
ଜଗା ବଡ଼ ଦାଣ୍ଡ ଦୁଲୁକୁଛି ବାଜାରେ । ହେଲେ ଆଜି ସେମିତି କିଛି ତ ପର୍ବ ପର୍ବାଣୀ ନାହିଁ l ତଥାପି ବାଜା କାହିଁକି ବାଜୁଛି ? ଲୋକେ ଆଶ୍ଚର୍ଯ୍ୟ । ତେବେ ବାଜା କଣ ପାଇଁ ବାଜୁଛି ଦେଖୁ ଦେଖୁ ଦିଶିଲା ଏକ ଅଜବ ଦୃଶ୍ୟ । ବାଜା ବାଲା ବଜେଇ ବଜେଇ ଆଗରେ ଚାଲିଛନ୍ତି ଆଉ ପଛରେ ପଛରେ ଗଡୁଛି ଟ୍ରଲି ରିକ୍ସାଟିଏ l ତା ଉପରେ ଥୁଆ ହୋଇଛି ସୁନ୍ଦର ନାଲି ରଙ୍ଗର ସ୍କୁଟି l ସ୍କୁଟିଟି ଟ୍ରଲି ରିକ୍ସା ସହିତ ବନ୍ଧା ହୋଇଛି ଗୋଟିଏ ରସିରେ l ସ୍କୁଟି ଉପରେ ଥୁଆ ହୋଇଛି ଗୋଟିଏ ଧଳା ରଙ୍ଗର ଧୋତି l ସ୍କୁଟି ନମ୍ବରରୁ ଦୂରରୁ ଅନୁମାନ କରାଯାଉଛି ନିଶ୍ଚୟ ବ୍ୟାଟେରି ଚାଳିତ ଗାଡ଼ିଟିଏ lଅନେକ ଲୋକଙ୍କ ଭିଡ଼ ଭିତରେ ଗାଡିଟି ଯାଉଥାଏ l ଟ୍ରଲି ଚାଳକ ଆଗରେ ବାଜାବାଲା ବେଶ୍ ତାଳରେ ବଜେଇ ଚାଲିଥାନ୍ତି l ବଡ଼ ଦାଣ୍ଡ ସାରା ଲୋକମାନେ ଭିଡ଼ ଜମେଇ ଦେଖୁଥାନ୍ତି କଣ ହେଉଛି ବୋଲି l ସମସ୍ତଙ୍କ ହାତରେ ମୋବାଇଲ ଆଉ ସେହି ଦୃଶ୍ୟକୁ ଯିଏ ଦେଖୁ ଥାନ୍ତି ସିଏ ଫଟୋ କିମ୍ବା ଭିଡିଓ ଉଠାଉ ଥାନ୍ତି । ଆଉ ଜଣେ ଲୋକ ଲଣ୍ଡା ମୁଣ୍ଡରେ ଟ୍ରଲି ରକ୍ସା ଆଗରେ ଅବିର ପକାଇ ନଡ଼ିଆ ବାଡେଇ ଯାଉଥାନ୍ତି l ଠିକ୍ ଯେମିତି ମୃତଦେହ ଶ୍ମଶାନକୁ ନିଆଯାଏ ସେହିଭଳି ଭାବରେ ସ୍କୁଟିଟିକୁ ନିଆ ଯାଉଥିଲା ।କିଛି ଲୋକଙ୍କୁ ଏସବୁ ତାଜୁବ ଲାଗୁଥାଏ l ସେମାନଙ୍କ ମଧ୍ୟରୁ କେତେ ଜଣ ସେହି ଲଣ୍ଡା ମୁଣ୍ଡିଆ ବ୍ୟକ୍ତିଙ୍କୁ ପ୍ରଶ୍ନ କଲେ ଭାଇ କଣ ପାଇଁ ଏମିତି ସ୍କୁଟିକୁ ରଖି ଶୋଭାଯାତ୍ରା କରୁଛ ? ଉତ୍ତରରେ ବ୍ୟକ୍ତି ଜଣଙ୍କ କହିଲେ ସ୍କୁଟିଟି ମରିଗଲା । ତାକୁ ସ୍ୱର୍ଗଦ୍ୱାରକୁ ନେଉଛି l ପୁଣି ଲୋକଙ୍କ ପ୍ରଶ୍ନ ଥିଲା ଗାଡ଼ିଟିକୁ ଫୋପାଡ଼ି ଦେବେ ନା ପୋଡ଼ି ଦେବେ ? ହେଲେ ଏ ପ୍ରଶ୍ନର କିଛି ଉତ୍ତର ନଦେଇ ଆଗକୁ ବଢିଲେ ବ୍ୟକ୍ତି ଜଣକ l …ବଡ଼ ଦାଣ୍ଡରେ ଜଣେ ପଚାରିଲେ, ଭାଇ କଣ ଘଟଣା କୁହନ୍ତୁ । ଏଥର ବ୍ୟକ୍ତି ଜଣକ କହିଲେ ଭାଇ ସ୍କୁଟିକୁ ଦେଖନ୍ତୁ ଭାରି ସୁନ୍ଦର ଦେଖା ଯାଉଛି lନୂଆ କିଣିଲା ପରେ ସବୁବେଳେ ଖରାପ ହେଲା… ମରାମତି କରିବାକୁ ନେଇ ନେଇ ନାକେଦମ ହେଲି l ତେଣୁ ଏମିତି ଗୋଟିଏ ଅଭିନଵ ଉପାୟରେ ଲୋକଙ୍କୁ ଜଣାଉଛି । ତେବେ ଦର୍ଶକ ବନ୍ଧୁ ଏତିକିରେ ଡ୍ରାମା ସରିଲା ନାହିଁ । ଏହି ଘଟଣା ପରେ ବୋଧହୁଏ ସ୍କୁଟି ବିକ୍ରେତାଙ୍କୁ ଏହାର ଖବର ମିଳିଗଲା ଆଉ ବୁଝାମଣା ହୋଇଗଲା । ଏହା ପରେ ସ୍କୁଟି କିଣିଥିବା ବ୍ୟକ୍ତି ଜଣକ ନିଜର ଭୁଲ ସ୍ବୀକାର କରି ଭିଡିଓ ଜାରି କରିଛନ୍ତି । ତେବେ ବ୍ୟକ୍ତି ଜଣକର ଅଭିଯୋଗ ହେଉ କି ସ୍କୁଟି ମରାମତି କଥା ହେଉ ସେତ ଭିନ୍ନ ଏଠି କିନ୍ତୁ ତାଙ୍କର ଏହି ଅଭିନବ ପ୍ରତିବାଦ ସମସ୍ତଙ୍କୁ ଚମକାଇ ଦେଇଛି ।