ରଣକ୍ଷେତ୍ର ପାଲଟିଲା ଲୋୟର PMG: ଭାଙ୍ଗିଲା ବ୍ୟାରିକେଡ, ପାଣିମାଡ କଲା ପୋଲିସ

ଭୁବନେଶ୍ବର: ରାଜ୍ୟର ଦୁଇ ପ୍ରମୁଖ ରାଜନୈତିକ ଦଳ ଆଜି ବିଧାନସଭା ଘେରାଉ କରିଛନ୍ତି । ପଞ୍ଚାୟତିରାଜ ବ୍ୟବସ୍ଥାରେ ନିର୍ବାଚିତ ପ୍ରତିନିଧିଙ୍କ କ୍ଷମତା ସଙ୍କୁଚିତ ପ୍ରତିବାଦରେ ପ୍ରଥମେ ବିଜେଡି ବିଧାନସଭା ଘେରାଇ କରିଛି । ପରବର୍ତ୍ତୀ ସମୟରେ କିଷାନ କଂଗ୍ରେସ ପକ୍ଷରୁ ଚାଷୀଙ୍କ ସମସ୍ୟା ଓ ପର୍ଯ୍ୟାପ୍ତ ସାର ଯୋଗାଣ ଦାବିରେ ବିଧାନସଭା ଘେରାଉ କରାଯାଇଛି । ଉଭୟ ଦଳ ବିଧାନସଭା ଘେରିବା ବେଳେ ପୋଲିସ ସହ ମୁହାଁମୁହିଁ ହୋଇଛନ୍ତି । ଫଳରେ ଗାନ୍ଧୀ ମାର୍ଗ ରଣଭୂମିରେ ପରିଣତ ହୋଇଛି । ଉଭୟ ଦଳର ନେତା ଓ କର୍ମୀ ବ୍ୟାରିକେଡ ଭାଙ୍ଗି ଆଗକୁ ବଢୁଥିବା ବେଳେ ପୋଲିସ ପାଣି ମାଡ଼ କରିଥିଲା । ସେପଟେ ପୋଲିସ-ଦଳୀୟ କର୍ମୀଙ୍କ ଧସ୍ତାଧସ୍ତିରେ ଉଭୟ ପକ୍ଷରୁ ୨୦ ଊର୍ଦ୍ଧ୍ଵ ଆହତ ହୋଇଛନ୍ତି । ପୋଲିସ ଉଭୟ ଦଳର ଶତାଧିକ ନେତା ଓ କର୍ମୀଙ୍କୁ ଗିରଫ କରିଛି ।

ବିଜେଡିର ବିଧାନସଭା ଘେରାଉ:ସଂକୁଚିତ ହେଉଛି ରାଜ୍ୟରେ ପଞ୍ଚାୟତିରାଜ ବ୍ୟବସ୍ଥାର କ୍ଷମତା । ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କ ଭୂମିକାକୁ ଗୌଣ କରୁଛି ବିଜେପି ସରକାର । ଗ୍ରାମସଭା ଓ ପଞ୍ଚାୟତକୁ ହେୟଜ୍ଞାନ କରି ପ୍ରଶାସନର ଦୂରୁପଯୋଗ କରୁଛି ବିଜେପି । ବିଜେପି କ୍ଷମତାକୁ ଆସିବା ପରଠାରୁ ଗ୍ରାମାଞ୍ଚଳ ବିକାଶ ବାଟବଣା ହୋଇଛି । ଏହି ଅଭିଯୋଗ କରି ଆଜି ପ୍ରତିବାଦ କରିଛି ବିଜେଡି । ବିଧାନସଭାରେ ଆଜି ପ୍ରସଙ୍ଗ ଉଠାଇ ଗୃହକୁ ଅଚଳ କରିବା ସହ ବିଧାନସଭା ଘେରାଉ କରିଛି ବିଜେଡି । ବରିଷ୍ଠ ନେତା ମାନଙ୍କ ନେତୃତ୍ୱରେ ଆଜି ପୂର୍ବାହ୍ନ ପ୍ରାୟ ୧୧ ସମୟରେ ପ୍ରାୟ ୨ ହଜାରରୁ ଊର୍ଦ୍ଧ୍ବ ବିଜେଡି ନେତା ଓ କର୍ମୀ ଗାନ୍ଧୀମାର୍ଗରେ ପହଁଚିଥିଲେ । ମାଷ୍ଟର କ୍ୟାଣ୍ଟିନରୁ ବିଧାନସଭା ଆଡେ ମାଡି ଆସିଥିଲେ ବିଜେଡି ନେତା ଓ କର୍ମୀ । ଗୋଟେ ପରେ ଗୋଟେ ବ୍ୟାରିକେଡ ଭାଙ୍ଗି ବିଜେଡି ନେତା ଓ କର୍ମୀ ବିଧାନସଭା ଆଡେ ମାଡି ଚାଲିଥିଲେ । ପୋଲିସ ସେମାନଙ୍କୁ ଅଟକେଇବାକୁ ଚେଷ୍ଟା କରିଥିଲା । ଉଭୟଙ୍କ ମଧ୍ୟରେ ବାରମ୍ବାର ଧସ୍ତାଧସ୍ତି ହୋଇଥିଲା । ଉଭୟ ପକ୍ଷରୁ ଏକାଧିକ ଆହତ ହୋଇଥିଲେ । ଶେଷରେ ପୋଲିସ ବିଜେଡି ନେତା ଓ କର୍ମୀଙ୍କ ଉପରେ ପାଣି ମାଡ଼ କରିଥିଲା । ପରେ ଶତାଧିକ ନେତାଙ୍କୁ ପୋଲିସ ଗିରଫ କରିଛି ।

