
ନୟାଗଡ଼: ବିଶ୍ବ ସ୍ତରରେ ରେକର୍ଡ ସୃଷ୍ଟି କଲେ ନୟାଗଡ଼ର ଅଢ଼େଇ ବର୍ଷ ଝିଅ ୠତିକା ପାଲ୍ । ନିର୍ଭୁଲ ଭାବେ ଇଂରାଜୀ ଏବଂ ହିନ୍ଦୀରେ ୧ ହଜାର ଶବ୍ଦ ଏବଂ ୫୦ ବିଷୟ ଉପରେ ନିଜର ପ୍ରତିଭା ଦେଖାଇ ହାତେଇଲେ ୱାର୍ଲ୍ଡ ବୁକ ଅଫ ରେକର୍ଡ ।ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକ ଶିଖରପୁର ଗାଁର ଅଢ଼େଇ ବର୍ଷ ଝିଅ ୠତିକା ପାଲ୍ । ବାପା ପିଙ୍କୁ ପାଲ ଏବଂ ମା’ ମାନସି ସାମଲଙ୍କ ସହିତ ରୁହନ୍ତି ୠତିକା । ଏତେ କମ ବୟସରେ କହି ପାରୁଛନ୍ତି ଦେଶ ବିଦେଶର କଥା । କହିବା ପାଇଁ ସମୟ ବି ନେଉ ନାହଁନ୍ତି ଏ କୁନି ଝିଅ । ୩୦ ଦେଶର ପତାକା, ୫୦ ଉଦ୍ଭାବକଙ୍କ ନାମ, ୩୦ ଜିଲ୍ଲା ଓ ୨୮ ରାଜ୍ୟର ନାମ ସହ ରାଜଧାନୀର ନାମ, ଭାରତର ବିଭିନ୍ନ ସହର, ପୃଥିବୀର ୧୦ ଟି ଦେଶର ନାମ, ୧୨ ଟି ଶ୍ଳୋକ ନିର୍ଭୁଲ ଭାବେ କହିପାରୁଛନ୍ତି । କେବଳ ସେତିକି ନୁହେଁ, ବିଭିନ୍ନ ସାମୁଦ୍ରିକ ଜୀବ, ଶରୀଶ୍ରୁପ, ବିଭିନ୍ନ ପର୍ବପର୍ବାଣି ନାମ ଆଦି ଚଟାପଟ୍ କହି ପାରୁଛନ୍ତି, ଯାହାକି ସମସ୍ତଙ୍କୁ କରୁଛି ଆଶ୍ଚର୍ଯ୍ୟ ।ୠତିକାଙ୍କ ପ୍ରତିଭା ପାଇଁ ସେ ପୂର୍ବରୁ ଇଣ୍ଡିଆ ବୁକ ଅଫ ରେକର୍ଡ, କାଲାମସ୍ ସୁଆଲ୍ ରେକର୍ଡ ଭଳି ଅନେକ ଜାତୀୟ ଅନ୍ତଜାର୍ତୀୟ ପୁରସ୍କାର ପାଇଥିବା ବେଳେ ଏବେ ଇଂରାଜୀ ଏବଂ ହିନ୍ଦୀରେ ୧ ହଜାର ଶବ୍ଦ ଏବଂ ୫୦ ବିଷୟ ଉପରେ ନିଜର ପ୍ରତିଭା ଦେଖାଇ ହାତେଇଛନ୍ତି ୱାର୍ଲ୍ଡ ବୁକ ଅଫ ରେକର୍ଡ । ଏଥିପାଇଁ ଗ୍ରାମବାସୀ ତଥା ଜିଲ୍ଲା ସ୍ତରରୁ ଛୁଟୁଛି ଶୁଭେଚ୍ଛାର ସୁଅ ।କମ ବୟସରେ ଅନେକ ପ୍ରତିଭାର ଅଧିକାରୀ ହୋଇପାରିଛନ୍ତି ୠତିକା । ଆଗାମୀ ଦିନରେ କିଭଳି ସେ ଲିମକା ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇ ପାରିବେ ସେଥିପାଇଁ ଉଦ୍ୟମ ଜାରି ରଖିଥିବା କହିଛନ୍ତି ତାଙ୍କ ବାପା ମା’ ।