
ଟିଭି ଏବଂ ବଲିଉଡ ଇଣ୍ଡଷ୍ଟ୍ରିର ନାମିଦାମୀ ଅଭିନେତ୍ରୀ ଶେଫାଳୀ ଜରିୱାଲାଙ୍କ ଜୁନ୍ ୨୭ରେ ଦେହାନ୍ତ ହୋଇଥିଲା । ତାଙ୍କ ଆକସ୍ମିକ ଦେହାନ୍ତ ପାଇଁ ଇଣ୍ଡଷ୍ଟ୍ରି ଏବଂ ପରିବାରରେ ଶୋକର ଛାୟା ଖେଳିଯାଇଥିଲା । ଶେଫାଳୀଙ୍କ ଦେହାନ୍ତର ଏତେ ଦିନ ପରେ ମଧ୍ୟ ପରାଗ ତ୍ୟାଗୀ ତାଙ୍କ ସ୍ତ୍ରୀଙ୍କୁ ଭୁଲି ପାରି ନାହାଁନ୍ତି । କରୱା ଚୌଥରେ ଶେଫାଳୀଙ୍କୁ ମନେପକାଇ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ସେ କହିଛନ୍ତି ଯେ, ତାଙ୍କ ପତ୍ନୀଙ୍କ ବିନା ନିଶ୍ବାସ ନେବା କଷ୍ଟକର ହୋଇପଡିଛି । ଏହା ସହିତ ଏହି ପୋଷ୍ଟରେ ତାଙ୍କ ସ୍ତ୍ରୀଙ୍କ ପାଇଁ ସେ ଭାବପ୍ରବଣ ହୋଇପଡିଥିବା ଦେଖିବାକୁ ମିଳିଛି ।ଏହା ବ୍ୟତୀତ ଶେଫାଳୀଙ୍କ କିଛି ପୁରୁଣା ଫଟୋ କଲେକ୍ସନ କରି ଏକ ଭିଡିଓ କରିଛନ୍ତି । ’’ମୁଁ ତୁମକୁ ସବୁବେଳେ ଅପେକ୍ଷା କରିବି । ତୁମକୁ ପାଖକୁ ତେଣିକି ଯିବାକୁ ପଡୁ ପଛେ । ଯଦି ସେଠାରେ ମୁଁ ତୁମକୁ ଖୋଜିକି ନପାଏ ତେବେ ତୁମକୁ ଅନୁରୋଧ କରିବି ଏବଂ ତୁମେ ଦେଇଥିବା ପ୍ରତିଶ୍ରୁତିକୁ ମଧ୍ୟ ମନେପକାଇ ଦେବି ।’’ ଶେଷରେ ତୁମେ ମୋର ଲେଖି ସେ ତାଙ୍କ ସୋସିଆଲ ମିଡିଆ ପେଜରେ ସେୟାର କରିଛନ୍ତି ।ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ’’କିଛି ବି ହେଇଯାଉ, ମୋ ଭଲପାଇବା ସବୁବେଳେ ତୁମ ପାଇଁ ରହିବ । ମୁଁ ଅପେକ୍ଷା କରିବି । ସେହିଠାରେ ହିଁ ମୁଁ ତୁମକୁ ଭେଟିବି । କିନ୍ତୁ ସେହି ସମୟକୁ ଅପେକ୍ଷା କରି ହେଉନାହିଁ । ଯଥା ସମ୍ଭବ ମତେ ତୁମ ପାଖକୁ ଡାକି ନିଅ । ମୁଁ ତୁମ ବିନା ନିଶ୍ବାସ ନେଇପାରୁନାହିଁ ।’’ ଶେଫାଳୀଙ୍କୁ ମଧ୍ୟ ପରୀ ବୋଲି ସେ ସମ୍ବୋଧନ କରିଛନ୍ତି ।ଅନ୍ୟପଟେ ସାରା ଦେଶରେ କରୱା ଚୌଥ ପାଳନ କରାଯାଉଛି । ଏହି ଅବସରରେ ପରାଗଙ୍କ ପାଖରେ ତାଙ୍କ ସ୍ତ୍ରୀ ନାହାଁନ୍ତି । ଏହାରି ମଧ୍ୟରେ ତାଙ୍କ ପତ୍ନୀଙ୍କ ଅଧୁରା ସ୍ବପ୍ନ ପୂରଣ କରିବାକୁ ସେ ନିଷ୍ପତ୍ତି ନେଇଛନ୍ତି । ଶେଫାଳୀଙ୍କ ଦେହାନ୍ତ ପରେ ତାଙ୍କ ସ୍ବାମୀ ତାଙ୍କ ସ୍ତ୍ରୀଙ୍କ ନାଁରେ ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ଆରମ୍ଭ କରିଛନ୍ତି । ଯେଉଁଥିରେ ଶେଫାଳୀଙ୍କ ସହିତ ଜଡିତ କାହାଣୀ ସେୟାର କରିଛନ୍ତି । ଏତିକି ନୁହେଁ ପରାଗ ତାଙ୍କ ଛାତିରେ ଶେଫାଳୀଙ୍କର ଏକ ଟାଟୁ କରିଛନ୍ତି । ଯାହା ସମସ୍ତଙ୍କୁ ଚକିତ କରିଛି ।