ଓଡିଶାରେ ‘ଆମା ସାଥୀ’ ହ୍ୱାଟସଆପ୍ ଚାଟବଟ୍ ଲଞ୍ଚ, ନାଗରିକମାନେ ଜନ୍ମ-ମୃତ୍ୟୁ ପ୍ରମାଣପତ୍ର ଭଳି ୧୨୦ ଟି ସେବା ପାଇପାରିବେ

ଭୁବନେଶ୍ୱର : ହାତ ପାହାନ୍ତାରେ ମିଳିବ ସରକାରୀ ସେବା । ଜନ୍ମ ମୃତ୍ୟୁ, ଆଇନଗତ ଉତ୍ତରାଧିକାରୀ, ବାସସ୍ଥାନ ଏବଂ ଆୟ ପ୍ରମାଣପତ୍ର, ଡ୍ରାଇଭିଂ ଲାଇସେନ୍ସ, ଫର୍ଟିଲାଇଜର ଲାଇସେନ୍ସ, ଆର୍ନ୍ତଜାତି ବିବାହରୁ ଲାଭ, ଜାତୀୟ ପରିବାର ଯୋଜନାରୁ ଲାଭ ଭଳି ବହୁ ସୁବିଧା ହ୍ୱାଟସଆପ ଜରିଆରେ ମିଳିପାରିବ ।ଲୋକଙ୍କ ହାତ ପାହାନ୍ତାରେ ସେବା ପହଞ୍ଚାଇବାକୁ ଆରମ୍ଭ ହେଲା ଆମ ସାଥୀ ୟୁନିଫାଏଡ ହ୍ୱାଟସଆପ ବଟ । ୯୪୩୭୨୯୨୦୦୦ ହ୍ୱାଟସଆପ ନମ୍ବରରେ ଆବେଦନ କରି ପାରିବେ । ଆବେଦନ ଠୁ ସାର୍ଟିଫିକେଟ ଏହି ନମ୍ୱର୍ ଜରିଆରେ ପାଇ ପାରିବେ । ପ୍ରଥମ ପର୍ଯ୍ୟାୟରେ ସରକାରଙ୍କ ବିଭିନ୍ନ ବିଭାଗର ୧୩୨ ଟି ସେବା ପାଇଁ ଆବେଦନ କରିହେବ । ପରବର୍ତ୍ତୀ ମୁହୂର୍ତ୍ତରେ ଅନ୍ୟ ସେବା ଗୁଡ଼ିକୁ ସାମିଲ କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।୨୦୨୫ ଶେଷ ସୁଦ୍ଧା, ଓଡ଼ିଶା ଲୋକସେବା ଅଧିକାର ଆଇନ ଅଧୀନରେ ଅଧିସୂଚିତ ସମସ୍ତ ସାର୍ବଜନୀନ ସେବା ଏକକ ହ୍ବାଟ୍ସଆପ ବଟ୍ ମାଧ୍ୟମରେ ଯୋଗାଇ ଦିଆଯିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ଜଣେ ବ୍ୟକ୍ତି ଇଂରାଜୀ କିମ୍ବା ଓଡ଼ିଆରେ ଲେଖି ହ୍ବାଟ୍ସଆପରେ ସମସ୍ତ ସରକାରୀ ସେବାରୁ ଉପକୃତ ହୋଇପାରିବେ । ଓଡ଼ିଆ ବା ଇଂରାଜୀ ଲେଖି ଜାଣି ନଥିବା ଲୋକମାନେ ଭାରତ ସରକାରଙ୍କ ‘ଭାଷିନୀ ପ୍ଲାଟଫର୍ମ’ ବ୍ୟବହାର କରି ନିଜର କଣ୍ଠସ୍ବର ମାଧ୍ୟମରେ ଏହି ସେବା ପାଇପାରିବେ । ମେଟା ଇଣ୍ଡିଆ ସହ ମିଶି ସାଧରଣ ପ୍ରଶାସନ ବିଭାଗ ଏହି ପଦକ୍ଷେପ ନେଇଛି ।