ଚାଲିଥିଲା ଜୁଆ ଖେଳ, ମାଡି ବସିଲା ବେଲଗୁଣ୍ଠା ପୁଲିସ; ଟଙ୍କା ସହ ବାଇକ୍ ଓ ମୋବାଇଲ ଜବତ,୧୦ଗିରଫ

ବେଲଗୁଣ୍ଠା ୨୧/୦୯ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲା ବେଲଗୁଣ୍ଠା ପୋଲିସ ରବିବାର ମଙ୍ଗଳପୁର ଗ୍ରାମରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୧୦ ଜଣ ଜୁଆଡିଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଏଥିସହ ସେମାନଙ୍କ ଠାରୁ ୨୨ ହଜାର ୭୦୦ ଟଙ୍କା ସହ ୩ ଟି ବାଇକ୍, ଗୋଟିଏ ସ୍କୁଟର,୧୦ଟି ମୋ ମୋବାଇଲ ଫୋନ ଓ ୮ସେଟ କାର୍ଡ ଜବତ କରିଛି ପୋଲିସ।

ସୂଚନା ଯୋଗ୍ୟ ଯେ, ଗଞ୍ଜାମ ଜିଲାରେ ଦଶହରା ପୂର୍ବରୁ ଏବଂ ପରେ କୁମାର ପୂର୍ଣ୍ଣିମା ଓ ଅମାବାସ୍ୟା ପର୍ଯ୍ୟନ୍ତ ଗାଁ ଗହଳିରେ ଜୁଆ ଖେଳ ବୃଦ୍ଧି ପାଇଥାଏ। ଏହି ସମୟରେ ଅନେକ ଲୋକ ଜୁଆ ଖେଳରେ ଟଙ୍କା ହରାଇ ମାନସିକ ଦୁଶ୍ଚିନ୍ତାରେ ରହିଥାନ୍ତି। ଏଥିସହ ଏହି ସମୟରେ ଚୋରୀ ମଧ୍ୟ ବଢ଼ିଥାଏ। ତେଣୁ ଗଞ୍ଜାମ ପୋଲିସ ପକ୍ଷରୁ ଜିଲ୍ଲାରେ ଜୁଆ ଆଡ୍ଡାକୁ ଠାବ କରି ଅଭିଯୁକ୍ତ ମାନଙ୍କୁ ଗିରଫ ପାଇଁ ଏସପି ଶୁଭେନ୍ଦୁ କୁମାର ପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ଏହିଭଳି ବେଲଗୁଣ୍ଠା ଥାନା ଅଧିକାରିଣୀ ରେବତୀ ଶବର ଙ୍କ ନିର୍ଦେଶ କ୍ରମେ ରବିବାର ସନ୍ଧ୍ୟା ସମୟରେ ଥାନା ଅଞ୍ଚଳରେ ପେଟ୍ରୋଲିଂ ଚାଲୁଥିବା ସମୟରେ ପୁଲିସ ଏକ ମଙ୍ଗଳପୁରର ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଥିଲେ।ଚଢାଉ ସମୟରେ ପୁଲିସ ଟଙ୍କା ଜବତ କରିବା ସହ ଖେଳରେ ବ୍ୟବହୃତ ତାସ ଜବତ କରିବା ସହ ମନ୍ଦାରର ଭଗବାନ ସ୍ବାଇଁ,ସୋରଡ଼ର କଂଗ୍ରେସ ସେଠୀ,ଜିଲିବାର ଦିଲ୍ଲୀପ ରଣା,ବାବୁଲା ସ୍ବାଇଁ, ଶୁସାନ୍ତ ଜେନା,ଖୋଳଖାଳିର ରଞ୍ଜନ ନାଇକ,ମଙ୍ଗଳପୁରର ମନୋରଞ୍ଜନ ଗୌଡ଼,ପୁନିଆ ନାଇକ,ଆଲୋକ ଖଟେଇ ଓ ଧୀରେନ୍ଦ୍ର ବିଶ୍ୱାଳଙ୍କୁ କାବୁ କରିଥିଲେ। ପରେ ସେମାନଙ୍କୁ ଗିରଫ କରାଯାଇଥିବା ଥାନା ଅଧିକାରିଣୀ ରେବତୀ ଶବର ସୁଚନା ଦେଇଛନ୍ତି।