ଏପରି କହିଲେ ବିଜେଡି ନେତା:ବିଜେଡି ନେତା ପ୍ରତାପ ଜେନା କହିଛନ୍ତି,”ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାର ସୁଦୃଢିକରଣ କରି ଗ୍ରାମାଞ୍ଚଳର ବିକାଶ ଜନସାଧାରଣଙ୍କ ହାତରେ ଦେବା ପାଇଁ ସମ୍ବିଧାନରେ ଉଲ୍ଲେଖ ରହିଛି । ରାଜ୍ୟରେ ବିଜେପି ସରକାରକୁ ଆସିବା ପରେ କ୍ଷମତା ଲୋଭରେ ପ୍ରତ୍ୟେକ ଦିନ ଏହାକୁ ଉଲ୍ଲଂଘନ କରୁଛି । ପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲାପରିଷଦ ସ୍ତରରେ ବିଧି ବ୍ୟବସ୍ଥାକୁ ଦଳିଚକଟି ପଞ୍ଚାୟତିରାଜ ବ୍ୟବସ୍ଥାକୁ ପଙ୍ଗୁ କରିବା ପାଇଁ ବିଜେପି ବାରମ୍ବାର ଅପଚେଷ୍ଟା କରୁଛି । ପ୍ରଶାସନିକ କଳକୁ ହାତବାରିଶି କରି ନିର୍ବାଚିତ ପ୍ରତିନିଧିଙ୍କ ସମ୍ମାନ କ୍ଷୁଣ୍ଣ କରିବା ପାଇଁ ପ୍ରତ୍ୟେକ ଦିନ ନୂଆ ନୂଆ ବ୍ୟବସ୍ଥା କରାଯାଉଛି । ନିର୍ବାଚିତ ପ୍ରତିନିଧିଙ୍କୁ ରବର ଷ୍ଟାମ୍ପ ଭାବେ ବ୍ୟବହାର କରିବା ପାଇଁ ବିଜେପି ସରକାର ସରକାରୀ ଅଧିକାରୀଙ୍କ ହାତରେ ଅଧିକ କ୍ଷମତା ଦେବାକୁ ପଛାଉନାହାନ୍ତି । ବିଜେପି ସରକାର ଦିଶାହୀନ ଭାବେ ପଞ୍ଚାୟତିରାଜ ବ୍ୟବସ୍ଥାକୁ ନିୟନ୍ତ୍ରଣ କରୁଛନ୍ତି ।”

