୨ଟା ଗୁପଚୁପ ପାଇଁ ହାଇଡ୍ରାମା, ରାସ୍ତା ମଝିରେ ବସି ପ୍ରତିବାଦ କଲେ ମହିଳା

ଗୁଜରାଟ ଭଦୋଦରାର ଘଟଣା । ଜଣେ ମହିଳା ଗୁପଚୁପ ଦୋକାନୀଙ୍କ ଠୁ ଗୁପଚୁପ ଖାଇଥିଲେ । ଗୁପଚୁପ୍ ବିକାଳି ଜଣକ ଦୁଇଟି ଗୁପଚୁପ କମ୍ ଦେଇଥିଲେ । ଆଉ ଏହାପରେ ଆରମ୍ଭ ହୋଇଥିଲା ମହାଭାରତ । ମହିଳା ଜଣଙ୍କ ଦୋକାନୀ ସହ ଯୁକ୍ତିତର୍କ କରିବା ପରେ ଭଦୋଦରା ସୁରସାଗରର ରାସ୍ତା ମଝିରେ ଧାରଣା ଦେଇ ଅବରୋଧ କରିଥିଲେ ।ସେ କହିବା ମୁତାବକ, ତାଙ୍କୁ ୨୦ ଟଙ୍କାରେ ୬ଟି ଗୁପଚୁପ୍ ବଦଳରେ କେବଳ ୪ଟି ଗୁପଚୁପ୍ ଦିଆଯାଇଥିଲା । ଗୁପଚୁପ୍ ବିକାଳୀକୁ ବାରମ୍ବାର କହିବା ପରେ ମଧ୍ୟ ସେ ଆଉ ୨ଟି ଗୁପଚୁପ୍ ଦେଇନଥଲେ । ଏହା ପରେ ସେ ରାସ୍ତା ମଝିରେ ବସି ଧାରଣା ଦେବା ସହ କାନ୍ଦିବାକୁ ଲାଗିଲେ । ଆଉ ଯେ ପର୍ଯ୍ୟନ୍ତ ଆଉ ଦୁଇଟି ଗୁପଚୁପ ତାଙ୍କୁ ଦିଆ ନ ଯାଇଛି ସେ ପର୍ଯ୍ୟନ୍ତ ଧାରଣାରୁ ଉଠିବେନି ବୋଲି କହିଥିଲେ । ଫଳରେ କିଛି ଘଣ୍ଟା ଧରି ଲାଗି ରହିବାରୁ ଟ୍ରାଫିକ୍ ଜାମ ମଧ୍ୟ ହୋଇଥିଲା ।ତେବେ ମହିଳା ଜଣକ ଦୀର୍ଘ ସମୟ ଧାରଣା ଦେବା ଦେଖି ସେଠାରେ ଲୋକଙ୍କ ଭିଡ଼ ଜମିଥିଲା । କିଛି ଲୋକ ସ୍ଥାନୀୟ ପୁଲିସକୁ ଖବର ଦେଇଥିଲେ । କିଛି ସମୟ ପରେ ପୁଲିସ ପହଞ୍ଚିବା ପରେ ପ୍ରତିବାଦ ଆହୁରି ନାଟକୀୟ ହୋଇଥିଲା । ମହିଳା ଜଣକ କାନ୍ଦି ପକାଇଲେ ଏବଂ ତାଙ୍କୁ ନ୍ୟାୟ ଦେବାକୁ ପୁଲିସକୁ ଅନୁରୋଧ କରିଥିଲେ । ପୁଲିସ ମହିଳାଙ୍କୁ ରାସ୍ତାରୁ ଉଠାଇ ପରିସ୍ଥିତିର ସମାଧାନ କରିଥିଲା । ଆଉ ଗୁପଚୁପ୍ ବିକାଳୀଙ୍କୁ ଆଉ ଦୁଇଟି ଗୁପଚୁପ ଦେବାକୁ କହିଥିଲା । ତେବେ ଗୁପଚୁପ ପ୍ରେମୀଙ୍କର ଏଭଳି ହରକତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।