
ଭଞ୍ଜନଗର ୨୬/ ୦୯ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଆରମ୍ଭ ହୋଇଛି ପାର୍ବଣ ରୁତୁ। ଅଗ୍ରପୁଜ୍ୟ ଗଜାନନଙ୍କ ପୂଜା ପରେ ପରେ ଆରମ୍ଭ ହୋଇଯାଇଛି ପାର୍ବଣର ମାହୋଲ । ଆଉ କିଛି ଦିନ ପରେ ଆରମ୍ଭ ହେବ ଦେବୀଙ୍କ ଷୋଡ଼ଶ ଉପଚାର ପୂଜା । ଧରାବରତଣ କରିବେ ମାଆ ଜଗତଜନନୀ। ଦେବୀ ଦୁର୍ଗାଙ୍କ ଧରାବତରଣ ପୂର୍ବରୁ ଧରାପୃଷ୍ଟରେ ବିଛାଇ ହୋଇଗଲାଣି କାଶତଣ୍ଡୀର ଚାଦର।ସର୍ବଦା ସବୁଜ ଓ ସୁନ୍ଦର ରଙ୍ଗରେ ଚହଟୁଥୁବା ଧରିତ୍ରୀ ଧଳା ଫର ଫର କାଶତଣ୍ଡୀ ଶାଢୀ ପିନ୍ଧି ମାଆଙ୍କ ଆସିବା ବାଟକୁ ଚାହିଁ ବସିଛି ।
ଋତୁ ଚକ୍ରର ତାଳେ ତାଳେ ବଦଳୁଛି ପ୍ରକୃତିର ସୌନ୍ଦର୍ଯ୍ୟ। ବାହୁଡ଼ି ଯାଇଛି ଧାରା ଶ୍ରାବଣ। ଶରତ ଋତୁ ଆଗମନରେ ସବୁଆଡେ ପାର୍ବଣର ମାହୋଲ। ଧିରେ ଧିରେ ପବନର ସ୍ପର୍ଶରେ କାଶତଣ୍ଡୀ ଫୁଲର ସୌନ୍ଦର୍ଯ୍ୟ ସବୁଆଡ଼େ ଖେଳି ଯାଇଛି। ଆଉ କିଛି ଦିନ ଅପେକ୍ଷାର ଅନ୍ତ ଘଟାଇ ଧରାପୃଷ୍ଠକୁ ବିରାଜିବେ ଜଗତଜନନୀ ମା’ଦୁର୍ଗା। ମା’ଙ୍କ ଆଗମନକୁ ନେଇ ସବୁ ଆଡେ ଏବେ ଖୁସିର ଆସର ଜମିଲାଣି। ସେ ଚାଷ ଜମି ହେଉ କି ନଦୀ ପଠା। ସବୁଆଡ଼େ ଏବେ ଦେଖିବାକୁ ମିଳୁଛି ଧବଳମୟ ପରିବେଶ। ନଦୀନାଳ ହେଉ କି ରାସ୍ତା କଡ଼ ଧଳା ଚିକ୍ ଚିକ୍ କରୁଥିବା ଏହି କାଶତଣ୍ଡୀ ପାର୍ବଣରେ ମା’ଙ୍କୁ ସତେ ଯେମିତି ସ୍ବାଗତ ଜଣାଉଛି ଧରାପୃଷ୍ଠକୁ । ଧୀର ପବନରେ ଦୋଳି ଖେଳୁଛି। ସେଥିପାଇଁ ତ କାଶତଣ୍ଡୀକୁ ସମସ୍ତେ କୁହନ୍ତି ପ୍ରକୃତିର ଅନନ୍ୟ ବରଦାନ। ଗାଁଠୁ ସହର, ନଈପଠାରୁ ପୋଖରୀ ତୁଠ, ଜମି ହିଡ଼, ରାସ୍ତାକଡ଼ ସବୁଠି କାଶତଣ୍ଡିର ଫୁଆରା । ଦୋଳାୟମାନ କେରାକେରା କାଶତଣ୍ତି ସମ୍ଭାର କବି ଓ ଲେଖକଙ୍କୁ ଆନମନା କରୁଛି । ବାଟରେ ଯାଉଥିବା ବାଟୋଇଙ୍କୁ ବି ନିଜ ପାଖରେ ଅଟକାଇ ଦେଉଛି ।
ଧରାପୃଷ୍ଠକୁ ମା’ ଜଗତଜନନୀଙ୍କ ଆଗମନ ପୁର୍ବରୁ ବିଭିନ୍ନ ପୂଜା କମିଟି ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି। ଏହା ପୂର୍ବ ରୁ ଭଞ୍ଜନଗର ଉପଖଣ୍ଡର ବିଭିନ୍ନ ସ୍ଥାନରେ କାଶତଣ୍ଡୀର ସମ୍ଭାର ଦେଖିବାକୁ ମିଳିଛି । ମା’ଙ୍କ ଆଗମନର ବାର୍ତ୍ତା ନେଇ କାଶତଣ୍ଡୀ ଧରାକୁ ସଜ୍ଜିତ କଲାଣି। ଧରଣୀର ଏହି ସୁନ୍ଦର ମାଦକତା ରୂପକୁ ମନ ଭରି ଉପଭୋଗ କରିବା ପାଇଁ ରାସ୍ତାରେ ବାଟୋଇମାନେ ଘଡିଏ ଅଟକି ଯାଉଛନ୍ତି। ବିଶେଷକରି ଉପଖଣ୍ଡ ଦେଇ ପ୍ରବାହିତ ଋଷିକୂଲ୍ୟା, ବଡ, ବୋଡା, ପଦ୍ମା ଓ ଲୋହରାଖଣ୍ଡି ନଦୀ ତଟରେ କାଶତଣ୍ଡୀର ସମ୍ଭାର ଆମୋଦିତ କରୁଛି। ମା’ ଦୁର୍ଗାଙ୍କ ନିକଟରେ ନିଜକୁ ସମର୍ପି ଦେବା ଲାଗି ଯେମିତି ଅପେକ୍ଷା କରିଛି ପ୍ରକୃତିର ବିସ୍ମୟ ତୁଷାର ଧବଳ କାଶତଣ୍ଡୀ। କାଶତଣ୍ଡୀର ସୌନ୍ଦର୍ଯ୍ୟରେ ବିଭୋର କବିର କଲମରୁ ଝରିଆସେ ଶବ୍ଦର ମାଳା । କେବଳ କବି ଭାବୁକ କି ଲୋକଙ୍କୁ ନିଜ ପାଖରେ ସୀମିତ ରଖିନି ଏ ବାସହୀନ ଫୁଲ । ମାଆଙ୍କ ସହିତ କାଶତଣ୍ଡିର ରହିଛି ଅନେକ ସାମଞ୍ଜସ୍ୟ। ମାଆଙ୍କ ଆଗମନ ଓ ପ୍ରକୃତିର ଶୋଭା ବଢ଼ାଇବାକୁ ସବୁଜିମା ବୃକ୍ଷଲତାରେ ଧଳାଶାଢ଼ିର ପଣତ କାନିରେ ଢାଙ୍କି ଦେଇଛି କାଶତଣ୍ଡି।