ମାରିଜୁଆନା ମାୟାରେ ଭୁବନେଶ୍ୱର ଆକାଶପଥ; ପୁଣି ଜବତ ହେଲା 3 କୋଟିରୁ ଅଧିକ

ଭୁବନେଶ୍ୱର: ମାୟାନଗରୀ ପରେ ମାରିଜୁଆନା ମାୟାରେ ଏବେ ଭୁବନେଶ୍ୱର। ଆକାଶପଥ ଦେଇ ବିଦେଶରୁ ଆସୁଛି ମାରିଜୁଆନା। କିଲୋ ପିଛା କୋଟିଏ ଟଙ୍କା ଦେଇ ନିଶା ଖାଉଛନ୍ତି ହେଭି୍ୱେଟ୍। ଥରେ ନିଶା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଯାହାକୁ ନେଇ ଭୁବନେଶ୍ୱର ହେଭିୱେଟ୍ ଙ୍କ ନଜରରେ ଏବେ ଆକାଶପଥ।ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ପୁଣି ଥରେ ମାରିଜୁଆନା ଜବତ ହୋଇଛି। 3 କୋଟିରୁ ଅଧିକ ଟଙ୍କାର ମାରିଜୁଆନା ଜବତ କରିଛି କଷ୍ଟମ ବିଭାଗ। ବ୍ୟାଙ୍କକରୁ ମାରିଜୁଆନା ଆଣି ଆସିଥିବା ଭୁବନେଶ୍ୱର ବିମାନ ବନ୍ଦରରେ ଧରା ପଡିଛନ୍ତି ଜଣେ ଯାତ୍ରୀ। ଅଟକ ଯାତ୍ରୀ ହେଉଛନ୍ତି ମହମ୍ମଦ ଓ ତାଙ୍କ ଘର କେରଳରେ ବୋଲି ସୂଚନା ମିଳିଛି।

ଅନ୍ତର୍ଜାତୀୟ ବଜାରରୁ ଏବେ ଭାରତକୁ ମାରିଜୁଆନା ସପ୍ଲାଇ ପାଇଁ ଭୁବନେଶ୍ବର ବୀମାନବନ୍ଦର ଗେଟୱେ ପାଲଟିଛି। ଏହାକୁ ଧରିବା କଷ୍ଟମ ବିଭାଗ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଛି। ତେବେ ସବୁଠୁ ବଡ଼କଥା ହେଉଛି, ଏୟାରପୋର୍ଟର ସୁରକ୍ଷା ବଳୟକୁ ଭେଦ କରି ଭୁବନେଶ୍ୱରକୁ କେମିତି ଆସୁଛି ମାରିଜୁଆନା?

ପୂର୍ବରୁ ଜବତ:ଗତ ଅଗଷ୍ଟ ମାସରେ ଥାଇଲାଣ୍ଡରୁ ଭୁବନେଶ୍ୱର ଆସୁଥିବା ଜଣେ ବ୍ୟକ୍ତିଙ୍କ ପାଖରେ ବଡ଼ ବଡ଼ ସ୍ନାକ୍ସ ପ୍ୟାକେଟ ଦେଖି ସନ୍ଦେହ କରାଯାଇଥିଲା। ଯାଞ୍ଚ ପରେ ସେଥିରୁ ଗଞ୍ଜେଇ ଜବତ ହୋଇଥିଲା। ତେବେ ସ୍ନାକ୍ସ ପ୍ୟାକେଟଟି ଟମାଟୋ ଓ ପଟାଟୋ ଫ୍ଲେଭରର ପ୍ୟାକେଟ ରହିଥିଲା। ବିଶେଷ କରି ସ୍ନାକ୍ସ ପ୍ୟାକେଟ ଏଭଳି କମର୍ସିଆଲ ଭାବେ ବିକ୍ରି କରାଯାଇଥାଏ ମଲରେ। ଥାଇଲାଣ୍ଡ ବ୍ରାଣ୍ଡ ଥିବା ଏହି ଚିପ୍ସ ପ୍ୟାକେଟ୍ ଏୟାରପୋର୍ଟରେ ଦେଖି ସନ୍ଦେହ ଘନିଭୂତ ହୋଇଥିଲା। ଲଗେଜ ସ୍କାନର ପାଖକୁ ନେଇ ବ୍ୟାଗ ଚେକ୍ କରାଯାଇଥିଲା। ଆଉ ସେହି ସ୍ନାକ୍ସ ପ୍ୟାକେଟ୍ ଭିତରୁ ଏଭଳି ଗଞ୍ଜେଇକୁ ଭର୍ତ୍ତି କରାଯାଇ ସମ୍ପୂର୍ଣ୍ଣ ଭାବେ ପ୍ୟାକ କରାଯାଇ ପଠାଯାଇଥିଲା। ଯେପରିକି କାହାରିକୁ ସନ୍ଦେହ ହେବ ନାହିଁ। ଏଭଳି ଗଞ୍ଜେଇ ଧରାପଡ଼ିବା ପରେ ଡିଆରଆଇ ଅଧିକାରୀ ଜଣଙ୍କୁ ଅଟକ ରଖିଥିଲେ। ଯେଉଁ ଲୋକର ବ୍ୟାଗରୁ ଏଭଳି ପ୍ୟାକେଟ୍ ଜବତ ହୋଇଥିଲା, ତାକୁ ତଦନ୍ତ ପରିସରକୁ ନିଆଯାଇଥିଲା।ଘଟଣା ନୂଆ ନୁହେଁ:ପୂର୍ବରୁ ଭୁବନେଶ୍ୱର ବିମାନବନ୍ଦରରୁ ସୁନା ଚୋରା ଚାଲାଣର ମଧ୍ୟ ନଜିର ରହିଛି। କିନ୍ତୁ ଗଞ୍ଜେଇକୁ ଏପରି ପ୍ୟାକେଟ୍ କରି ଚାଲାଣ କରିବା ପ୍ରଥମ ପାଇଁ ନଜରକୁ ଆସିଛି। ସେପଟେ ପୂର୍ବରୁ ସାର୍ଟ ବଟମ ଜରିଆରେ ସୁନା ଚାଲାଣ, ମଳଦ୍ବାର ବାଟେ ମଧ୍ୟ ଗଞ୍ଜେଇ ଚାଲାଣର ନଜିର ରହିଛି। କିନ୍ତୁ ଏପରି ସ୍ନାକ୍ସ ପ୍ୟାକେଟରେ ଗଞ୍ଜେଇ ଚାଲାଣକୁ ନେଇ ତନାଘନା କରୁଛି, ଡାଇରେକ୍ଟରେଟ ରେଭେନ୍ୟୁ ଇଣ୍ଟେଲିଜେନ୍ସ ।