ଜୀବନ୍ତ ଅଭିନୟ ପାଇଁ ପ୍ରତିକ୍ରିୟାଶୀଳ ଦର୍ଶକ ଅଭିନେତାଙ୍କ ଉପରକୁ ଫିଙ୍ଗିଲେ ପ୍ଲାଷ୍ଟିକ ବୋତଲ

ଆଠମଲ୍ଲିକ: ଗଜଲକ୍ଷ୍ମୀ ପୂଜା ପାଇଁ ଗାଁରେ ହେଉଥିଲା ନାଟକ । ହେଲେ ନାଟକର ଅଭିନୟ ଏତେ ହୃଦୟସ୍ପର୍ଶୀ ଥିଲା ଯେ ସହିପାରିଲେନି ଦର୍ଶକ । ସଙ୍ଗେ ସଙ୍ଗେ ଫୋପାଡ଼ିଥିଲେ ବୋତଲ । ପୁରା ବୋତଲମୟ ହୋଇଯାଇଥିଲା ରଙ୍ଗମଞ୍ଚ । ଏଇ ଦେଖୁନାହାଁନ୍ତି….ଗ୍ରାମାଞ୍ଚଳର ଏକ ରଙ୍ଗମଞ୍ଚରେ ପ୍ରଦର୍ଶିତ ନାଟକର ଜଣେ ଅଭିନେତାଙ୍କ ଅଭିନୟ ଏତେ ଜୀବନ୍ତ ଥିଲା ଯେ ଉପସ୍ଥିତ ଥିବା ଦର୍ଶକ ପ୍ରତିକ୍ରିୟାଶିଳ ହୋଇ ସେହି କଳାକାରଙ୍କ ଉପରକୁ ପ୍ଲାଷ୍ଟିକ ବୋତଲ ଫିଙ୍ଗିଥିଲେ । କଳାକାରଙ୍କ ଅଭିନୟ ଦର୍ଶକ ମାନଙ୍କୁ ମନ୍ତ୍ରମୁଗ୍ଧ କରିବା ସହିତ ବିଭୋର କରିଥିଲା । ତେବେ କାହାଣୀଟି ଥିଲା ଏପରି….ଜଣେ ମହିଳା ତାର ପାଳିତ ପୁତ୍ରକୁ ଜୀବନର ସବୁକିଛି ଜଳାଞ୍ଜଳି ଦେଇ ମଣିଷ କରିଥିଲା । ଏପରିକି ମାଆଟି ତାର କିଡନୀ ବିକି ପୁଅକୁ ଡାକ୍ତରୀ ପଢ଼ାଇଥିଲା । କିନ୍ତୁ ସମୟକ୍ରମେ ବିବାହ ପରେ ଶ୍ବଶୁରର ପ୍ରରଚୋନାରେ ପଡ଼ି ମାଆ ପ୍ରତି ରୁକ୍ଷ ହୋଇ ଅତ୍ୟାଚାର ଆରମ୍ଭ କରିଥିଲା ପୁଅଟି । ଶ୍ବଶୁର କହିଥିଲେ ଯେ ସେ ତୋର ଜନ୍ମ କଲା ମାଆ ନୁହେଁ । ତୋ ବାପାକୁ ତୋ ପାଳିତ ମାଆ ଏକତରଫା ପ୍ରେମ କରୁଥିବାରୁ ତୋ ବାପା ଏହା ଗ୍ରହଣ କରିନଥିଲେ । ତେଣୁ ତୋ ବାପା ମାଆ କୁ ହତ୍ୟା କରି ପ୍ରାୟଶ୍ଚିତ ପାଇଁ ତୋତେ ପାଳିଛି । କିନ୍ତୁ ପ୍ରକୃତରେ ମହିଳା ଜଣକ ଅନାଥ ଆଶ୍ରମରୁ ପିଲାକୁ ଆଣି ପାଳିଥିଲା । ଶ୍ବଶୁରର ପ୍ରରୋଚୋନାରେ ନାୟକ ତା ପାଳିତ ମାଆକୁ ନିର୍ଯ୍ୟାତନା ଦେବା ସହିତ ତାକୁ ଘୋଷାରି ବୃଦ୍ଧାଶ୍ରମକୁ ନେଇଥିଲା। ଏହି ସମୟର ଅଭିନୟ ଏତେ ମର୍ମସ୍ପର୍ଶୀ ଥିଲା ଯେ ଦର୍ଶକ ମାନେ ନାୟକଙ୍କ ଉପରକୁ ପ୍ଲାଷ୍ଟିକ ବୋତଲ ଫୋପାଡି ଥିଲେ ।ବୃଦ୍ଧାଶ୍ରମର ମୁଖ୍ୟ ମା ପୁଅକୁ ଏହି ଅବସ୍ଥାରେ ଦେଖି ସବୁ ସତ କଥା କହିଥିଲେ । ବୃଦ୍ଧାଶ୍ରମର ମୁଖ୍ୟ କହିଥିଲେ ଯେ ତୋ ବାପା ମାଆର ହତ୍ୟାକାରୀ ଏହି ମହିଳା ନୁହେଁ ବରଂ ତୋତେ ଅନାଥ ଆଶ୍ରମରୁ ଆଣି ପାଳି ପୋଷି ବଡ କରିଥିଲେ । ତାପରେ ନାୟକ ଅନୁତାପ କରିବା ସହିତ ମାଆକୁ ନେଇ ଫେରିଥିଲେ । ନାଟକର ନାଁ ଥିଲା ‘ଅଧା ରାତିର ସାଥି ‘ନାୟକ ଭୂମିକାରେ ଅଭିନୟ କରୁଥିଲେ କିଆକଟା ଗାଁର ରତିକାନ୍ତ ସାହୁ । କିଆକଟା ଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ଆୟୋଜିତ ନାଟକରେ ସ୍ଥାନୀୟ ଗ୍ରାମବାସୀ ମାନେ ଅଭିନୟ କରିଥିଲେ । ଏହି ନାଟକ କୌଣସି ବ୍ୟବସାୟିକ ନାଟ୍ୟ ସଂସ୍ଥା ଦ୍ଵାରା ପରିବେଷିତ ହୋଇନଥିଲା ।ଏହି ଘଟଣା ପରେ ଗ୍ରାମାଞ୍ଚଳରେ ମଧ୍ୟ ଜୀବନ୍ତ ଅଭିନୟ କରୁଥିବା କଳାକାର ଅଛନ୍ତି ବୋଲି ପ୍ରମାଣିତ ହୋଇଛି । ନାଟକ ସମାପ୍ତ ପରେ ନାୟକ ଭୂମିକାରେ ଅଭିନୟ କରିଥିବା ରତିକାନ୍ତ ସାହୁଙ୍କୁ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା ମିଳିଛି ।