
ମହାକାଳପଡ଼ା : ସମୁଦ୍ରରେ ମାଛ ଧରୁଥିବା ବେଳେ ବଜ୍ରପାତ ଘଟି ବାପା ମୃତ ଓ ପୁଅ ନିଖୋଜ । ଏମିତି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ତନ୍ତିଆପାଳ ସାମୁଦ୍ରିକ ଥାନା ତନ୍ତିଆପାଳ ଗାଁରେ । ସମୁଦ୍ରରେ ବାପା ପୁଅ ମିଶି ଛୋଟ ଡ଼ଙ୍ଗୀ ସାହାଯ୍ୟରେ ଧରୁଥିଲେ ମାଛ । ହଠାତ ପାଗରେ ପରିବର୍ତ୍ତନ ଦେଖାଗଲା ।ଚାହୁଁ ଚାହୁଁ ନିମିଷକେ ମଧ୍ୟରେ ଆକାଶରେ କଳା ହାଣ୍ଡିଆ ମେଘ ଘୋଟିଆସିଲା । ବିଜୁଳି ଘଡ଼ ଘଡିରେ କମ୍ପିଲା ଅଞ୍ଚଳ । ତୁହାକୁ ତୁହା ବର୍ଷା ସାଙ୍ଗକୁ ପବନର ବେଗ ସମୁଦ୍ରରେ ବଢିବାକୁ ଲାଗିଲା । ଆଉ ହଠାତ କେହି କିଛି ବୁଝିବା ପୂର୍ଵରୁ ଡ଼ଙ୍ଗା ଉପରେ ପଡିଲା ବଜ୍ରପାତ । ଘଟଣାସ୍ଥଳରେ ବାପାର ମୃତ୍ୟୁ ହୋଇଥିବା ବେଳେ ପୁଅ ନିଖୋଜ ହୋଇ ଯାଇଛି ।ସୂଚନାନୁଯାୟୀ, ଗାଁର ବିଜୟ ପରିଡା ନିଜର ୧୭ ବର୍ଷ ପୁଅ ମାନସକୁ ସବୁଦିନ ଭଳି ସାଙ୍ଗରେ ନେଇ ଗଭୀର ସମୁଦ୍ରରେ ମାଛମାରନ୍ତି । ଗତକାଲି ସମୁଦ୍ରରେ ମାଛ ମାରୁଥିବା ବେଳେ ବଜ୍ରପାତରେ ଟଳିପଡିଲେ ବାପା-ପୁଅ l ଖବର ପାଇଁ ସ୍ଥାନୀୟ ବନ ବିଭାଗ ଓ ପୋଲିସର ମିଳିତ ସହଯୋଗରେ ଡ଼ଙ୍ଗା ସହ ମୃତ ବିଜୟ ପରିଡାର ପାର୍ଥିବ ଶରୀରକୁ ଉଦ୍ଧାର କରିଥିବାବେଳେ ପୁଅ ମାନସ ନିଖୋଜ ଥିବା ଜଣାଯାଇଛି । ଏ ଦୁଃଖଦ ଖବର ଶୁଣି ପରିବାର ଓ ଗାଁ ରେ ଶୋକର ଛାୟା ଖେଳିଯାଇଛି ।