
ନୂଆଦିଲ୍ଲୀ: ଛତିଶଗଡର ରାୟପୁର ଜିଲ୍ଲାରେ ଏକ ଷ୍ଟିଲ୍ ପ୍ଲାଣ୍ଟରେ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୬ ଜଣ ଆହତ ହୋଇଛନ୍ତି। ରାୟପୁର ଜିଲ୍ଲା ପୋଲିସ ଅଧିକ୍ଷକ ଲାଲ ଉମ୍ମେଦ ସିଂହ କହିଛନ୍ତି ଯେ, ସହର ଉପକଣ୍ଠ ସିଲତରା ଅଞ୍ଚଳରେ ଅବସ୍ଥିତ ଗୋଦାବରୀ ଷ୍ଟିଲ୍ ପ୍ଲାଣ୍ଟରେ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୬ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନେକ ଲୋକ ପୋଡ଼ି ଯାଇଥିବା ଆଶଙ୍କା କରାଯାଉଛି। ଦୁର୍ଘଟଣା ସମୟରେ ପ୍ରାୟ ୨୦୦ ଲୋକ ଉପସ୍ଥିତ ଥିଲେ।ଦୁର୍ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାୟ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, “ଶ୍ରମିକଙ୍କ ମୃତ୍ୟୁରେ ମୁଁ ଦୁଃଖିତ। ଆମେ ଅଧିକ ସୂଚନା ସଂଗ୍ରହ କରୁଛୁ।”
ସୂଚନାନୁଯାୟୀ, ନିର୍ମାଣ ବିଭାଗର ଛାତ ଭୁଶୁଡିବା ଫଳରେ ଶ୍ରମିକମାନେ ପୋତି ହୋଇଥିଲେ ବୋଲି ପୋଲିସ ସୂତ୍ରରୁ ଜଣାପଡିଛି । ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ତୁରନ୍ତ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ଏଥି ସମେତ ଘଟଣାସ୍ଥଳରେ ଜିଲ୍ଲା ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ବିଭାଗର ଦଳ ମଧ୍ୟ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଥିବା ଜଣାପଡିଛି । ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହାରି ମଧ୍ୟରେ ମୃତକଙ୍କ ପରିବାର ଏବଂ ସମ୍ପର୍କୀୟମାନେ ଘଟଣାସ୍ଥଳରେ ଏକାଠି ହୋଇଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ଦୁର୍ଘଟଣାର କାରଣ ଜଣାପଡିନାହିଁ । କାରଣ ଜାଣିବା ପାଇଁ ବର୍ତ୍ତମାନ ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳ ନିକଟସ୍ଥ ବାସିନ୍ଦାଙ୍କୁ କର୍ତ୍ତୁପକ୍ଷ ନିର୍ଦ୍ଦେଶ ଜାରି କରିଛନ୍ତି ।ଅନ୍ୟପଟେ ସ୍ଥାନୀୟ ଲୋକମାନେ କହିଛନ୍ତି ଯେ, ବର୍ତ୍ତମାନ ଫ୍ୟାକ୍ଟ୍ରିର ନିର୍ମାଣ କାର୍ଯ୍ୟ ଚାଲୁ ରହିଛି । ପ୍ରଶାସନ ମୃତକଙ୍କ ପରିବାରକୁ ସମସ୍ତ ପ୍ରକାରର ସହାୟତାର ଆଶ୍ୱାସନା ଦେଇଛି । ଯାହା ସିଲତାରା ଉଦ୍ୟୋଗରେ ସୁରକ୍ଷା ନିୟମାବଳୀ ସମ୍ପର୍କରେ ଚିନ୍ତା ସୃଷ୍ଟି କରିଛି । ଉଦ୍ଧାର କାର୍ଯ୍ୟ ଏବେ ବି ଜାରି ରହିଛି । ଏହା ବ୍ୟତୀତ ଅଧିକାରୀମାନେ ଘଟଣାସ୍ଥଳରେ କଡ଼ା ସତର୍କତା ବଜାୟ ରଖିଛନ୍ତି ।