କିଛି ଘଣ୍ଟାର ପ୍ରବଳ ବର୍ଷାରେ ଉବୁଟୁବୁ କୋଲକତା, ଅତିକମରେ ୬୨ ବିମାନ ଉଡ଼ାଣ ବାତିଲ

କୋଲକତା : ଦୁର୍ଗାପୂଜା ପୂର୍ବରୁ କୋଲକତାରେ ପ୍ରବଳ ବର୍ଷା । ପ୍ରବଳ ବର୍ଷାରେ ଉବୁଟୁବୁ ହେଉଛି କୋଲକତା । କୋଲକାତାରେ ଗତକାଲି ରାତି ସାରା ପ୍ରବଳ ବର୍ଷା ହେତୁ ପାଣି ଜମି ରହିବା ସହିତ ସହରର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ଯାହା ଫଳରେ ଯାତାୟାତ ବ୍ୟବସ୍ଥା ଠପ୍ ହୋଇଯାଇଛି । ଯାହାର ପ୍ରଭାବରେ କୋଲକାତା ବିମାନବନ୍ଦର ରନୱେ ଜଳପୂର୍ଣ୍ଣ ଥିବା ଦୃଶ୍ୟ ଦେଖାଯାଇଥିବାରୁ ୧୦୦ରୁ ଅଧିକ ବିମାନ ପ୍ରଭାବିତ ହୋଇଥିବା ବେଳେ ଅତି କମରେ ୬୨ଟି ବିମାନ ଉଡ଼ାଣକୁ ବାତିଲ କରାଯାଇଛି ।ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ସହରରେ ମାତ୍ର ତିନି ଘଣ୍ଟା ମଧ୍ୟରେ ୧୮୫ ମିମି ବର୍ଷା ରେକର୍ଡ କରାଯାଇଛି, ଯାହା ବର୍ଷକ ମଧ୍ୟରେ ସର୍ବାଧିକ । ଆଲିପୁରରେ ୨୪ ଘଣ୍ଟା ମଧ୍ୟରେ ୨୪୭.୫ ମିମି ବର୍ଷା ହୋଇଛି ଏବଂ ଅନେକ ପଡ଼ୋଶୀ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି । ପ୍ରବଳ ବର୍ଷା ଫଳରେ ରାସ୍ତା, ଘର ଏବଂ ବଜାରକୁ ବୁଡ଼ାଇ ଦେଇଛି । ଏହି ବର୍ଷା ରେଳ ଏବଂ ମେଟ୍ରୋ ସେବାକୁ ବାଧାପ୍ରାପ୍ତ କରିଛି, ଅନେକ ଦୂରଗାମୀ ଟ୍ରେନର ସମୟସୂଚୀ ପରିବର୍ତ୍ତନ ହୋଇଛି ।କୋଲକାତାର ଅନେକ ମଣ୍ଡପରେ ପାଣି ଜମି ରହିବା ଯୋଗୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ତାଙ୍କର ନିର୍ଦ୍ଧାରିତ ଦୁର୍ଗାପୂଜା ଉଦଘାଟନକୁ ବାତିଲ କରିଛନ୍ତି । ସେ ତାଙ୍କର ସମସ୍ତ ଯୋଜନାବଦ୍ଧ ବୈଠକ ଏବଂ ଅନ୍ୟାନ୍ୟ ସରକାରୀ କାର୍ଯ୍ୟକ୍ରମକୁ ମଧ୍ୟ ବାତିଲ କରିଛନ୍ତି ।ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ଘଟଣାରେ ୭ ଜଣଙ୍କ ଜୀବନ ଚାଲିଯାଇଛି । ଏଥିରେ କିଛି ଜଣଙ୍କୁ କରେଣ୍ଟ ଲାଗିବା ଯୋଗୁଁ ମୃତ୍ୟୁ ହୋଇଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ମେୟର ଫିରହାଦ ହକିମ ଲୋକଙ୍କୁ ଘରେ ରହିବାକୁ ଅପିଲ୍ କରିଛନ୍ତି । ଯଦି ଆହୁରି ବର୍ଷା ହୁଏ, ତେବେ ଜଳମଗ୍ନ ଅଞ୍ଚଳରୁ ପାଣି ଖାଲି ହେବାକୁ ୧୨ ଘଣ୍ଟା ସମୟ ଲାଗିବ ।ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ଉପକୂଳରେ ଉତ୍ତର-ପୂର୍ବରେ ଲୋ-ପ୍ରେସର ହୋଇଥିବା ଯୋଗୁଁ କୋଲକତା, ହୁଗଲି ଏବଂ ହାୱଡା ସମେତ ପଶ୍ଚିମବଙ୍ଗର ତଟବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି ।