦୦ଗ୍ରାମ)ର MRP ୯୯ ଟଙ୍କାରୁ ୯୫ ଟଙ୍କା ହୋଇଛି । ଯାହା ସେପ୍ଟେମ୍ବର ୨୨ ତାରିଖରୁ କାର୍ଯ୍ୟକାରୀ ହେବ ।ମୂଲ୍ୟ ହ୍ରାସ ହେବା ଦ୍ୱାରା ବିଶେଷ କରି ଆଇସକ୍ରିମ, ପନିର ଏବଂ ବଟରର ବ୍ୟବହାର ବୃଦ୍ଧି ପାଇବ । କାରଣ ଭାରତରେ ବର୍ତ୍ତମାନ ଏହାର ବ୍ୟବହାର ଖୁବ୍ କମ୍ ବୋଲି ଅମୁଲ ଏକ ବିବୃତ୍ତିରେ କହିଛି । GSTହ୍ରାସ ହେବା ସହିତ କ୍ଷୀର ଉତ୍ପାଦର ଚାହିଦା ମଧ୍ୟ ବୃଦ୍ଧି ପାଇବ, ଯାହା ଫଳରେ ଏହାର ବ୍ୟବସାୟରେ ଅଭିବୃଦ୍ଧି ଘଟିବ ।