ବେଆଇନ ବନ୍ଧୁକ ସହ ୩ ଗୁଳି ଜବତ, ୨ ଅଭିଯୁକ୍ତଙ୍କୁ ଗିରଫ କଲା ଭଞ୍ଜନଗର ପୋଲିସ

ଭଞ୍ଜନଗର ୦୯/୧୦ (ଅମରେନ୍ଦ୍ର କୁମାର ପଟ୍ଟନାୟକ) :ଭଞ୍ଜନଗର ପୁଲିସ୍‌ ଗତକାଲି ରାତିରେ ପେଟ୍ରୋଲିଂ କରୁଥିବା ବେଳେ ସନ୍ଦେହ ଜନକ ଭାବେ ବସିଥିବା ୨ଜଣ ବ୍ୟକ୍ତିକୁ କାବୁ କରିବା ସହ ସେମାନଙ୍କ ନିକଟରୁ ଗୋଟିଏ ପିସ୍ତଲ, ୩ଟି ଜୀବନ୍ତ ଗୁଳି, ମାଗାଜିନ ଜବତ କରିବା ସହ ଅଭିଯୁକ୍ତ ୨ଜଣଙ୍କୁ ଆଜି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଜୀବନାନନ୍ଦ ଜେନା ସୂଚନା ଦେଇଛନ୍ତି। ଗତକାଲିରେ ରାତିରେ ଥାନା ଏସ୍‌ଏଆଇ ସମୀର କୁମାର ସେଠି ଓ ଲକ୍ଷ୍ମୀଧର ମାହାନ୍ତି ପେଟ୍ରୋଲିଂ କରୁଥିଲେ। ଚକରା ବିଷୋୟୀ ଛକ ଆଡେ ପେଟ୍ରୋଲିଂ କରିବା ସମୟରେ ଏକ ଦୋକାନ ସମ୍ମୁଖରେ ୨ ଜଣ ବ୍ୟକ୍ତି ସନ୍ଦିଗ୍ଧ ଭାବେ ବସିଥିବା ଦେଖି ସେମାନଙ୍କ ପାଖକୁ ଯିବା ସମୟରେ ପୁଲିସ୍‌କୁ ଦେଖି ଦୋକନ ପଛପଟେ ଲୁଚି ଯାଇଥିଲେ। ପୁଲିସ ସେମାନଙ୍କୁ ଧରିବା ପାଇଁ ଚେଷ୍ଟା କରିବା ସମୟରେ ପୁଲିସ୍‌କୁ ଗାଳି ଗୁଲଜ କରିବା ସହ ପିସ୍ତଲ ଦେଖାଇଥିଲେ। ଏହାପରେ ପୁଲିସ୍‌ ଟିମ୍‌ ସେମାନଙ୍କୁ କାବୁୁ କରିବା ସହ ପିସ୍ତଲ, ୩ଟି ଜୀବନ୍ତ ଗୁଳି ଜବତ କରିଥିବା ବେଳେ କେସ୍‌ ନମ୍ବର ୧୧୩୮/୨୫ ରେ ଏକ ମାମଲା ରୁଜୁ କରି ଆଜି ‌ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଶ୍ରୀ ଜେନା ସୂଚନା ଦେଇଛନ୍ତି। ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ବାଉଁଶଲୁଣ୍ଡି ଗ୍ରାମର ସୁନିଲ ପ୍ରଧାନ ଓ ଅନ୍ୟ ଜଣେ ଗାମୁଣ୍ଡି ଗ୍ରାମର ଲାଲୁ ବେହେରା ବୋଲି ଜଣା ପଡ଼ିଛି ।ବିଗତ ଦିନରେ ଭଞ୍ଜନଗର ଥାନା ସମେତ ଜିଲ୍ଲାର ବିଭିନ୍ନ ଥାନା ଇଲାକାରୁ ବେଆଇନ ବନ୍ଧୁକ ଓ ଗୁଳି ଜବତ ହୋଇଥିବା ଦେଖିବାକୁ ମିଳିଛି। ତଥାପି ବ୍ରହ୍ମପୁରରେ ଆଇନଜୀବୀଙ୍କ ଉପରେ ଗୁଳି ମାଡ କରି ହତ୍ୟା ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଅପରାଧିକଙ୍କ ନିକଟରେ ଆହୁରି ବେଆଇନ ବନ୍ଧୁକ ରହିଥିବା ଏକ ପ୍ରକାର ସ୍ପଷ୍ଟ ହୋଇଥିବା ବେଳେ ଏଭଳି ଅପରାଧିକ କାର୍ଯ୍ୟକଳାପ ଉପରେ ନଜର ରଖିବା ସହ ଦୃଢ ପଦକ୍ଷେପ ନିଆଯିବ ବୋଲି ପୁଲିସ୍‌ ପକ୍ଷରୁ କୁହାଯାଇଛି। ଆଜି ଗଞ୍ଜାମ ଜିଲ୍ଲା ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ର ଆଇନଶୃଙ୍ଖଳା ସ୍ଥିତି ନେଇ ଏସ୍‌ଡିପିଓଙ୍କ କର୍ଯ୍ୟାଳୟରେ ଏକ ବୈଠକ କରିଥିବା ଜଣାପଡିଛି। ଏଥିରେ ଅତିରିକ୍ତ ଏସ୍‌ପି ରଞ୍ଜନ କୁମାର ଦେ, ଏସ୍‌ଡିପିଓ ଡା.ଦିପକ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ।