ଅନଲାଇନ ବେଟିଂ ମାମଲା, ଖେଳାଳିଙ୍କ ସହିତ ଅଭିନେତାଙ୍କ ସଂପତ୍ତି ଜବତ କରିବ ଇଡି

ନୂଆଦିଲ୍ଲୀ : ଅନଲାଇନ୍ ବେଟିଂ ଏବଂ ଗେମିଂ ପ୍ଲାଟଫର୍ମ 1xBet ସହ ଜଡ଼ିତ ଏକ ମନି ଲଣ୍ଡରିଂ ମାମଲାରେ ବଢ଼ିଲା ଖେଳାଳି ଏବଂ ଅଭିନେତାଙ୍କ ଅଡ଼ୁଆ । ଖୁବଶୀଘ୍ର ଇଡି ଏହି ମାମଲାରେ ଜଡ଼ିତ ଖେଳାଳି ଏବଂ ଅଭିନେତାମାନଙ୍କର କୋଟି କୋଟି ଟଙ୍କାର ସମ୍ପତ୍ତି ଆଟାଚ୍ କରିବ । ସମ୍ପତ୍ତିଗୁଡ଼ିକୁ ଆଟାଚ୍ କରିବା ପରେ ED ଏହି ମାମଲାରେ ଏକ ଚାର୍ଜସିଟ୍ ଦାଖଲ କରିବ ।ଇଡି ତଦନ୍ତରୁ ଜଣାପଡିଛି ଯେ, ଏଣ୍ଡୋର୍ସମେଣ୍ଟ ଫି’ ଦେଇ କିଣାଯାଇଥିବା ସମ୍ପତ୍ତିଗୁଡ଼ିକ ଅପରାଧିକ ଆୟରୁ ହୋଇଛି । କିଛି ସମ୍ପତ୍ତି ବିଦେଶରେ ଥିବା ସନ୍ଦେହ କରାଯାଉଛି । ଏପର୍ଯ୍ୟନ୍ତ କ୍ରିକେଟର ଯୁବରାଜ ସିଂହ, ସୁରେଶ ରୈନା, ରବିନ୍ ଉଥାପ୍ପା, ଶିଖର ଧାୱନ ଏବଂ ଅଭିନେତା ସୋନୁ ସୁଦ, ମିମି ଚକ୍ରବର୍ତ୍ତୀ ଏବଂ ଅଙ୍କୁଶ ହାଜରାଙ୍କୁ ଏହି ମାମଲାରେ ପଚରାଉଚରା କରାଯାଇଛି।ଉର୍ବଶୀ ରୌତେଲାଙ୍କୁ ମଧ୍ୟ ସମନ କରାଯାଇଥିଲା । ହେଲେ ସେ ବିଦେଶରେ ଥିବାରୁ ସେ ହାଜର ହୋଇନଥିଲେ । ଅନଲାଇନ୍ ବେଟିଂ ପ୍ଲାଟଫର୍ମ 1xBet ର ୨୨ କୋଟି ଭାରତୀୟ ଉପଭୋକ୍ତା ଅଛନ୍ତି । ଅବଶ୍ୟ କେନ୍ଦ୍ର ସରକାର ନିକଟରେ ହିଁ ଅନଲାଇନ୍ ଗେମିଂକୁ ନିଷିଦ୍ଧ କରିଛନ୍ତି ।