
ତାମିଲନାଡୁ : ତାମିଲନାଡୁର କରୁରରେ ରାଲିରେ ଦଳାଚକଟା ଘଟି ୪୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୦୦ ଜଣ ଆହତ ହୋଇଛନ୍ତି । ଏହି ଘଟଣାରେ ଅଭିନେତା ଏବଂ ରାଜନୈତିକ ନେତା ବିଜୟଙ୍କ ଦଳ, ଟିଭିକେ, ରାଜ୍ୟ ସରକାରଙ୍କୁ ଅଭିଯୋଗ କରିଛି ଏବଂ ଦାବି କରିଛି ଯେ ଏହା ଡିଏମକେ ଷଡ଼ଯନ୍ତ୍ରର ଅଂଶ ହୋଇପାରେ ବୋଲି ଅନୁମାନ କରାଯାଉଛି ।ଓକିଲ ଆରିଭାଜାଗନ୍ ଏକ ଗଣମାଧ୍ୟମକୁ କହିଛନ୍ତି ଦଳ ମାଡ୍ରାସ ହାଇକୋର୍ଟରେ ଏକ ଆବେଦନ ଦାଖଲ କରିଛନ୍ତି । ଯେଉଁଥିରେ ଏକ ସ୍ୱତନ୍ତ୍ର ତଦନ୍ତ ଦଳ (SIT) ଗଠନ କିମ୍ବା ମାମଲାକୁ CBIକୁ ହସ୍ତାନ୍ତର କରିବାକୁ ଦାବି କରାଯାଇଛି । ସେ ରାଲିରେ ସୁରକ୍ଷା ନିୟମ ଉଲ୍ଲଂଘନ ହୋଇଥିବା ରାଜ୍ୟ ସରକାରଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି ।ଟିଭିକେ ଅଭିଯୋଗ କରିଛି ଯେ, ଏହି ଦୁଃଖଦ ଘଟଣା କୌଣସି ଦୁର୍ଘଟଣା ନୁହେଁ, ବରଂ ଏକ ଷଡ଼ଯନ୍ତ୍ରର ଫଳାଫଳ । ଟିଭିକେର ଆଇନଜୀବୀ ଶାଖା ସଭାପତି ଏସ. ଅରିଭାଝାଗନଙ୍କ ନେତୃତ୍ଵରେ ଏକ ଆଇନଜୀବୀ ଦଳ ବିଚାରପତି ଏମ. ଧଣ୍ଡପାଣିଙ୍କ ବାସଭବନକୁ ଯାଇ ଏ ସମ୍ପର୍କରେ ଅବଗତ କରାଇଛନ୍ତି ।ଟିଭିକେର ଉପ ସାଧାରଣ ସମ୍ପାଦକ ନିର୍ମଳ କୁମାର ଗଣମାଧ୍ୟମକୁ କହିଛନ୍ତି ଯେ, ଦଳ ପକ୍ଷରୁ ହାଇକୋର୍ଟରେ ଏକ ଆବେଦନ କରାଯାଇଛି । ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଅନୁରୋଧ କରାଯାଇଛି । ବିଚାରପତି ପିଟିସନର ଶୁଣାଣି ପାଇଁ ରାଜି ହୋଇଛନ୍ତି । ଆସନ୍ତାକାଲି ଅର୍ଥାତ ୨୯ ତାରିଖ ଅପରାହ୍ନ ୨ଟା ୧୫ରେ ଏହାର ଶୁଣାଣି କରାଯିବ ।ସୂଚନାଯୋଗ୍ୟ, ଶନିବାର କରୁରଠାରେ ଟିଭିକେର ଏକ ନିର୍ବାଚନୀ ରାଲିରେ ବିଜୟ ଭାଷଣ ଦେବା ସମୟରେ କିଛି ଲୋକ ଅଣନିଃଶ୍ଵାସୀ ହୋଇ ଚେତା ହରାଇଥିଲେ । ଏହା ପରେ ଦଳାଚକଟା ଘଟିଥିଲା । ଯେଉଁଥିରେ ୩୮ ଜଣଙ୍କ ପ୍ରାଣହାନୀ ଘଟିଥିଲା । ଆଜି ଆଉ୨ ଜଣ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।ରାଲିରେ ସୁରକ୍ଷା ନିୟମ ଉଲ୍ଲଂଘନ ଅଭିଯୋଗରେ ରାଜ୍ୟ ସରକାର କିଛି ଟିଭିକେ ନେତାଙ୍କ ବିରୋଧରେ ହତ୍ୟା ସମେତ ବିଭିନ୍ନ ଅଭିଯୋଗରେ ମାମଲା ରୁଜୁ କରିଛନ୍ତି । ଜଣେ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତିଙ୍କ ନେତୃତ୍ୱରେ ଏକ ନ୍ୟାୟିକ ତଦନ୍ତ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।