ବ୍ଲକ ଅଧ୍ୟକ୍ଷଙ୍କ ହାତ ବାନ୍ଧିଛନ୍ତି ମୋହନ ସରକାର ‘ରାଜ୍ୟରେ ୯୦ ପ୍ରତିଶତ ବ୍ଲକରେ ବିଜେଡି ସମର୍ଥିତ ଅଧ୍ୟକ୍ଷ ଥିବାରୁ ବ୍ଲକରେ ସରକାରୀ ଦଳର ଦବଦବା ରହୁନଥିଲା । ପଞ୍ଚାୟତକୁ ଆସୁଥିବା ପାଣ୍ଠି ଆବଣ୍ଟନରେ ମଧ୍ୟ ଶାସକ ଦଳ ବିଧାୟକଙ୍କର ବିଶେଷ ଭୂମିକା ରହୁନାହିଁ । ଏହାକୁ କାଉଣ୍ଟର କରିବାକୁ ଶାସକ ଦଳ ବିଜେପିର ଷ୍ଟାଟାଜି । କ୍ୟାବିନେଟ ଜରିଆରେ ବ୍ଲକ ଅଧ୍ୟକ୍ଷଙ୍କ ହାତ ବାନ୍ଧିଛନ୍ତି ମୋହନ ସରକାର । ବ୍ଲକ ଅଧ୍ୟକ୍ଷଙ୍କ ବଦଳରେ କ୍ଷମତାଶାଳୀ ହୋଇଛନ୍ତି ବିଡିଓ । ବଢ଼ିଛି ବିଡ଼ିଓଙ୍କ ଆର୍ଥିକ କ୍ଷମତା । ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିଲ ପାସ ପାଇଁ କାଉଣ୍ଟର ଦସ୍ତଖତ ପାଇଁ ଆଉ ବ୍ଲକ ଅଧ୍ୟକ୍ଷ ଖୋଜା ପଡୁନାହିଁ । ବ୍ଲକର ଅଧିକାଂଶ ପ୍ରକଳ୍ପ ମୂଲ୍ୟ ୧୦ରୁ ୧୫ ଲକ୍ଷ ଭିତରେ ଥାଏ । ୨୦ ଲକ୍ଷ ପର୍ଯ୍ୟନ୍ତ ପ୍ରକଳ୍ପରେ ବିଡିଓ ଦସ୍ତଖତ ମାରିବା ନେଇ ନିଷ୍ପତ୍ତି ହୋଇଛି । ନୂଆ ନିଷ୍ପତ୍ତି ଅନୁଯାୟୀ ୨ ଲକ୍ଷରୁ ୨୦ ଲକ୍ଷ ଟଙ୍କା ପ୍ରକଳ୍ପ ବଦଳରେ ୨୦ ଲକ୍ଷ ଟଙ୍କାରୁ ୫୦ ଲକ୍ଷ ଟଙ୍କାର ପ୍ରକଳ୍ପରେ ବ୍ଲକ ଅଧ୍ୟକ୍ଷ ଦସ୍ତଖତ ରହିବ । ପୂର୍ବରୁ କେବଳ ୨ ଲକ୍ଷରୁ କମ ଟଙ୍କାର ପ୍ରକଳ୍ପ ଫାଇଲରେ ବିଡିଓ ଦସ୍ତଖତ କରୁଥିଲେ ।

ସାର ସଙ୍କଟକୁ ନେଇ କଂଗ୍ରେସର ବିଧାନସଭା ଘେରାଉ:ସେହିପରି ରାଜ୍ୟରେ ସାର ସଙ୍କଟ, ସାରର ବ୍ୟାପକ କଳାବଜାରୀ ଓ ସରକାରୀ ଉଦାସୀନତା ବିରୋଧରେ କିଷାନ କଂଗ୍ରେସ ଆଜି ବିଧାନସଭା ଘେରାଉ କରିଛି । କଂଗ୍ରେସର କିଷାନ ସେଲର ଅଧ୍ୟକ୍ଷ ଅଭୟ ସାହୁଙ୍କ ନେତୃତ୍ୱରେ ହଜାରରୁ ଊର୍ଦ୍ଧ୍ବ କଂଗ୍ରେସ ନେତା ଓ କର୍ମୀ ବିଧାନସଭା ଘେରାଉ କରିଛନ୍ତି । କଟକ ଜିଲ୍ଲା ଲକ୍ଷେଶ୍ବର ମନ୍ଦିର ପ୍ରାଙ୍ଗଣରୁ ଓଡିଶା କିଷାନ କଂଗ୍ରେସର ଏକ ଶୋଭାଯାତ୍ରା ବାହାରି ଜାତୀୟ ରାଜପଥରେ ରସୁଲଗଡ, ବାଣୀବିହାର ଦେଇ କଂଗ୍ରେସ ଭବନରେ ପହଞ୍ଚିଥିଲା । ଏକ ସଭା କରି ଚାଷୀ କୁଳର ନେତା ଓ କର୍ମୀ ବିଧାନସଭା ଘେରାଉ କରିଛନ୍ତି